ଲଦାଖ ସୀମାରେ କେତେ ପଛକୁ ହଟିଛନ୍ତି ଭାରତ ଓ ଚୀନ ସେନା । ଯାଂଚ କରିବେ ଦୁଇ ଦେଶର ମିଳିତ ଟିମ୍ : ପ୍ରମାଣ ମିଳିଲେ ଆଗକୁ ବଢିବ ଶାନ୍ତି କଥାବାର୍ତା

289

କନକ ବ୍ୟୁରୋ : ପୂର୍ବ ଲଦାଖର ଏଲଏସିକୁ ଲାଗି ବିବାଦୀୟ ଅଂଚଳରୁ ଚୀନ ଓ ଭାରତ ସେନା କେତେ ପଛକୁ ହଟିଛନ୍ତି ତାର ନୀରିକ୍ଷଣ ହେବ । ଦୁଇ ଦେଶର ସର୍ବୋଚ୍ଚ କୂଟନୈତିକ ସ୍ତରରେ ହୋଇଥିବା ସହମତି ଅନୁସାରେ ଦୁଇ ସେନାର ଏକ ମିଳିତ ଟିମ୍ ଏହି ନୀରିକ୍ଷଣ କରିବେ । ଅର୍ଥାତ ଗଲୱାନ, ଗୋଗ୍ରାପୋଷ୍ଟ ଓ ହଟସ୍ପ୍ରିଙ୍ଗ ଅଂଚଳରୁ ଦୁଇ ଦେଶର ସେନା ହଟିଛନ୍ତି ନା ନାହିଁ ତାର ଯାଂଚ ହେବ । ମିଳିଥିବା ସୂଚନା ଅନୁସାରେ ଗଲୱାନ ଓ ହଟସ୍ପ୍ରିଙ୍ଗ ଅଂଚଳରୁ ଚୀନର ପିପୁଲ୍ସ ଲିବରେସନ ଆର୍ମି ପ୍ରାୟ ୨ କିଲୋମିଟର ପଛକୁ ଫେରିବା ସହ ସେନା ଟେଂଟ, ଗାଡି ଓ ଅନ୍ୟାନ୍ୟ ଅସ୍ଥାୟୀ ନିର୍ମାଣକୁ ହଟାଇ ସାରିଛି ।

ଆଜି ଗୋଗ୍ରାପୋଷ୍ଟ ଅଂଚଳରୁ ସେନା ପ୍ରତ୍ୟାହାର କରିବ ଚୀନ । ସେହିପରି ବିବାଦୀୟ କ୍ଷେତ୍ରରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ଆଲୋଚନା କରି ନୀତି ନିୟମ ସ୍ଥିର କରିବେ । ବିବାଦୀୟ କ୍ଷେତ୍ରରେ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ଫେରିଲେ ଯାଇ ଏହି ଆଲୋଚନା ହେବ । ସେପର୍ଯ୍ୟନ୍ତ ଏହି ଅଂଚଳରେ କୌଣସି ଦେଶର ସେନା ପାଟ୍ରୋଲିଂ କରିବେ ନାହିଁ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ଗତ ରବିବାର ଆଲୋଚନା ବେଳେ ଏହି ସହମତି ହୋଇଥିଲା ।