କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଜିଲ୍ଲାରେ ଆନୁଷ୍ଠାନିକ ଭାବେ କାର୍ଡ ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଜିଲ୍ଲାରେ ଯଥେଷ୍ଟ ପରିମାଣରେ କାର୍ଡ ପହଁଚି ପାରି ନ ଥିବାରୁ ଅଳ୍ପ କେତେକ ସ୍ଥାନରେ କାର୍ଡ ବଂଟାଯାଇଛି । ତେବେ ବଂଟନ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କେମିତି ଏହି କାର୍ଡ ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ସମସ୍ୟାର ସାମନା କରିବେନି, ସେ ନେଇ ପ୍ରତି ଡାକ୍ତରଖାନାରେ ରହିବେ ଜଣେ ଜଣେ ସ୍ୱାସ୍ଥ୍ୟ ମିତ୍ର । ଜଣେ କାର୍ଡଧାରୀ ସିଧାସଳଖ ଘରୋଇ ହସପିଟାଲରୁ ଚିକିତ୍ସା ପାଇପାରିବେ, ଏହାକୁ ଉପଲବ୍ଧ କରାଇବେ ସ୍ୱାସ୍ଥ୍ୟ ମିତ୍ର ।
ମାଲାକନଗିରି ଜିଲ୍ଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କେନ୍ଦ୍ର । ସ୍ମାର୍ଟ କାର୍ଡ ଟିଏ ପାଇବା ଲାଗି କାର୍ଡ ବିତରଣ କେନ୍ଦ୍ର ଆଗରେ ଲୋକଙ୍କ ଲମ୍ବା ଲାଇନ । ହିତାଧିକାରୀଙ୍କ କାଗଜପତ୍ର ଯାଁଚ ପରେ ଆଇରିସ ସ୍କାନ କରାଯାଇ କାର୍ଡ ହସ୍ତାନ୍ତର କରାଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୮ ଜଣ ମନ୍ତ୍ରୀ ବିଭିନ୍ନ ସ୍ଥାନରେ କାର୍ଡ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ବେଳେ ଶହ ଶହ ସଂଖ୍ୟାରେ ଲୋକେ କେନ୍ଦ୍ର ଆଗରେ ଧାଡି ବାନ୍ଧି ଥିବା ବେଳେ ଯଥେଷ୍ଟ ପରିମାଣରେ କାର୍ଡ ନାହିଁ । ତଥାପି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ସେପ୍ଟେମ୍ବର ୧ ତାରିଖରୁ ଏହି ସ୍ମାର୍ଟ ହେଲ୍ଥ କାର୍ଡର ଲାଭ ପାଇବେ ହିତାଧିକାରୀ । ନଜର ପକାନ୍ତୁ କେମିତି କାମ କରିବ ସ୍କାର୍ଟ ହେଲ୍ଥ କାର୍ଡ –
କ୍ୟାସଲେସ୍ ହେଲ୍ଥ କାର୍ଡ ଭାବେ ବ୍ୟବହାର କରିବେ ହିତାଧିକାରୀ 
ପ୍ରତି ଅନୁବନ୍ଧିତ ଡାକ୍ତରଖାନାରେ ରହିବେ ଜଣେ ଜଣେ ସ୍ୱାସ୍ଥ୍ୟ ମିତ୍ର
ସ୍ୱାସ୍ଥ୍ୟ ମିତ୍ର ଡାକ୍ତରଖାନାରେ ଚିକିତ୍ସା ଉପଲବ୍ଧ କରାଇବେ
ଏଥିପାଇଁ ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ କୌଣସି ସମସ୍ୟାର ସାମ୍ନା କରିବେନି
ସିଧାସଲଖ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇପାରବେ ହିତାଧିକାରୀ 
ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ଅନୁବନ୍ଧିତ ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନା
ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ଚିକିତ୍ସା
ରାଜ୍ୟ ସରକାରଙ୍କ ଏହି ସ୍ମାର୍ଟ ହେଲ୍ଥ କାର୍ଡ, ସ୍ୱାସ୍ଥ୍ୟ ବୀମା ବା ହେଲ୍ଥ ଇନସୁରାନ୍ସ ନୁହେଁ, ସରକାର ଏହି ଯୋଜନାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନେଇ ପ୍ରତିଶ୍ରୁତି ଦେଉଛନ୍ତି । ତେଣୁ ଏହାକୁ ହେଲ୍ଥ ଆସ୍ୟୁରାନ୍ସ କହୁଛନ୍ତି ରାଜ୍ୟ ସରକାର ।
  
 Follow Us