ଷ୍ଟାଡିୟମରେ ମୃତଦେହ ଅଛି ବୋଲି କେମିତି ଜାଣିଲା ପୋଲିସ? ପୋଲିସକୁ ସୂଚନା ଦେଲା କିଏ?

1,590

କନକ ବ୍ୟୁରୋ: କଳାହାଣ୍ଡିର ଜଣେ ସ୍କୁଲ ଅଧ୍ୟକ୍ଷା ହଠାତ୍ ରାସ୍ତାରୁ ନିଖୋଜ୍ ହେବା ଏବଂ ଏହି ଘଟଣାରେ ଆଜି ମହାଲିଙ୍ଗ୍ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ଏହି ମାମଲାକୁ ଏବେ ଅଧିକ ରହସ୍ୟମୟ କରିଦେଇଛି । ପୋଲିସର ତଦନ୍ତ ଯେତେ ଯେତେ ଆଗକୁ ବଢୁଛି, ଲୋକଙ୍କ ମନରେ ସେତେ ଅଧିକ ପ୍ରଶ୍ନ ତିଆରି ହେଉଛି ।

ମମିତା ମେହେର ନିଖୋଜ ଘଟଣାରେ ଆଜି ସକାଳୁ ପୋଲିସ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରେ ହଠାତ୍ ଖୋଳାଖୋଳି ଆରମ୍ଭ କରିଥିଲା । ଯେଉଁଠୁ ଏବେ ଗୋଟିଏ ଗଳିତ ଶବ ଉଦ୍ଧାର ହୋଇଛି । ହେଲେ ଏହି ଶବ ଉଦ୍ଧାର ହେବା ସହିତ ଏବେ ସାଧାରଣରେ କେତେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି । ମମତାଙ୍କ ଜଣେ ସମ୍ପର୍କୀୟଙ୍କ କହିବା ମୁତାବକ, ଷ୍ଟାଡିୟମରେ ମୃତଦେହ ପୋତା ହୋଇଛି ବୋଲି ପୋଲିସ୍ କେମିତି ଜାଣିବାକୁ ପାଇଲା? ପୋଲିସକୁ ଏ ସମ୍ବନ୍ଧରେ କିଏ ସୂଚନା ଦେଲା? ମୃତଦେହ ପୋତା ଯାଇଥିବା ନିର୍ଦ୍ଧିଷ୍ଟ ସ୍ଥାନକୁ ପୋଲିସ କେମିତି ଜାଣିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଯାହା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ମମିତା ମେହେରଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି । ଅନ୍ୟପଟେ ଆଜି ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ଏକ ସୁନା ଚେନ ଓ ପାଉଁଜିକୁ ଜବତ କରିଛି ପୋଲିସ । ତେବେ ଏହି ମୃତଦେହ କାହାର ସେନେଇ ଏପର୍ଯ୍ୟନ୍ତ ପୋଲିସ କୌଣସି ସୂଚନା ଦେଇନି ।