କେମିତି ଲାଭବାନ ହେବେ ଚାଷୀ ? କୃଷୀ ମନ୍ତ୍ରୀ ଓ ସଚିବ ଦେଲେ ତିନି ସୂତ୍ରୀ ଫର୍ମୁଲା । ଧାନ ବଦଳରେ ଅଣଧାନ ଓ ବୈଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ।

309

କନକ ବ୍ୟୁରୋ : ଲାଭଜନକ ନୁହେଁ ଧାନ ଚାଷ । ଏଥିପାଇଁ ଅଣ ଧାନ ଫସଲ କରି ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ । ଲାଭଜନକ ଫସଲ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ସହ ନୂଆ ଜ୍ଞାନ କୌଶଳର ପ୍ରୟୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷ ଓ ଚାଷୀର ଉନ୍ନତି ପାଇଁ ଆଜି ରାଜ୍ୟ ସରକାର ଆଣିଛନ୍ତି କୃଷି ନୀତି ୨୦୨୦ । ଯାହାର ନାଁ ରଖାଯାଇଛି ସଂବୃଦ୍ଧି ।

କେମିତି ଲାଭବାନ ହେବେ ଚାଷୀ ? ମନ୍ତ୍ରୀ, ସଚିବଙ୍କ ଲାଭ ଫର୍ମୁଲା । ଚାଷ କରି କେମିତି ଚାଷୀ ଅଧିକ ଲାଭବାନ ହେବେ ସେ ସଂକ୍ରାନ୍ତରେ କୃଷି ସଚିବ ସୌରଭ ଗର୍ଗ ଦେଇଛନ୍ତି ତିନି ସୂତ୍ରୀ ଫର୍ମୁଲା । ଧାନ ବଦଳରେ ଅଣଧାନ ଚାଷ, ଚାଷ କାମରେ ବୈଷୟିକ ଜ୍ଞାନ କୌଶଳ ପ୍ରଯୋଗ ଏବଂ ଚାଷୀ ଉତ୍ପାଦନକୁ ବଜାର ବ୍ୟବସ୍ଥା ସହ ଯୋଡ଼ିବା ।

ଠିକ୍ କୃଷି ସଚିବଙ୍କ ଶୈଳୀରେ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲାଭଜନକ ଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ କୃଷିମନ୍ତ୍ରୀ ଦେଇଛନ୍ତି ମନ୍ତ୍ର । ଲାଭଜନକ ଫସଲ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା, ନୂଆ ଜ୍ଞାନ କୌଶଳର ପ୍ରୟୋଗ ପାଇଁ ଚାଷୀଙ୍କୁ ପ୍ରବର୍ତାଇବା ଏବଂ ଋଣ ଓ ସବସିଡି ଜରିଆରେ ଚାଷୀଙ୍କୁ ଅର୍ଥକାରୀ ଫସଲ ପାଇଁ ଉତ୍ସାହିତ କରିବା ଭଳି ୩ଟି ପ୍ରମୁଖ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି କୃଷି ମନ୍ତ୍ରୀ ।

ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ଆଣିଛନ୍ତି କୃଷି ନୀତି ୨୦୨୦ । ଯାହାର ନାଁ ରଖାଯାଇଛି ସଂବୃଦ୍ଧି । ଆଉ ଏହି ସଂବୃଦ୍ଧିର ମୂଳ ଲକ୍ଷ୍ୟ ରଖିଛି ଲାଭଜନକ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା । ଏହି ରାଜ୍ୟ କୃଷି ନୀତିକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଧାନ ବଦଳରେ ଅଣଧାନ ଚାଷକୁ ଗୁରୁତ୍ୱ ଦେବା କଥା କହୁଛନ୍ତି ରାଜ୍ୟ ସରକାର । କିନ୍ତୁ ବଡ଼ କଥା ହେଉଛି, ୨୦୧୮-୨୦୧୯ ବର୍ଷର କେବଳ ଖରିଫ ଋତୁରେ ଓଡ଼ିଶାରେ ୬୫.୪୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦିତ ହୋଇଥିଲା । ୨୦୧୯-୨୦୨୦ ବର୍ଷର କେବଳ ଖରିଫ୍ ଋତୁରେ ଓଡ଼ିଶାରେ ୬୦ ଲକ୍ଷରୁ ଅଧିକ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନର ଲକ୍ଷ୍ୟ ଥିଲା । ଅର୍ଥାତ୍ ଓଡ଼ିଶାର ସିଂହଭାଗ ଚାଷୀ ଏହି ଧାନଫସଲ ଉପରେ ନିର୍ଭରଶୀଳ । ତେଣୁ ଏତେ ସଂଖ୍ୟକ ଚାଷୀଙ୍କୁ ଅର୍ଥକାରୀ ଫସଲ ଆଡକୁ ଆକର୍ଷିତ କରିବା ହୁଏତ, ଏତେ ସହଜ ହୋଇନପାରେ । ତେବେ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଏକ ବିକଳ୍ପ ଫସଲ ପ୍ରତି ଆକର୍ଷିତ ପାଇଁ ବଡ଼ ଧରଣର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।