ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? ସିଧାସଳଖ ଭୋଟ୍ ଦେଇନଥାନ୍ତି ଜନତା, ଜାଣନ୍ତୁ ନିର୍ବାଚନର ପୂରା ପ୍ରକ୍ରିୟା ।

1,241

କନକ ବ୍ୟୁରୋ : ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? କଣ ସିଧାସଳଖ ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିଥାନ୍ତି ଆମେରିକାବାସୀ ? ନା ପରୋକ୍ଷ ନିର୍ବାଚନ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେରିକାରେ ସାଧାରଣ ନିର୍ବାଚନ ଭାରତ ଭଳି ହୋଇନଥାଏ । ସେଠାକାର ଜନତା ସିଧାସଳଖ ନିଜର ଶାସନ ମୁଖ୍ୟ ବା ରାଷ୍ଟ୍ରପତିଙ୍କୁ ବାଛିନଥାନ୍ତି । ବରଂ ପରୋକ୍ଷ ନିର୍ବାଚନ ଦ୍ୱାରା ଆମେରିକାରେ ସର୍ବୋଚ୍ଚ ନେତା ବାଛିବାର ପରମ୍ପରା ରହିଛି । ୪ ବର୍ଷରେ ଥରେ ହେଉଥିବା ଏହି ନିର୍ବାଚନର ପ୍ରକ୍ରିୟା ଉପରେ ନଜର ପକାନ୍ତୁ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟତଃ ଦୁଇଟି ପାର୍ଟି ମୁହାଁ ମୁହିଁ ହୋଇଥାନ୍ତି । ହାତୀ ଚିହ୍ନ ସହ ରିପବ୍ଲିକାନ ପାର୍ଟି ଏବଂ ଗଧ ଚିହ୍ନ ସହ ଡେମୋକ୍ରାଟ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ଚଳିତ ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଡେମୋକ୍ରାଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ୍ । ଟ୍ରମ୍ପ/ବାଇଡେନ୍… ଏମାନଙ୍କ ଭିତରୁ କିଏ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ତାହା ନିର୍ଦ୍ଧାରଣ କରିବାକୁ ରହିଛି ଇଲେକ୍ଟୋରାଲ କଲେଜ ବ୍ୟବସ୍ଥା ।

୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ହିଲାରୀ କ୍ଲିଂଟନ ୩୦ ଲକ୍ଷରୁ ଅଧିକ ପପୁଲାର ଭୋଟ ପାଇଥିଲେ ମଧ୍ୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିଥିଲେ । କାରଣ ଇଲେକ୍ଟୋରାଲ କଲେଜ ତାଙ୍କୁ ନିର୍ବାଚିତ କରିଥିଲା ।

ଏବେ ଆସନ୍ତୁ ଜାଣିବା କଣ ଏହି ଇଲୋକ୍ଟୋରାଲ କଲେଜ ବ୍ୟବସ୍ଥା । ଏବଂ କେମିତି ଆମେରିକା ଭୋଟର ଦେଶର ରାଷ୍ଟ୍ରପତି ନିର୍ବାଚନ କରନ୍ତି ?

ଇଲେକ୍ଟୋରାଲ କଲେଜ ବ୍ୟବସ୍ଥା
– ୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ ମୋଟ୍ ଇଲେକ୍ଟର ସଂଖ୍ୟା ୫୩୮
– ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ସ୍ଥିର ହୋଇଛି ଏହି ଇଲେକ୍ଟର ସଂଖ୍ୟା
– କାଲିଫର୍ଣ୍ଣିଆରେ ସର୍ବାଧିକ ୫୫ ଓ ଟେକ୍ସାସରେ ୩୮ଟି ଇଲେକ୍ଟୋରାଲ ଭୋଟ୍ ଅଛି
– ଏହି ପ୍ରକ୍ରିୟାରେ ଭୋଟର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦେଖି ନିଜ ଅଂଚଳର ଇଲେକ୍ଟରଙ୍କୁ ବାଛନ୍ତି
– ଇଲେକ୍ଟର ନିଜ ରାଜ୍ୟ ରାଜଧାନୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି
– ଏହି ଭୋଟ ୟୁଏସ କଂଗ୍ରେସରେ ଗଣତି ହୁଏ ଓ ଜାନୁଆରୀରେ ବିଧିବଦ୍ଧ ଫଳ ବାହାରେ

ମୋଟ୍ ଇଲେକ୍ଟର ସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ପାଉଥିବା ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି । ଅର୍ଥାତ ୨୭୦ ଇଲେକ୍ଟରଙ୍କ ସମର୍ଥନ ପାଇଲେ ଯାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ।

୧୭୮୭ରେ ଆମେରିକାରେ ଆରମ୍ଭ ହୋଇଥିଲା ଏହି ଇଲେକ୍ଟୋରାଲ କଲେଜ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଜଣେ ଆମେରିକୀୟ ନିଜ ପସନ୍ଦର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ଲାଗି ତାଙ୍କ ଦଳର ଜଣେ ପ୍ରତିନିଧି ବା ଇଲେକ୍ଟରଙ୍କୁ ହିଁ ବାଲଟ ଭୋଟ ଦେଇଥାନ୍ତି । ନିର୍ବାଚନ ପୂର୍ବରୁ ଇଲେକ୍ଟର ମାନଙ୍କୁ ସେମାନଙ୍କ ଦଳ ଦ୍ୱାରା ଚୟନ କରାଯାଇଥାଏ । ତେବେ ଇଲେକ୍ଟର ନିର୍ବାଚନ ବେଳେ ୱିନର ଟେକ୍ସ ଅଲ ବ୍ୟବସ୍ଥା ଲାଗୁ ହୁଏ ।

ୱିନର ଟେକ୍ସ ଅଲ ବ୍ୟବସ୍ଥା
– ଏକ ନିର୍ଦ୍ଦିଷ୍ଟ ରାଜ୍ୟରେ ଯେଉଁ ଦଳର ଅଧିକ ଇଲେକ୍ଟର ନିର୍ବାଚିତ ହୋଇଥିବେ ସେହି ରାଜ୍ୟର ସମସ୍ତ ଇଲେକ୍ଟୋରାଲ ଭୋଟ୍ ସେହି ଦଳକୁ ହିଁ ଯିବ
– ଯଦି କାଲିଫର୍ଣ୍ଣିଆରେ ୫୫ରୁ ରିପବ୍ଲିକାନର ୨୮ ଓ ଡେମୋକ୍ରାଟର ୨୭ ଇଲେକ୍ଟୋରାଲ ନିର୍ବାଚିତ ହୋଇଥିବେ ତେବେ ସମସ୍ତ ୫୫ ଭୋଟ୍ ରିପବ୍ଲିକାନକୁ ଯିବ

ଆମେରିକାରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ସେହିପରି ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବାର ସୁଯୋଗ ମିଳେ । ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ଜିତି ୪ ବର୍ଷ କ୍ଷମତାରେ ରହିବା ପରେ ପୁଣିଥରେ ରିପବ୍ଲିକାନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ତାଙ୍କ ବିରୋଧରେ ମୈଦାନରେ ଅଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ ।