ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା? ଏହା ପଛରେ କିଛି ଷଡଯନ୍ତ୍ର ହେଉନି ତ?: ମୋଦୀ

ବିଜେପି ସରକାର ଆସିଲେ ଗଠନ କରିବ ଯାଞ୍ଚ କମିଟି ।

1,111

କନକ ବ୍ୟୁରୋ: ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି । ପ୍ରଶ୍ନ ଉଠୁଛି, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଷଡଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି । ଏହା ଉପରୁ ପରଦା ହଟିବା ଆବଶ୍ୟକ । ଏହାର ଯାଞ୍ଚ ହେବା ଆବଶ୍ୟକ । ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ ହେଲା ତାହାର ଯାଞ୍ଚ କରିବାକୁ କମିଟି ଗଠନ କରିବୁ ।

ବୁଧବାର ମୟୂରଭଞ୍ଜ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରୁ ଏଭଳି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରସଙ୍ଗ ଉଠାଇବା ସହିତ ନବୀନଙ୍କ ଏପରି ଅଚାନକ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡଯନ୍ତ୍ର ଅଛି ବୋଲି ମୋଦୀ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ରାଜ୍ୟରେ ବିଜେପି ସରକାର ଆସିଲେ ଏହାର ଯାଞ୍ଚ କରିବାକୁ ଏକ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୋଦୀ ।

ତା ସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ବିଜେଡିର ୨୫ ବର୍ଷର ରାଜରେ ଫୁଲଷ୍ଟପ୍ ଲାଗିବାକୁ ଯାଉଛି । ଜୁନ୍ ୧୦ରେ ଓଡିଶାର ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଆଜି ପୂରା ଓଡିଶା କହୁଛି, ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଆ ହେବେ । ଓଡିଶା କହୁଛି ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ଓଡିଶାର କୋଣ କୋଣରୁ ଗୋଟିଏ ହିଁ କଥା ଶୁଣାଯାଉଛି, ଓଡିଶା ଲୋକ ଚାହାଁନ୍ତି ମୋଦୀ ଗ୍ୟାରେଣ୍ଟି ।

ତା ସହିତ ବିଜେଡି ସରକାର ସବୁଠୁ ବଡ ଧୋକା ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ନେଇ କରିଛି । ଆଜି ସାରା ଦେଶ ଜାଣିବାକୁ ଚାହୁଁଛି, ରତ୍ନ ଭଣ୍ଡାର ଚାବି ଗଲା କୁଆଡେ? ଯାଞ୍ଚ ରିପୋର୍ଟରେ କାହାର ନାଁ ଅଛି? ବିଜେଡି ସରକାର ଯାହା ବି ଲୁଚାଉଛି, ତାର ଖୁଲାସା ଓଡିଶାରେ ବିଜେପି ସରକାର ଆସିଲେ କରିବ ବୋଲି କହିଛନ୍ତି ମୋଦୀ ।