କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ବୈଶାଳୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଓୟୋ ହୋଟେଲରେ ସେଇ କାଳରାତିରେ କଣ ଘଟିଥିଲା, ତାହା ଜଣାପଡ଼ୁନାହିଁ । ପୁରୀ ଯିବାକୁ କହି ଘରୁ ବାହାରିଥିଲେ ଓ ଫେରିଆସିବେ ବୋଲି ଫୋନ୍ରେ କହିଥିଲେ । କିନ୍ତୁ ଏକ ଘଂଟା ଭିତରେ ଏମିତି କଣ ଘଟିଲା ଯେ, ବୈଶାଳୀଙ୍କ ମୃତ୍ୟୁ ଘଟିଲା । ବୈଶାଳୀଙ୍କ ହାର୍ଟବିଟ୍ ବନ୍ଦ ହୋଇ ଯାଇଥିବା ନେଇ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ ସଂକେତ । ଘର ଲୋକ ବ୍ରହ୍ମପୁର ଏମକେସିଜି ହପ୍ପିଟାଲରେ ପହଁଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା ।

Advertisment

ବୈଶାଳୀ ପାଣ୍ଡେ
ବୟସ ୨୬ ବର୍ଷ
ପୁରୀ ଚନ୍ଦନପୁର ଥାନା ବୀରବଳଭଦ୍ରପୁର ଗାଁରେ ବୈଶାଳୀଙ୍କ ଘର । ସାଙ୍ଗର ଜନ୍ମଦିନ ପାଳନ ପାଇଁ ପୁରୀ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ । ହେଲେ ବ୍ରହ୍ମପୁର ଉପକଂଠ ଗୋଳନ୍ଥରା ଅଂଚଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି । ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।

ଜାନୁଆରୀ ୧୨ ତାରିଖ
ସକାଳ ପ୍ରାୟ ସାଢ଼େ ୧୦ଟା
ଅଙ୍ଗନାବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ବୈଶାଳୀ ପୁରୀ ଅଭିମୁଖେ ବାହାରିଥିଲେ । ପରିବାର ଦେଇଥିବା ଏଫଆଇଆର୍ ଅନୁସାରେ ବାଟରୁ ତାଙ୍କୁ ସଂକେତ ସେନାପତି ନାମକ ଜଣେ ଯୁବକ ନିଜ କାରରେ ବସାଇ ବ୍ରହ୍ମପୁର ନେଇ ଯାଇଥିଲେ । ଏପଟେ ବ୍ରହ୍ମପୁର ପୁଲିସ କହିଛି, ସଂଧ୍ୟା ପ୍ରାୟ ୫ ଟା ବେଳେ ହଳଦିଆପଦରଠାରେ ଥିବା ନିର୍ମାଲ୍ୟ ପ୍ଲାଜା ନାମକ ଓୟ ହୋଟେଲକୁ ଯାଇଥିଲେ ବୈଶାଳୀ ଓ ସଂକେତ । ବ୍ରହ୍ମପୁର ଏସପି କହିଛନ୍ତି, ସୋସିଆଲ ମିଡିଆରେ ପରିଚୟ ହେବା ପରେ ଦୁହିଁଙ୍କ ମଧ୍ୟରେ ବର୍ଷେ ହେବ ସଂପର୍କ ଗଢି ଉଠିଥିଲା ।

ରାତି ୯ଟା ୧୫
ଆସନ୍ତାକାଲି ଘରକୁ ଯିବେ ବୋଲି ଘରକୁ ଫୋନ କରି କହିଥିଲେ ବୈଶାଳୀ । କିନ୍ତୁ ଏହାର ୧ ଘଂଟା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।
ରାତି ପ୍ରାୟ ସାଢ଼େ ୧୦ଟା
ବୈଶାଳୀଙ୍କ ହାର୍ଟବିଟ୍ ବନ୍ଦ ହୋଇ ଯାଇଥିବା ନେଇ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ ସଂକେତ । ଘର ଲୋକ ବ୍ରହ୍ମପୁର ଏମକେସିଜି ହପ୍ପିଟାଲରେ ପହଁଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ବୈଶାଳୀଙ୍କ ଏପରି ସଂଦେହଜନକ ଅବସ୍ଥାରେ ମୃତ୍ୟୁ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗରିବ ପରିବାରର ଏକମାତ୍ର ସାହାରା ଥିଲେ ବୈଶାଳୀ ।

ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ, ବୈଶାଳୀଙ୍କୁ ପିଟି ପିଟି ସଂକେତ ସେନାପତି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସଂକେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ । ଜେକେ ଟୟାରରେ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଗୋଳନ୍ଥରା ଥାନାରେ ତାଙ୍କୁ ଅଟକ ରଖି ପଚାରା ଉଚରା କରୁଛି ପୁଲିସ । ବୈଶାଳୀ ଜଣେ ଭଲ ଝିଅ, ପରିବାର ସବୁ ଦାୟିତ୍ୱ ତୁଲାନ୍ତି ବୋଲି ଗାଁ ଲୋକ କହୁଥିବା ବେଳେ କେମିତି ବୈଶାଳୀଙ୍କ ମୃତ୍ୟୁ ହେଲା, ଏହା ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଅସୁସ୍ଥତାଜନିତ ମୃତ୍ୟୁ ନା’ ଯୋଜନାବଦ୍ଧ ହତ୍ୟାକାଣ୍ଡ?
ବୈଶାଳୀଙ୍କୁ କାହିଁକି ବ୍ରହ୍ମପୁର ନେଇଥିଲେ ସଂକେତ?
ହୋଟେଲ ରୁମରେ ଦୁହିଁଙ୍କ ଭିତରେ ହୋଇଥିଲା କି ବଚସା?
ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି ବ୍ରହ୍ମପୁର ପୁଲିସ ।