ନୀତିଶଙ୍କୁ କ୍ଷମତାଚ୍ୟୁତ କରିବାକୁ ହେଇଥିଲା ରଣନୀତି । ହେଲେ ବାଚସ୍ପତି ବଦଳିବା ପରେ ପଲଟିଗଲା ବାଜି । ପଢନ୍ତୁ, କେମିତି ଫ୍ଲୋରଟେଷ୍ଟ ପାସ୍ କଲେ ନୀତିଶ?

858

କନକ ବ୍ୟୁରୋ: ବିହାରରେ ନୀତିଶ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଏନଡିଏ ମେଣ୍ଟକୁ ୧୨୯ ଭୋଟ୍ ମିଳିଥିବାବେଳେ, ଫ୍ଲୋରଟେଷ୍ଟ ପୂର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରିଛନ୍ତି । ହେଲେ ଏନଡିଏ ମେଣ୍ଟର ସଂଖ୍ୟା ବିଗାଡିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ ତେଜସ୍ୱୀ ଯାଦବ । ଅପରେସନ ଲଣ୍ଠନ ଜରିଆରେ ନୀତିଶ କୁମାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ହୋଇଥିଲା ରଣନୀତି ।

  • କେମିତି ଫ୍ଲୋରଟେଷ୍ଟ ପାସ୍ କଲେ ନୀତୀଶ?
  • ବାଚସ୍ପତି ବଦଳିବା ପରେ ପଲଟିଗଲା ବାଜି!

ଏନଡିଏର ୮ ବିଧାୟକଙ୍କୁ ନିଜ ପଟକୁ ଆଣି ନୀତିଶ କୁମାର ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରିବା ପାଇଁ ସବୁ ଯୋଜନା କରିଥିଲା ଆରଜେଡି । ଏଥିରେ ପ୍ରମୁଖ ଭୂମିକା ନେଇଥାନ୍ତେ ବାଚସ୍ପତି ଅବଧ ବିହାରୀ ଚୌଧୁରୀ । ହେଲେ ବିରୋଧୀ ପକ୍ଷର ସବୁ ଯୋଜନାକୁ ଆଗୁଆ ଜାଣିପାରିଥିଲେ ନୀତିଶ କୁମାର । ତେଣୁ ସରକାର ବଞ୍ଚାଇବାକୁ ଆରମ୍ଭ ହେଲା ଅପରେସନ୍ ।

  • ପ୍ରଥମେ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ
  • ସେତେବେଳକୁ ଗୃହରେ ଅନୁପସ୍ଥିତ ଥିଲେ ଏନଡିଏର ୮ ବିଧାୟକ
  • ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା କାଟ୍ ଖାଇଥିଲେ ଆରମ୍ଭ ହୋଇଥାନ୍ତା ଖେଳ
  • ହେଲେ ଆରଜେଡିର ୩ ବିଧାୟକଙ୍କୁ ନିଜ ପଟକୁ ନେଇଆସିଲେ ନୀତିଶ କୁମାର
  • ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ୧୨୫ ଭୋଟରେ ଅନାସ୍ଥା ପ୍ରସ୍ତାବ ପାସ୍ ହେଲା
  • ଏହାରି ଭିତରେ ଏନଡିଏର ଅନୁପସ୍ଥିତ ୪ ବିଧାୟକ ବି ଗୃହକୁ ଫେରିଆସିଥିଲେ
  • ୩ ଆରଜେଡି ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଫ୍ଲୋରଟେଷ୍ଟ ପାସ କଲେ ନୀତିଶ
  • ସରକାରଙ୍କ ସପକ୍ଷରେ ୧୨୯ ଭୋଟ୍ ପଡି଼ଥିବାବେଳେ, ବିରୋଧୀ କକ୍ଷ୍ୟତ୍ୟାଗ କରିଥିଲେ

ତେବେ ଏନଡିଏର ୮ ବିଧାୟକଙ୍କୁ ସାଙ୍ଗରେ ନେଇ ପୁରା ଖେଳ ବିଗାଡିବାକୁ ଷଡ଼ଯନ୍ତ୍ର କରିଥିଲା ଆରଜେଡି । ଏମାନଙ୍କ ଭିତରେ ଥିଲେ ଜେଡିୟୁର ୫ ଓ ବିଜେପିର ୩ ବିଧାୟକ । କିନ୍ତୁ ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ପାରିତ ହେବା କ୍ଷଣି ଆରଜେଡିର ଗଣିତ ବିଗିଡି ଯାଇଥିଲା ।