କେମିତି ବିସ୍ଫୋରଣରେ ଉଡିଲା ବଳଙ୍ଗା ଥାନା ? ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି

323

କନକ ବ୍ୟୁରୋ : ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ନରସିଂହ ଭୋଳ କହିଛନ୍ତି, ଥାନାରେ କୌଣସି କେସ୍ ସଂକ୍ରାନ୍ତରେ କିଛି ବିସ୍ଫୋରକ ମାଲଖାନାରେ ରଖାଯାଇଥିଲା । ଗତକାଲି ରାତି ପ୍ରାୟ ୧୨ଟା ୧୫ରେ ଏହା ବିସ୍ଫୋରଣ ହୋଇଛି । ଫଳରେ ଥାନାର ଛାତ ଓ କାନ୍ଥ ନଷ୍ଟ ହୋଇଛି । ସୌଭାଗ୍ୟରୁ କୌଣସି ପୁଲିସ କର୍ମଚାରୀଙ୍କର କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରୁଛନ୍ତି । ତନ ତନ କରି ପରୀକ୍ଷା କରିବା ପରେ କେଉଁ ଅଧିକାରୀ ଏଥିପାଇଁ ଦାୟୀ ଜଣାପଡ଼ିବ । ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

ସେପଟେ, ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯଦି ରକ୍ଷକ ସୁରକ୍ଷିତ ନୁହଁନ୍ତି ତେବେ ଲୋକେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନ ସମୟରେ ଏପରି ହେବା ତଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସମୟରେ ଆଇନଶୃଂଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପିପିଲିର ଅନେକ ଅଂଚଳ ବଳଙ୍ଗା ଥାନା ଅଧିନରେ ଆସୁଛି । ଏସଡ଼ିପିଓ ମଧ୍ୟ ପିପିଲି ଅଂଚଳର । ଅନ୍ୟପଟେ ପିପିଲିରେ ଅନେକ ବର୍ଷ ହେବ ଗ୍ୟାଙ୍ଗୱାର ହେଉଥିବା ସେ କହିଛନ୍ତି । ଯଦି ବାଣ ଥିଲା କେତେ ଦିନ ଯାଏ ରହିପାରିବ ଏବଂ ଏହା ନିଷ୍କ୍ରିୟ କାହିଁକି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।