କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ ? ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି ?

280

କନକ ବ୍ୟୁରୋ: କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ । ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି । ଏହା ର ସଠିକ ତଥ୍ୟ ରଖିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆନ୍ଧ୍ର ସୀମାରେ ଥିବା ସାପ୍ତାହିକ ହାଟକୁ ଯାଇ ସଂକ୍ରମଣ ର ଶିକାର ହୋଇଥିଲେ ବଣ୍ଡା ଜନଜାତି । ତେବେ କରୋନା ପାଇଁ ଘାଟି ର ତଳିଆ ଅଂଚଳର ସାପ୍ତାହିକ ହାଟ ବନ୍ଦ ଥିବା ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନକାଡେଲି ସାପ୍ତାହିକ ହାଟକୁ ନିର୍ଭର କରିଥିଲେ ଘାଟି ମଣିଷ ।

ବଣ୍ଡାଘାଟିକୁ ସ୍ପର୍ଶ କରିଛି କରୋନା । ପ୍ରଥମ ଲହରରେ ଘାଟି ବାସିନ୍ଦାଙ୍କୁ ଛୁଇଁପାରିନଥିଲା ମହାମାରି କିନ୍ତୁ ଦ୍ୱିତୀୟ ଲହର ବେଳେ ଆକ୍ରାନ୍ତ ହୋଇଛନ୍ତି ବଣ୍ଡା ଘାଟି ର ଅଧିବାସୀ । କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ । କିଛି ଦିନ ତଳେ ଦ୍ୱିତୀୟ ପଯ୍ୟାୟରେ ଲକଡାଉନ ଆରମ୍ଭ ହେବା ସମୟରେ ବନ୍ଦ ହୋଇପଡିଥିଲା ଘାଟି ସହ ବଣ୍ଡାଙ୍କ ସମସ୍ତ ସାପ୍ତାହିକ ହାଟ । ମାଲକାନଗିରି ଜିଲ୍ଲା ଖଇରପୁଟ ର ମୁଣ୍ଡିଗୁଡା , ଆମିଳିପୁଟ ଓ ଗୋବିନ୍ଦପାଲି ହାଟ ବନ୍ଦ ହେବା ପରେ ଏକପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ବଣ୍ଡା ଅଧିବାସୀ । ତେବେ ସେମାନେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତଥା ଆନ୍ଧ୍ର ସୀମାରେ ଥିବା ଅନକାଡେଲି ସାପ୍ତାହିକ ହାଟ ଉପରେ ନିର୍ଭର କରିଥିଲେ ।

ସାଧାରଣ ବଣ୍ଡା ସମ୍ପ୍ରଦାୟର ଲୋକେ ଅଦଳ ବଦଳ ପ୍ରଥା ଉପରେ ବିଶ୍ୱାସ କରନ୍ତି । ହିସାବ ନିକାଶ କଣ ଏମାନେ ଆଜି ବି ଜାଣନ୍ତି ନାହିଁ । ତେଣୁ ସାପ୍ତାହିକ ହାଟକୁ ପନିପରିବା ସହ ସୁଆ, ବିରି, ମାଣ୍ଡିଆ , କୋଳଥ ଆଦି ଜଂଗଲଜାତ ଦ୍ରବ୍ୟ ଅଦଳବଦଳ କରି ଆଳୁ ପିଆଜ ସହ ତେଜରାତି ସାମଗ୍ରୀ ଘରୁ କୁ ଆଣନ୍ତି । ଆଉ ସପ୍ତାହ କୁ ଥରେ ବଣ୍ଡା ମହିଳା ମାନେ ହାଟ ରୁ ଯାଇ ସାମଗ୍ରୀ ବଦଳାଇ ଆଣି ପରିବାର ପ୍ରତିପୋଷଣ କରନ୍ତି । ଆଉ ନିଜ ହାଟ ବନ୍ଦ ହୋଇ ଥିବାରୁ ଅନକାଡେଲି ସାପ୍ତାହିକ ହାଟକୁ ଯାଇ ଆନ୍ଧ୍ର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ ବଣ୍ଡା ଜନଜାତୀ ର ଲୋକେ ।

ଆଉ ପ୍ରଥମ ଥର କରି ସକ୍ରମଣର ଶିକାର ହୋଇଥିଲେ ବଣ୍ଡାଘାଟିର ୧୨ ଅଧିବାସୀ । ସେମାନଙ୍କ ମଧ୍ୟରେ ମୁଦୁଲିପଡା ପଂଚାୟତରେ ୨ ଏବଂ ଅଣ୍ଡ୍ରାହାଲ ପଂଚାୟତରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ବ୍ୟାପକ ସଚେତନତା ପରେ ବି କରୋନା ର କୈଣସି ନିୟମ ମାନିନଥିଲେ ଏମାନେ । ପ୍ରଶାସନ ପକ୍ଷରୁ କନଟେନମେଂଟ ଜୋନ ଘୋଷଣା କରି ବଡବେଲ ଗାଁ ନିକଟ ଓ ଅନକାଡେଲି ରାସ୍ତାକୁ ବାଡ ବାନ୍ଧି ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । ହେଲେ ଏହାକୁ ଭାଙ୍ଗି ଦେଇ ଥିଲେ ଘାଟି ମଣିଷ । ଆଉ ଏବେ ପନିପରିବା ସହ ହାଟ ର ବିଭିନ୍ନ ସାମଗ୍ରୀ କୁ ମୁଦୁଲିପଡା ଠାରେ ଉପଲବ୍ଧ କରାଉଛି ଜିଲ୍ଲା ପ୍ରଶାସନ ।