ଏମିତି ଢଙ୍ଗରେ କ୍ରୁଜ ଜାହାଜକୁ ଯାଇଥିଲା ଡ୍ରଗ୍ସ, ଏକାସଙ୍ଗରେ ନୁପୂର ଓ ଆରୟନଙ୍କୁ ଉଠାଇଥିଲା ଏନସିବି ।

305

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ସମେତ ୩ ଜଣଙ୍କୁ  ରିମାଣ୍ଡରେ ଆଣି ପଚରାଉଚରା କରୁଛି ନାର୍କୋଟିସ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଆରୟନ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଜବତ ହୋଇଥିବା ତାଙ୍କ ମୋବାଇଲରୁ କିଛି ଆପତ୍ତିଜନକ ଜିନିଷ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ଡ୍ରଗ୍ସ କାରବାରରେ ଆରୟନଙ୍କ ସମ୍ପୃକ୍ତି ଥିବା ନେଇ ମୋବାଇଲରୁ ମିଳିଥିବା ଫଟୋ ଏବଂ ଚାଟକୁ ଦେଖି ଏନସିବି ସନ୍ଦେହ କରୁଛି । ଅଭିଯୁକ୍ତମାନଙ୍କୁ ଏନସିବି ମୁହାଁମୁହିଁ ଜେରା କରିବ ବୋଲି ସୂଚନା ମିଳିଛି ।

ଆରୟନଙ୍କ ମୋବାଇଲକୁ ମିଳିଥିବା କିଛି ଫୋଟରେ କିଛି ସେପରି ବ୍ୟକ୍ତିଙ୍କ ସହ ଆରୟନଙ୍କ ଫଟୋ ଦେଖିବାକୁ ମିଳିଛି । କିନ୍ତୁ ଆରୟନଙ୍କ ଓକିଲ ସତୀଶ ମାନସିଂଦେ କହିଛନ୍ତି, ଚାଟ ଏକ ପ୍ରମାଣ ନୁହେଁ ଯେଉଁଥିପାଇଁ ୨୩ ବର୍ଷିୟ ଯୁବକ ବିରୋଧରେ ଏଭଳି ଆରୋପ ଲଗାଇବା । ଆରୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନାହିଁ ।  ଆରୟନଙ୍କ କୌଣସି ଅପରାଧିକ ସମ୍ପୃକ୍ତି ନାହିଁ । ଯଦି ଏଭଳି କିଛି ଥାନ୍ତା, ସେ ପୋଲିସକୁ ସହଯୋଗ ନକରି ପଳାଇ ଯାଇପାରିଥାନ୍ତେ । ଓକିଲ କହିଛନ୍ତି ଆରୟନ କ୍ରୁଜ କାହିଁକି ଡ୍ରଗ୍ସ ବିକ୍ରି କରିବେ । ସେ ଚାହିଁଲେ କ୍ରୁଜ୍ କିଣିପାରିବେ  ।

ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କ୍ରୁଜରେ ଭିତରକୁ ବିଭିନ୍ନ ଉପାୟରେ ଡ୍ରଗ୍ସ ନିଆଯାଇଥିଲା । କିଏ ନିଜର ଚଷମା ଖୋଳ ଭିତରେ ତ ପୁଣି କିଏ ସାନିଟାରି ପ୍ୟାଡ ଭିତରେ ଡ୍ରଗ୍ସ ପୂରାଇ ନେଇଥିବା କୁହାଯାଇଛି । ଏପରିକି କିଛି ଜଣ ନିଜର ପର୍ସ ଓ ଅନ୍ତଃବସ୍ତ୍ର ଭିତରେ ଡ୍ରଗ୍ସ କ୍ରୁଜ୍ ଜାହାଜ ଭିତରକୁ ନେଇଥିବା କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।