କିପରି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ସାମ୍ନାକୁ ଆସିଲା କୋର୍ଟ ଅର୍ଡର ।

269

କନକ ବ୍ୟୁରୋ : ଡବଲ ମର୍ଡର ମାମଲାରେ କେମିତି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଅନୁପ ସାଏଙ୍କୁ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ଶୁଣାଣି ଆରମ୍ଭରୁ ବିଧାୟକ ମୃତ କଳ୍ପନାକୁ ଚିହ୍ନିନଥିବା ନେଇ ଜୋର ଦେଇ କହିବା ହିଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାଛଡା କଲ ଡିଟେଲ୍ସ ଓ ସାକ୍ଷୀଙ୍କ ବୟାନ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା ।

ଅନୁପ ସାଏଙ୍କୁ କେମିତି ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ‘ଗଲତ ହୈ’ ଓ ‘ନହିଁ ମାଲୁମ’ ଉତ୍ତର ଘୋଡାଇ ପାରିଲାନି ଦୋଷ । ରାୟଗଡ ସେସନ୍ସ କୋର୍ଟରେ ସରକାରୀ ଓକିଲଙ୍କ ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଥିଲେ ପୂର୍ବତନ ବିଧାୟକ ଅନୁପ ସାଏ । ବହୁଚର୍ଚ୍ଚିତ କଳ୍ପନା ଦାସ ଓ ବବଲି ଦାସ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭରୁ ହିଁ ଏହା ଭୂଲ ଓ ମୁଁ ଜାଣି ନାହିଁ କହିବା କୋର୍ଟରେ ଅନୁପଙ୍କୁ ଦୋଷୀ ସଜେଇବା ପାଇଁ ପ୍ରାଥମିକ ଭୂମିକା ଗ୍ରହଣ କରିଥିଲା । ଟେଲିଫୋନ ସିଡିଆରରୁ ହତ୍ୟା ପୂର୍ବରୁ କଳ୍ପନା ଓ ଅନୁପଙ୍କ ମଧ୍ୟରେ ବହୁବାର କଥାବାର୍ତ୍ତା ହୋଇଥିବା ପ୍ରମାଣ ମିଳିଥିଲା । ଯାହାକୁ ନେଇ ଅନୁପ ସାଏଙ୍କୁ ସରକାରୀ ଓକିଲ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ।

ଘନିଷ୍ଠ ସମ୍ପର୍କ ଥିବା ମହିଳାଙ୍କ ମୃତ୍ୟୁ ବିଷୟରେ ସରକାରୀ ଓକିଲଙ୍କ ପ୍ରଶ୍ନକୁ ଏଡାଇ ଯିବାକୁ ଚେଷ୍ଟା କରିଥିଲେ ଅନୁପ ସାଏ । ଯାହା ତାଙ୍କ ସମ୍ପୃକ୍ତିର ସନ୍ଦେହକୁ ଦୃଢ କରିଥିଲା । ଏପରିକି ଏହା ଏକ ଦୁର୍ଘଟଣା ବୋଲି ପ୍ରମାଣିତ କରିବାକୁ କୌଣସି ତଥ୍ୟ ପ୍ରମାଣ କୋର୍ଟଙ୍କୁ ପ୍ରଦାନ କରିନଥିଲେ ଅନୁପଙ୍କ ଓକିଲ ।

ପାଖାପାଖି ୫୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ କୋର୍ଟ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ମଧ୍ୟରୁ କିଛି କୋର୍ଟଙ୍କୁ ନିଷ୍ପତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।
– ୟାଦରାମ ପଟେଲ ନାମକ ବ୍ୟକ୍ତି ଅନୁପ, ତାଙ୍କ ଡ୍ରାଇଭର, କଳ୍ପନା ଓ ବବଲିଙ୍କୁ ହତ୍ୟାକାଣ୍ଡ ପୂର୍ବରୁ ପୂଜା ଢାବାରେ ଦେଖିଥିଲେ
– କଳ୍ପନାଙ୍କ ପୂର୍ବତନ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଏକ ବୋଲେରୋ ଗାଡିରେ ଏମାନଙ୍କୁ ଝାରସୁଗୁଡା ବେହେରାମାଳ ଛକରେ ଦେଖିଥିଲେ
– ଝାରସୁଗୁଡା ମେଘଦୂତ ହୋଟେଲରେ କେ. ଦାସ ନାମରେ ରୁମ ବୁକ କରାଯାଇଥିଲା, କିନ୍ତୁ କିଏ ଏଠାରେ ରହିଥିଲେ ଜଣା ପଡିନଥିଲା
– ପରେ ଭୋଲାସ୍ୱାମୀ ହୋଟେଲ ମ୍ୟାନେଜରଙ୍କୁ ପଚରାଉଚରା ପରେ ସେଠାରେ କଳ୍ପନା ଦାସ ଓ ବବଲି ଦାସ ରହିଥିବା ପ୍ରମାଣ ମିଳିଥିଲା