ଗରିବଙ୍କ ପାଇଁ ନୁହେଁ ଫାଇଜର ଟୀକା ! କରୋନା ରୋକିବାରେ ପ୍ରଭାବୀ ବୋଲି ଦାବି କିନ୍ତୁ ଭାରତ ଭଳି ଦେଶରେ ଆମଦାନୀ ନୁହେଁ ସମ୍ଭବ

387

କନକ ବ୍ୟୁରୋ : ଗରିବ ପାଇଁ ନୁହେଁ ଫାଇଜର କରୋନା ଟିକା । କାରଣ, ଏହି ଟିକାକୁ ସୁରକ୍ଷିତ ଭାବେ ଆଣି ରୋଗୀଙ୍କୁ ଦେବା ଏତେ ସହଜ ନୁହେଁ । ମାଇନସ୍ ୭୦ ଡିଗ୍ରୀ ସେଲସିୟସରେ ଟିକାକରଣ କେନ୍ଦ୍ରକୁ ଆଣି ୫ ଦିନ ଭିତରେ ଟିକା ଦେଲେ ଏହା ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ଏଭଳି ସ୍ଥିତିରେ ଭାରତ ଭଳି ଦେଶ ଏଭଳି ଟିକା ଆମଦାନ କରି ରୋଗୀଙ୍କୁ ଦେବା ଏତେ ସହଜ ହୋଇନପାରେ ।

ତେବେ ଚୀନ, ଜାପାନ ଏବଂ ଇଲଣ୍ଡ ଭଳି ଦେଶ ଏହି ଫାଇଜର ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଦୁଇ ଦିନ ତଳେ ପି- ଫାଇଜର ଓ ବାଇଓ-ଏନ-ଟେକ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଟିକା କରୋନା ରୋକିବାରେ ୯୦ ପ୍ରତିଶତ ପ୍ରଭାବି ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଥିଲା । ଏହି କୋଭିଡ୍ ଟିକାର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ଟିକାର ପ୍ରଥମ ଡୋଜ୍ ଦେବାର ୨୮ ଦିନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଓ ଦ୍ୱିତୀୟ ଡୋଜ୍ ଦେବାର ୭ ଦିନ ମଧ୍ୟରେ ରୋଗୀକୁ ସୁରକ୍ଷା ଦେଉଛି ।

ଫାଇଜରର ସିଇଓ ଆଲବର୍ଟ କହିଛନ୍ତି, ତାଙ୍କ କମ୍ପାନୀ ଦ୍ୱାରା ବିକଶିତ କରାଯାଇଥିବା ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଏହା କୋଭଡ-୧୯ ମୁକାବିଲା ପାଇଁ କେତେ ସକ୍ଷମ । ଏଥିସହ ଖୁବ୍ ଶୀଘ୍ର ବିଶ୍ୱ ସମସ୍ୟାକୁ ଶେଷ କରିବାରେ ନିକଟତର ହେବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହି କମ୍ପାନୀ ୨୦୨୦ରେ ୫୦ ମିଲିୟନ ଡୋଜ୍ ଓ ୨୦୨୧ରେ ୧.୩ ବିଲିୟନ ଡୋଜ୍ ଯୋଗାଇ ପାରିବ ବୋଲି ସେ ଆକଳନ କରିଛନ୍ତି । ହେଲେ ଏହି ଟିକାର ଆମଦାନି ଓ ଟିକାକରଣକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।