ଆସିଲା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ । ଜାଣନ୍ତୁ କେତେ ସୁରକ୍ଷିତ ଏହି ଟିକା

470

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଭିତରେ ଆସିଲା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ୍ କହିଛି କି ଦେଶରେ ୨୫.୮୦୦ ଲୋକଙ୍କ ଉପରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଯାହାକି ଆଇସିଏମଆର ଭାଗିଦାରିରେ ଏହା ସବୁଠାରୁ ବଡ ପରୀକ୍ଷଣ । କହିରଖୁ କି ଦେଶରେ କୋଭାକ୍ସିନର ବ୍ୟବହାରକୁ ନେଇ ବିରୋଧୀଦଳ ମାନେ ପ୍ରଶ୍ନ ଉଠାଇଥିଲେ । ହେଲେ ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ବ୍ୟବହାର କରାଯାଉଛି ।

ଏହାସହ ଜାନୁଆରୀ ମାସରେ କୋଭାକ୍ସିନ ଟିକାକୁ ନେଇ ଆଉଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି କୋଭାକ୍ସିନ ଟିକା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ବି ବେଶ୍ ପ୍ରଭାବୀ । ରିପୋର୍ଟରେ ଆହୁରି କୁହାଯାଇଛି କି, କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କ ଠାରୁ ସଂଗୃହିତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ସ୍ୱରୂପ ଉପରେ ବି ଏହି ଟିକା ପ୍ରଭାବୀ ରହିବ ।
କହିରଖୁ କି କୋଭାକ୍ସିନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟିକା । ଯାହାକୁ ଭାରତ ବାୟୋଟେକ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଏନଆଇବି ସହିତ ମିଶି ପ୍ରସ୍ତୁତ କରିଛି ।