ମାଟି ତଳେ ମମିତାଙ୍କ ମୃତଦେହ ସମ୍ପର୍କରେ ପୁଲିସ ଜାଣିଲା କେମିତି ?

332

କନକ ବ୍ୟୁରୋ : ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ମାମଲାରୁ ରହସ୍ୟ ହଟାଇ ପୋଲିସ କହିଛି ଗୋବିନ୍ଦଙ୍କ ଅନୈତିକ କାରନାମାର ପ୍ରମାଣ ମମିତା ହାତରେ ଲାଗି ଯିବାରୁ ତାଙ୍କୁ ରାସ୍ତା ହଟାଇ ଦିଆଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ତେବେ ଏଠି ପ୍ରଶ୍ନ ଉଠୁଛି ମାଟି ତଳେ ମମିତାଙ୍କ ମୃତ ଦେହ ପୋତା ଯାଇଥିବା କେମିତି ଜାଣିଲା ପୋଲିସ ?

ଖବର ଅନୁସାରେ ସ୍କୁଲର ୱାଚ୍ ମ୍ୟାନଙ୍କୁ ଜେରା ବେଳେ ପୋଲିସ ହାତରେ ଲାଗିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୱାଚମ୍ୟାନ୍ କହିଥିଲେ, ରାତିରେ ଲାଇଟ୍ ଲଗାଇ ଷ୍ଟାଡିୟମ୍ ଖୋଳଯାଇଥିଲା । ଷ୍ଟାଡିୟମ୍ ଖୋଳଯାଉଥିବା ସେ ଦେଖିଥିବା ପୋଲିସ ଆଗରେ କହିଥିଲା । ଏହା ପରେ ପୋଲିସ ସନ୍ଦେହ କରି ସେହି ସ୍ଥାନକୁ ଖୋଳିଥିଲା । ପୁଲିସ ଗୋବିନ୍ଦ ସହ ସବୁ ସମୟରେ ସବୁ କାମ କରୁଥିବା ତାର ଡ୍ରାଇଭର ପୁଷ୍କର, ରାଧେକୁ ଆଣି ପଚରାଉଚୁରା ଚଳାଇଛି । ଏହା ସହ ହାଇସ୍କୁଲ ମିନି ଷ୍ଟାଡିୟମର ଜଗାରଖା କରୁଥିବା ମୁନସିକୁ ବି ପଚରାଉଚୁରା କରୁଛି । ଜଣେ ଡ୍ରାଇଭର ଅଟକ ଥିବା ସୂଚନା ଦେଇଥିବା ବେଳେ ଅନ୍ୟ ଦୁଇ ଜଣକୁ ବି ଚାଲିଛି ପଚରାଉଚୁରା । ଡିଆଇଜି ନିଜ ତତ୍ତ୍ୱାବଧାନରେ ସବୁର ତଦନ୍ତକୁ ଆଗେଇଛନ୍ତି ।

ତେବେ ଡିଆଇଜିଙ୍କ ପ୍ରେସ୍‌ମିଟ୍‌ରେ ଛାତ୍ରୀ ନା ଅନ୍ୟ କାହା ସହ ଅନୈତିକ ସଂପର୍କ ଥିଲା କହିନଥିଲେ ବି ଏବେ ଚାରିଆଡ଼େ ଚର୍ଚ୍ଚା କଲେଜ ଛାତ୍ରୀଙ୍କ ସହ ଅନୈତିକ ସଂପର୍କର କାହାଣୀ । ଆଇଜି କହିଥିଲେ ପ୍ରିପ୍ଲାନ ମର୍ଡର। ହେଲେ କଣପାଇଁ ଥିଲା ପ୍ରିପ୍ଲାନ ? କିଏ କିଏ ମିଶି ପ୍ଲାନ୍‌ କରିଥିଲେ ? ପ୍ଲାନିଂରେ ବଡ଼ବଡ଼ିଆଙ୍କ ସଂପୃକ୍ତି ନାହିଁ ତ ? ପ୍ରିପ୍ଲାନ ମର୍ଡରରେ ଷଡ଼୍‌ଯନ୍ତ୍ରର ରଚୟିତା କିଏ ? ଏସବୁର ପ୍ରଶ୍ନ ଡିଆଇଜିଙ୍କୁ ପଚାରିବାରୁ ସେ ଅଭିଯୋଗ ଭିତ୍ତିରେ ତଦନ୍ତ ଚାଲିଛି । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ତାକୁ ରିମାଣ୍ଡରେ ଆଣି ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ କରାଯିବ । ସାଇଣ୍ଟିଫିକ ଓ ଟେକନିକାଲ ଏଭିଡେନ୍ସ ସଂଗ୍ରହ କରାଯିବ । ତଦନ୍ତ ଚାଲୁଥିବାରୁ ଏବେ କଣ ସବୁ ପୁଲିସ ପାଇଛି କଣ ନାହିଁ ତା ବିଷୟରେ ସବିଶେଷ ସୂଚନା ଦେଇହେବନି ବୋଲି କହିଥିଲେ । ତେବେ ରାଜନୈତିକ ସଂପୃକ୍ତିର ଅଭିଯୋଗ ଉପରେ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ ।

ସେପଟେ, ସ୍କୁଲ ଓ କଲେଜ ପ୍ରତିଷ୍ଠାତା ଗୋବିନ୍ଦ ସାହୁ । ମଣିଷ ତିଆରି କାରଖାନାର ପ୍ରତିଷ୍ଠାତା ସଭାପତି । ଶହ ଶହ ପିଲାଙ୍କ ଭରସା ଥିଲା । କିନ୍ତୁ ଅମୃତଭାଣ୍ଡରେ ବିଷ ଥିଲା ଗୋବିନ୍ଦ । ନାଁ ଗୋବିନ୍ଦ ହେଲେ ବି କାମ ଜହ୍ଲାଦ ! ନିଜ ଯୌନ କେଳେଙ୍କାରୀ ପ୍ରଘଟ ହେବା ଭୟରେ ମମିତାଙ୍କୁ ରାସ୍ତାରୁ ହଟାଇଦେଲା । ସଭାପତିରୁ ଜହ୍ଲାଦ ପାଲଟିଲା ଗୋବିନ୍ଦ । କାର୍‌ ହିଁ ମର୍ଡର୍‌ ସ୍ପଟ୍‌ । ଏକଥାକୁ ସ୍ପଷ୍ଟ କରିଛନ୍ତି ଡିଆଇଜି । ୱାଗନର କାର୍‌ ଥିଲା ଗୋବିନ୍ଦ ସାହୁର । ଚାନ୍ଦୋତରାରୁ ପିକ୍‌ଅପ୍‌ କରି ଭବାନୀପାଟଣାକୁ ବୁଲାଇବାକୁ ନେଇଥିଲା । ସେଠାରେ ଦୋକାନରେ ସାମଗ୍ରୀ କିଣାକିଣି କରିଥିଲା । ଏହାପରେ ନିଜ କଲେଜ ତଥା ସ୍କୁଲ ଅଭିମୁଖେ ଗୋବିନ୍ଦ ବାହାରିଥିଲା । କାର୍‌ରେ ଗୋବିନ୍ଦ ଓ ମମିତା ଦୁଇଜଣ ଥିବା ପୁଲିସ ପ୍ରମାଣ ପାଇସାରିଥିବା ସେ କହିଥିଲେ । କେଗାଁ ମହାଲିଙ୍ଗ ଫେରିବା ରାସ୍ତାରେ ହିଁ ଉଚ୍ଚବାଚ ହୋଇଥିଲା । ମମିତାଙ୍କୁ ରାସ୍ତାରେ ହିଁ କାର୍‌ ଭିତରେ ମର୍ଡର୍‌ କରାଯାଇଥିଲା ବୋଲି ଡିଆଇଜି କହିଛନ୍ତି । ତେବେ ତଣ୍ଟିଚିପି ମାରିଲା ନା ଅନ୍ୟ କେମିତି ମାରିଲା ସେହି ତଦନ୍ତ ଚାଲିଛି ବୋଲି କହିଥିଲେ । କାର୍‌କୁ ଦେଖିଲେ ପଛପଟ ସିଟ ଫାଟିଯାଇଛି । ଯାହା ଲାଗୁଛି ମମିତା ଛଟପଟ ହୋଇ ସିଟ କଭରକୁ ଜାବୁଡ଼ି ଧରିଥିଲେ । ଫଳରେ ତାହା ଚିରିଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ କାର୍‌ ଭିତରେ ଚକୋଲେଟ ସହ ଆଉ କିଛି ସାମଗ୍ରୀ ରହିଛି ।

ସେହିପରି ମହାଲିଙ୍ଗ ସ୍କୁଲ ଓ କଲେଜରେ ଶହଶହ ଛାତ୍ରଛାତ୍ରୀ ପାଠପଢୁଥିଲେ । ଛାତ୍ରମାନଙ୍କ ପାଇଁ କଡ଼ାକଡ଼ି ନିୟମ ଥିଲା । କେହି ଛାତ୍ରୀଙ୍କ ସହ କଥା ହୋଇପାରିବେ ନାହିଁ । ଯିଏ କଥା ହେଲେ ଟିସି କାଟି ଦିଆଯାଉଥିଲା । ଫଳରେ ଛାତ୍ରୀମାନଙ୍କ ସହ କେହି ଛାତ୍ର କଥା ହେଉନଥିଲେ । ନିଜ ଭଉଣୀ ଅନ୍ୟ କ୍ଲାସ୍‌ରେ କାହାର ପାଠପଢୁଥିଲେ ବି ସେ କ୍ୟାମ୍ପସରେ ତା ସହ କଥା ହୋଇପାରୁନଥିଲା । ଏପଟେ ନିଜେ ମାଲିକ ଗୋବିନ୍ଦ ସାହୁ ଅଏସ୍‌ କରିବାର ନିଶାରେ ମସଗୁଲ ଥିଲେ । ଯାହାର ଖୁଲାସା ହେବା ପରେ କଲେଜରେ ପଢୁଥିବା ଛାତ୍ରମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । କାଳେ କେହି ଛାତ୍ରୀ କଣ ରହସ୍ୟ ଲିକ୍‌ କରିଦେବ ସେହି ଭୟରେ ସେ କଥା ହେବାକୁ ମନା କରୁଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।