ରାଜନୀତିରେ କେମିତି ପ୍ରବେଶ କଲେ ନବୀନ? କେମିତି ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ?

297

କନକ ବ୍ୟୁରୋ: ରାଜନୀତିରେ ନବୀନଙ୍କ ପ୍ରବେଶ ଯେମିତି ଆକସ୍କିକ ଥିଲା, ସେମିତି ଥିଲା ଅପ୍ରତ୍ୟାଶିତ । ସେତେବେଳର ରାଜନୈତିକ ଦୃଶ୍ୟପଟ୍ଟରେ ନବୀନ ଥିଲେ ଅଜଣା । ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ ପଟ୍ଟନାୟକ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି ।

୧୯୯୭ ଏପ୍ରିଲ ୧୭ ତାରିଖରେ ପରପାରିକୁ ଚାଲିଗଲେ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ, ଯାହାଙ୍କୁ ଏପର୍ଯ୍ୟନ୍ତ ଚାଲେଞ୍ଜ ଦେଇ ହୋଇନାହିଁ । ୧୯୯୭ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁ ଶୁଣିଥିଲେ ଓଡ଼ିଶାର ହାତ ଗଣତି ଲୋକ । ସବୁଠୁ ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜନୀତିଠାରୁ ବେଶ ଦୂରରେ ଥିଲେ ନବୀନ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂରା ବଦଳି ଯାଇଥିଲା ନବୀନଙ୍କ ଜୀବନ ।

ହୁଏତ ସେତେବେଳେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ, ନବୀନଙ୍କୁ ମୋହରା କରି ଅନୁକମ୍ପା ସାଉଁଟି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଆରମ୍ଭ କଲେ ନିଜର ରାଜନୈତିକ ଅଭିଯାନ । ରାଜନୀତିକୁ ପ୍ରବେଶ କରିବାର କିଛି ମାସ ମଧ୍ୟରେ ଗଢା ହେଲା ବିଜେଡି । ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ।

୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜ ମୁକୁଟ । ଏହା ପୂର୍ବରୁ ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ରାସ୍ତାରୁ ହଟାଇ ସାରିଥିଲେ ନବୀନ । ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦେଇଥିଲେ ସେ । ବିରୋଧୀଙ୍କ ମୁହଁ ଉପରେ ଦୁର୍ନୀତିର କଳାଚାଦର ଢାଙ୍କି ଦେଇ ନବୀନ ନିର୍ମାଣ କଲେ ନିଜର ସ୍ୱଚ୍ଛ ଭାବମୂର୍ତି । ଏହା ସହ ବଢିଚାଲିଲା ତାଙ୍କର ଲୋକପ୍ରିୟତା ।