ଜୀବନ ସହ ସଂଘର୍ଷ କରୁଛନ୍ତି ୨୪ ବର୍ଷୀୟ ଅମ୍ରିତ । ଚିକିତ୍ସା ପାଇଁ ବଢ଼ିଆସିଲା ସହାୟତାର ହାତ । ଅନଲାଇନରେ କ୍ରାଉଡ୍ ଫଣ୍ଡି ଜରିଆରେ ପହଞ୍ଚିଲା ୬୯ ଲକ୍ଷ ।

972

କନକ ବ୍ୟୁରୋ: ପରିସ୍ଥିତି ଯେତେ ଜଟିଳ ଥାଉ ନା କାହିଁକି, ଧୈର୍ଯ୍ୟର ସହ ମୁକାବିଲା କଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବପର ହୋଇଯାଏ । ଆଉ ଏହା ଦେଖିବାକୁ ମିଳିଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାରେ । ଭୁବନେଶ୍ୱର ଏମ୍ସରେ ଅମ୍ରିତଙ୍କ ସ୍ୱାସ୍ଥ୍ୟ ବିଗିଡିବା ଓ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ଚେନ୍ନାଇ ସ୍ଥାନାନ୍ତରଣ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଜଣେ ସାଧାରଣ ବ୍ୟକ୍ତି ବି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରଣ ହେବା ଘଟଣା ସଭିଏଁ ଜାଣିଲେ । ତେବେ ଏହା କେମିତି ହେଲା ତାହା ଆଜି ବି ଅନେକଙ୍କୁ ଅଜଣା ।

ବ୍ରହ୍ମପୁରର ୨୪ ବର୍ଷୀୟ ଅମ୍ରିତଙ୍କର ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରଣ ଘଟଣା ଏବେ ବେଶ ଚର୍ଚ୍ଚାରେ । ତେବେ ତାଙ୍କୁ ଭୁବନେଶ୍ୱର ଏମ୍ସରୁ ଚେନ୍ନାଇ ଆପୋଲୋକୁ ସ୍ଥାନାନ୍ତରଣ କରିବା ପାଇଁ ଏମ୍ସ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଏହାପରେ ଅଧୈର୍ୟ୍ୟ ନହୋଇ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ହୋଇଥିଲେ ପରିବାର ଲୋକ । ଟଙ୍କା ଯୋଗାଡ ପାଇଁ ଚାଲିଲା ପ୍ରକ୍ରିୟା ଓ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ହେଲା । ଇସିଏମଓ ମେସିନ ସହ ଭୁବନେଶ୍ୱର ଏମସ ପହଞ୍ଚିଲେ ଏୟାର ଆମ୍ବୁଲାନ୍ସ ଦଳ । ଆଉ ବାସ କେଇ ମିନିଟ ଭିତରେ ଭୁବନେଶ୍ୱର ଏମ୍ସରୁ ବାହାରି ବିମାନବନ୍ଦର ପହଞ୍ଚିଲା ଆମ୍ବୁଲାନ୍ସ ।

ଏୟାର ଆମ୍ବୁଲାନ୍ସ ଓ ବିଶେଷଜ୍ଞ ଦଳ ବାବଦକୁ ଅମ୍ରିତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଦେବାକୁ ପଡିଛି । ତେବେ ଏହାପରେ ବି ତାଙ୍କ ପାଖକୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ବିଲ ଆସିବ । ଏହି ସମୟରେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ – ଏତେ ଟଙ୍କା ଆସିବ କେଉଁଠୁ । ଅମ୍ରିତଙ୍କ ବାପା ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଓ ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ । ଭଉଣୀ ଭିଣୋଇ ସଫ୍ଟୱେର ଇଞ୍ଜିନିୟର । ତଥାପି ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ନଥିଲା । ଆଉ ଏଥିପାଇଁ ସେମାନେ ଆରମ୍ଭ କରିଥିଲେ ଫଣ୍ଡ ରେଞ୍ଜିଂର ପ୍ରକ୍ରିୟା ।

ଅନ୍ତର୍ଜାତୀୟ ସ୍ତରରେ ଫଣ୍ଡ ଯୋଗାଡ କରୁଥିବା ସଂସ୍ଥା ମିଲାପ ଫାଉଣ୍ଡେସନର ସହ ଯୋଡି ହେଲେ ଅମ୍ରିତଙ୍କ ଭଉଣୀ ମନୀଷା । ଭାଇର ସ୍ବାସ୍ଥ୍ୟ ବିଗିଡିଯାଇଛି , ଆରୋଗ୍ୟ ପାଇଁ ସହଯୋଗ କରିବାକୁ ମନୀଷା କରିଥଲେ ଅପିଲ । ବାସ କେଇ ମିନିଟରେ ଦାତାଙ୍କ ସଂଖ୍ୟା ବଢିଚାଲିଲା । ଦେଶ ବିଦେଶରୁ ଅମ୍ରିତଙ୍କ ପାଇଁ ଆସିଲା ସାହାଯ୍ୟ ରାଶି । ତା ସାଙ୍ଗକୁ ମିଲାପ ପେଜରେ ଅନେକ ଆରୋଗ୍ୟ କାମନା କଲେ । ତେବେ ମିଲାପ ଫାଉଣ୍ଡେସନ ଏମିତି ଏକ ଅନୁଷ୍ଠାନ ଯାହା ଅନେକ ଅସହାୟଙ୍କ ମୁହଁରେ ହସ ଫୁଟାଇଛି । ଅମ୍ରିତଙ୍କ ପରିବାର ଲୋକ ବି ଏହି ମାଧ୍ୟମରେ ଫଣ୍ଡ ରେଜ କରୁଛନ୍ତି । ଅନେକ ଭାବୁଥିବେ କେବଳ ବଡ ବଡିଆ ଏହି ସେବା ପାଇପାରିବେ । କିନ୍ତୁ ଅମ୍ରିତ ଭଳି ସାଧାରଣ ଲୋକ ପାଇଁ ବି ଟଙ୍କା ଯୋଗାଡ ହେଲା ଆଉ ସେ ଆମ୍ବୁଲାନ୍ସରେ ଗଲେ ।