କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲାଣି କି ତଥ୍ୟ ? ଏତେ ଦିନ ଯାଏଁ କ୍ରାଇମବ୍ରାଞ୍ଚ କରୁଛି କଣ ? ତଦନ୍ତ ନେଇ ଉଠିଲା ପ୍ରଶ୍ନ, ସତ ଖୋଜିବାକୁ ଆଉ କେତେ ଦିନ ଲାଗିବ ?

218
କନକ ବ୍ୟୁରୋ : ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ଅଢେଇ ମାସ ବିତିଯାଇଥିବା ବେଳେ ଏବେବି ଅନ୍ଧାରରେ ରହିଛି ମୃତ୍ୟୁ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ଏଇ କଥାର ଗୁମର ଫିଟାଇବାକୁ ନାକେଦମ ହେଲାଣି ପୋଲିସଠୁ କ୍ରାଇମବ୍ରାଞ୍ଚ । ଘନଘନ ଜେରା, ମରାଥନ ପଚରା ଉଚରାଠୁ ମିଛଧରା ମେସିନରେ ଲାଏ ଡିଟେକ୍ସନ ଟେଷ୍ଟ । ମୃତ୍ୟୁ ସସପେନ୍ସର ସତ ଜାଣିବାକୁ ଅଢେଇ ମାସ ହେବ ତନାଘନା ଚାଲିଥିଲେ ହେଁ ତଥାପି ରହସ୍ୟ ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ  । ଯଦି ହତ୍ୟା ହୋଇଥିବ ତାହାଲେ କିଏ ସେ ହତ୍ୟାକାରୀ ? ଏଯାଏଁ ଅପରାଧୀ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ ।
ଜୁଲାଇ ୭ରେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା । ସୁନ୍ଦରପଦା ରେଳଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇଥିବାରୁ ହତ୍ୟା ନା ସେ ଆତ୍ମହତ୍ୟା କରିଛନ୍ତି ତାର ଖୋଳତାଳ କରିଥିଲା ଜିଆରପି । ମାତ୍ର ନିରପେକ୍ଷ ତଦନ୍ତ ପାଇଁ ଦାବି ହେବା ପରେ କ୍ରାଇମବ୍ରାଞ୍ଚକୁ ଯାଇଥିଲା ତଦନ୍ତ ଭାର । କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଆସିବା ପରେ ମୃତ୍ୟୁ ରହସ୍ୟର ଭାନୁମତି ପେଡି ଖୋଲିବାକୁ ଜୋରଦାର ଜେରା ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।
ଘଟଣାର ଛାନଭିନ ଚଳାଇବା ସହ ଆଦିତ୍ୟଙ୍କ ଘରକୁ ଯାଇ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । କିଏ କହୁଛି ସତ, କିଏ କହୁଛି ମିଛ । ପୂରା ଘଟଣା ଜାଣିବା ପାଇଁ ବିଦ୍ୟାଶ୍ରୀଙ୍କ ସମେତ ପପୁ, ବିକାଶ ଓ ଅନ୍ୟ କିଛି ସାଙ୍ଗଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ତନାଘନା ପରେ ସମସ୍ତଙ୍କ ନଜର ବିଦ୍ୟାଶ୍ରୀଙ୍କ ଉପରେ ଥିବାବେଳେ ହଠାତ ସାଇକୋ ଲେଡିର ଚର୍ଚ୍ଚା ହୋଇଥିଲା । ଆଉ ପରେ ବାଲେଶ୍ୱରର ପ୍ରେମିକା ଚିନ୍ମୟୀ ମହାପାତ୍ର ସାମ୍ନାକୁ ଆସି ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କର କଥା କହିଥିଲେ ।
ଆଦିତ୍ୟ ମୃତ୍ୟୁ ମାମଲାରେ ବାଲେଶ୍ୱର ପ୍ରେମିକା ଚିନ୍ମୟୀଙ୍କୁ କାଇମବ୍ରାଞ୍ଚ ପଚରା ଉଚରା କରିଥିବା ସୂଚନା ମିଳିଛି । ମାନବପ୍ରେମୀଙ୍କ ମୃତ୍ୟୁ ନେଇ ତାଙ୍କର କିଛି ଲିଙ୍କ ରହିଛି କି ସେ ନେଇ ତନାଘନା କରିଛି କ୍ରାଇମବ୍ରାଞ୍ଚ । ତେବେ ପଚରାଉଚରାରୁ କିଛି ବଡ ସୁରାକ ପାଇଛି କି କ୍ରାଇମବ୍ରାଞ୍ଚ । ଜେରା ବେଳେ ଚିନ୍ମୟୀଙ୍କଠୁ ମିଳିଛି କି ମୃତ୍ୟୁ ମିଷ୍ଟ୍ରିର ଲିଙ୍କ୍ । ଯଦି ସେମିତି କିଛି ଆଖି ଦୃଶିଆ ସୁରାକ ମିଳିଥିବ ତେବେ ଆଗକୁ କଣ ପଦକ୍ଷେପ ନେବ କ୍ରାଇବ୍ରାଞ୍ଚ । ଏସବୁ ପ୍ରଶ୍ନ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ସେପଟେ ସୁଶାନ୍ତ ସିଂଙ୍କ ସହ ଆରମ୍ଭ ହୋଇଥିବା ଆଦିତ୍ୟ ମୃତ୍ୟୁ ମାମଲା ଏବେ ଅନ୍ଧାର ଗଳିରେ ଅଟକିଛି । ସୁଶାନ୍ତଙ୍କ ମାମଲାରେ ଡ୍ରାଗ୍ଲ ଲିଙ୍କର ଖୋଳତାଡ କଲାଣି ଏନସିବି । କିନ୍ତୁ ଓଡିଶାରେ ମାନବପ୍ରେମୀଙ୍କ ମୃତ୍ୟୁ ମାମଲାରେ କଣ କରୁଛି କ୍ରାଇମବ୍ରାଞ୍ଚ । ମାମଲାରେ ମାସେରୁ ଅଧିକ ସମୟ ଧରି ତନାଘନା ଚଳାଇଥିବା ବେଳେ କ୍ରାଇମବ୍ରାଞ୍ଚ ଜାଲରେ କାହିଁକି ପଡୁନି ବଡ ମାଛ ? କାହିଁକି ପ୍ରକୃତ ସତ ପାଖରେ ପହଞ୍ଚି ପାରୁନି କ୍ରାଇମବ୍ରାଞ୍ଚ? ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏ ପ୍ରଶ୍ନରୁ ସତରେ ଉଠିବ ତ ପରଦା ?