କଳିଙ୍ଗା ଘାଟିରୁ ଓହ୍ଲାଇବା ବେଳେ କେମିତି ହେଲା ଦୁର୍ଘଟଣା? ଡ୍ରାଇଭର କହିଲେ ଦୁର୍ଘଟଣା ପୂର୍ବରୁ ଘଟିଥିଲା କଣ?

317

କନକ ବ୍ୟୁରୋ: ବସ ଭିତରେ ବିଛାଡି ହୋଇ ପଡିଛି ଆସବାବ ପତ୍ର, କିଏ ମୁହଁ ମାଡି ପଡିଛି. କିଏ ବସ ସିଟ୍ ତଳେ ପଶି ଯାଇଛି । ବିଳମ୍ବିତ ରାତିରେ କଳିଙ୍ଗା ଘାଟି ତଳ ଦୁର୍ଗାପ୍ରସାଦ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ପଶ୍ଚିମବଙ୍ଗର ଟୁରିଷ୍ଟ ବସ । ଲୋକଙ୍କ ଆର୍ତ ଚିକ୍ରାର ଓ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ସ୍ଥାନୀୟ ଯୁବକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାମ ଆରମ୍ଭ କରିଥିବା ବେଳେ ପହଂଚିଥିଲେ ଅଗ୍ନିଶମ ବାହିନୀ ।

କଳିଙ୍ଗା ଘାଟିରୁ ବସଟି ପ୍ରାୟ ଓହ୍ଲାଇଯିବା ପରେ ଏକ ତୀଖଣ ବୁଲାଣି ରହିଛି । ସେହି ବୁଲାଣି ପାରି କରିଯାଇଥିଲା ବସ, କିନ୍ତୁ ହଠାତ୍ ଡ୍ରାଇଭର ଅନୁଭବ କଲେ ଯେ ବ୍ରେକ କାମ କରୁନାହିଁ । ଗଡାଣିରେ ଦ୍ରୁତ ବେଗରେ ଯାଉଥିବା ବସକୁ ନିୟନ୍ତ୍ରଣ କରିବାକୁ ଆପ୍ରାଣ ଉଦ୍ୟମ କଲେ, କିନ୍ତୁ ଜମା ବ୍ରେକ ଧରୁନଥାଏ । ଗାଡିକୁ ଡାଉନ ଗିୟର ମଧ୍ୟ କଲେ କିନ୍ତୁ ଦ୍ରୁତ ବେଗରେ ଥିବାରୁ ହଠାତ୍ କିଛି ପରିବର୍ତନ ଆସିଲା ନାହିଁ । ସେତେବେଳେ ସବୁ ଯାତ୍ରୀ ପ୍ରାୟ ଶୋଇ ଯାଇଥାନ୍ତି । ଆଉ ଏପଟେ ଡ୍ରାଇଭର ପୁରା ଡରିଯାଇଥାନ୍ତି । ଆଉ ଏସବୁ ଭିତରେ ଗାଡିଟି ସିଧା ଯାଇ ବିଦ୍ୟୁତ ଖୁଂଟରେ ବାଡେଇ ହୋଇଗଲା । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ଜଣ ଆହତ ହୋଇଛନ୍ତି ଆହତଙ୍କୁ ଭଂଜନଗର ଓ ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି ।

ଗଂଜାମରେ ପଶ୍ଚିମବଙ୍ଗର ପର୍ଯ୍ୟଟନ ବସ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ଶୀଘ୍ର ପୋଷ୍ଟ ମର୍ଟମ ଓ ଆହତଙ୍କ ଚିକିତ୍ସା ପାଇଁ ଓଡିଶା ସରକାରଙ୍କ ସହ ଯୋଗାଯୋଗରେ ଥିବା ମମତା ଟୁଇଟ୍ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।