କନକ ବ୍ୟୁରୋ: ସୁଡଙ୍ଗରୁ ବାହାରିବା ପରେ ଶ୍ରମିକ ବଖାଣିଛନ୍ତି ୧୭ ଦିନର ସଂଘର୍ଷ କାହାଣୀ । ଉଦ୍ଧାର ହୋଇଥିବା ଓଡିଆ ଶ୍ରମିକ ବିଶେଶ୍ୱର ନାୟକ କହିଛନ୍ତି, ପ୍ରଥମ ୧୦ ଦିନ ମୁଢି ଓ ଶୁଖିଲା ଖାଦ୍ୟ ଖାଇ ରହିଥିଲେ । ଭିତରେ ପ୍ରାୟ ଅଢେଇ କିଲୋମିଟର ଖାଲି ସ୍ଥାନ ଥିବାରୁ ତା ଭିତରେ ରହିଥିଲେ ସବୁ ଶ୍ରମିକ । ପରେ ଖାଇବା ଓ ଔଷଧ ପଠାଯାଇଥିଲା । ମୋବାଇଲ ଦେଖି ଓ ଗେମ ଖେଳି ସମୟ ଅତିବାହିତ କରୁଥିଲେ ।
ତେବେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସିଯିବା ପରେ, ସବୁଠାରୁ ବଡ଼ ଆହ୍ୱାନ ଥିଲା, କେମିତି ଏହି ସ୍ଥିତିର ମୁକାବିଲା କରିବେ । କାରଣ, ବାହାରକୁ ବାହାରିବାର ବାଟ ବନ୍ଦ । ବାହାରୁ ଭିତରକୁ ଯିବା ପାଇଁ ରାସ୍ତା ନାହିଁ । ସଙ୍କଟ ବେଳରେ ଏକାଠି ନରହିଲେ, ଏକାଠି ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ନକଲେ, ବଞ୍ଚିବା ହୁଏତ କଷ୍ଟକର ହୋଇଯିବ । ଏକଥାକୁ ସେମାନେ ଠିକ୍ ବୁଝି ସାରିଥିଲେ । ସେଥିପାଇଁ ସୁଡ଼ଙ୍ଗ ଭିତରେ ପରିବାରଟିଏ ଭଳି ରହୁଥିଲେ । ଏକାଠି ରହୁଥିଲେ, ଏକାଠି ଶୋଉଥିଲେ । ଶ୍ରମିକମାନେ ପ୍ରଥମ ୧୦ ଦିନ ମୁଢ଼ି ଓ ଶୁଖିଲା ଖାଦ୍ୟ ଖାଇ ଜୀବନ ସଂଘର୍ଷ କରିଥିଲେ ।
ନଭେମ୍ବର ୧୨ ତାରିଖ, ଯେତେବେଳେ ଶ୍ରମିକମାନେ ଡ୍ୟୁଟି ସାରି ଫେରୁଥିଲେ । ଅଧାବାଟରେ ଦେଖିଥିଲେ ସୁଡ଼ଙ୍ଗଟି ବନ୍ଦ ହୋଇଯାଇଛି । କୌଣସି ମତେ ଯୋଗାଯୋଗ ହେବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ଦୀର୍ଘ ୧୭ ଦିନ ସୁଡ଼ଙ୍ଗ ଭିତରେ ସଂଘର୍ଷ କରିବା ସହଜ ନଥିଲା । ତେବେ ସୁଡ଼ଙ୍ଗ ଭିତରେ ପ୍ରାୟ ଅଢ଼େଇ କିଲୋମିଟର ଖାଲି ସ୍ଥାନ ଥିବାରୁ ତା’ ଭିତରେ ସମୟ ଅତିବାହିତ କରିଥିଲେ ୪୧ ଶ୍ରମିକ ।
- ଖାଉଥିଲେ ମୁଢ଼ି, ଦେଖୁଥିଲେ ମୋବାଇଲ୍
- ସୁଡ଼ଙ୍ଗ ଭିତରେ ସଂଘର୍ଷର କାହାଣୀ
ସୁଡ଼ଙ୍ଗ ଭିତରେ ଜୀବନ ଜିଇଁବା କେତେ କଷ୍ଟକର ଥିଲା, ତାହା ଉଦ୍ଧାର ପାଇଥିବା ଶ୍ରମିକଙ୍କ ଅଭିଜ୍ଞତାରୁ ଅନୁମାନ କରିହେବ । ସୁଡ଼ଙ୍ଗର ଏକ ସ୍ଥାନରେ ଝରୁଥିବା ପାଣି ବୁନ୍ଦାରେ ଗାଧୋଉଥିଲେ ଶ୍ରମିକ । ଶୌଚ ପାଇଁ ସୁଡ଼ଙ୍ଗରେ ଗୋଟିଏ ନିଦ୍ଧିଷ୍ଟ ସ୍ଥାନକୁ ବାଛିଥିଲେ । ପ୍ରଥମ ୧୦ଦିନ କେବଳ ମୁଢ଼ି ଖାଇ ରହିଥିଲେ । ପରେ ଜଳଖିଆ, ଦିନ ଓ ରାତି ପାଇଁ ଭଳିକି ଭଳି ଖାଦ୍ୟ ପଠାଯାଇଥିଲା । ସୁଡ଼ଙ୍ଗ ବାହାରୁ ଖାଦ୍ୟ, ଔଷଧ, ବ୍ରସ ଏବଂ ତଉଲିଆ ପଠାଯାଇଥିଲା । ମାନସିକ ଅବସାଦରୁ ଦୂରେଇ ରଖିବା ପାଇଁ ସିନେମା ଓ ଗେମ ଭର୍ତ୍ତି ମୋବାଇଲ ପଠାଯାଇଥିଲା ।
ଉତ୍ତରକାଶୀ ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଯେଉଁ ଭଳି ଭାବରେ ଉଦ୍ଧାର କରାଗଲା, ହୁଏତ ତାହା ସବୁ ଦିନ ପାଇଁ ମନେ ରହିବ । ସେହିପରି ସୁଡ଼ଙ୍ଗ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେବା କେତେ ଜୁୁରରୀ ତାହା ଶିଖାଇ ଦେଇଗଲା ଏହି ଟନେଲ୍ ଅଘଟଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/7pm-2-3.jpg)