ଜନ୍ମଦେଇ ଜଞ୍ଜାଳକୁ ଠେଲି ଦେଲା ବାପ ! ୫ ବର୍ଷ ହେବ ଏକାଏକା ପାଞ୍ଚଟି ପେଟର ଭୋକ ବୁଝୁଛି ୧୨ ବର୍ଷର କୁନି ଝିଅ…

552

କନକ ବ୍ୟୁରୋ: ପାଞ୍ଚ ପାଞ୍ଚଟି ପେଟ, ସମସ୍ତଙ୍କ ପେଟରେ ପେଟେ ପେଟେ ଭୋକ ଆଉ ହାତ ପାଖରେ ଗୋଟିଏ ପଖାଳ କଂସା । ଜଣେ ହାତ ପୂରାଇଲେ ଆଉ ଜଣେ ଚାହୁଁଛି, ତା ପାଳିକୁ ଅପେକ୍ଷା କରୁଛି । ଏଇ ପଖାଳ କଂସେ ପାଇଁ ଏ କୁନି ଝିଅକୁ କେତେ କସରତ କରିବାକୁ ପଡେ ହୁଏତ ତା କାହାଣୀ ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ, ଛାତି ଭାରି ଭାରି ଲାଗିବ ।

କଂସାଏ ପଖାଳରେ କ’ଣ ୫ଟି ପେଟ ପୂରିବ? ନା ଭୋକ ମେଂଟିଯିବ? ତଥାପି ପଖାଳ କଂସେ ପାଇଁ ଏ କୁନି ଝିଅ ଅନେକ କସରତ କରେ । ତା କୁନି ପାଦରେ ଜଙ୍ଗଲକୁ ଯାଏ, କଅଁଳ ହାତରେ କାଠ ଗୋଟାଏ, ପର ଘରେ ପାଇଟି କରେ ଆଉ ଦି ପଇସା ମିଳିବା ପରେ ଭାଇଭଉଣୀଙ୍କ ମୁହଁରେ ଦାନା ଗଣ୍ଡେ ଦିଏ କେନ୍ଦୁଝର ମୁଣ୍ଡାସାହିର କୁନିଝିଅ ଗୁରୁବାରୀ ମୁଣ୍ଡା ।

୧୨ ବର୍ଷର କୁନି ଝିଅ ଗୁରୁବାରୀ ମୁଣ୍ଡା ସକାଳରୁ ସଞ୍ଜ ଘର କାମ କରୁଥାଏ । ଭାଇଭଉଣୀଙ୍କ ଅଳି ଅର୍ଦ୍ଦଳି ବୁଝୁବୁଝୁ ତା ତାଳୁ ଝାଳ ତଳିପାରେ ମରେ । ବୟସ କମ୍ ହେଲେ ବୋଝ ଅଧିକ । ସେ ଖାଏ କମ୍ ଖୁଆଏ ଅଧିକ । ଯେଉଁ ବୟସରେ ଖେଳକୁଦ କରି ଗାଁ ସ୍କୁଲରେ ପାଠ ପଢିବା କଥା ସେହି ବୟସରେ ସେ ପୂରା ପରିବାର କଥା ଭାବୁଛି । ତେବେ ଗୁରୁବାରୀକୁ ଯେଉଁଦିନ ମୂଳ ନମିଳେ ସେଦିନ ପେଟରେ ଓଦା କନା ଦେଇ ଶୋଇଯାଆନ୍ତି ସବୁ ଭାଇଭଉଣୀ ।

ମାଆ ଆରପାରିକୁ ଚାଲିଯିବା ପରେ ୫ ପିଲାଙ୍କ ହାତ ଛାଡି ହଠାତ୍ କୁଆଡେ ଚାଲିଗଲେ ବାପା ଚୈତନ୍ୟ ମୁଣ୍ଡା । ଆଉ ବାପା ବେସାହାରା କରିଯିବା ପରେ ଏବେ ୧୨ ବର୍ଷର ବଡ ଭଉଣୀ ମୁଣ୍ଡରେ ସଂସାରର ବୋଝ । ତେବେ ୫ ବର୍ଷ ଧରି ଦୁଃଖରେ ଦିନ କାଟୁଥିବା ଏ ପିଲାଙ୍କ କଥା କାହାକୁ ଦିଶୁନି କେମିତି ? ଭୋକରେ ଛାଟିପିଟି ହେଉଥିବା କୁନିପିଲାଙ୍କ କରୁଣ ଚିକ୍ରାର କାହା କାନରେ ପଡୁନି କେମିତି ? ଗୁରୁବାରୀର ଘର ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଜିଲ୍ଲାପାଳଙ୍କ ଅଫିସ । ଏତେ ପାଖରେ ଥାଇ ବି ତାଙ୍କ ପାଖରେ କିଛି ଖବର ନାହିଁ । ଏହା ଠାରୁ ବଡ ବିଡମ୍ବନା ଆଉ କଣ ହୋଇପାରେ ।