କାହିଁକି ବାତ୍ୟା ନାଁ ହେଲା ‘ଗୁଲାବ’? କିଏ ଦେଲା ଏପରି ନାମକରଣ, ପଢନ୍ତୁ…

432

କନକ ବ୍ୟୁରୋ: ଫାଇଲିନ, ତିତଲି, ଅମ୍ପନ ଆଉ ୟାସ୍ ପରେ ଏବେ ଗୁଲାବ । ଓଡିଶା ଉପରେ ପ୍ରଭାବ ପକାଇବାକୁ ଯାଉଛି ଆଉ ଏକ ବାତ୍ୟା । ଆଜି ମଧ୍ୟରାତ୍ରୀରେ ଏହି ବାତ୍ୟା ଗୋପାଳପୁର ଓ ଆନ୍ଧ୍ରପ୍ରଦେଶ ମଝିରେ  ଲ୍ୟାଣ୍ଡଫଲ କରିବ । ହେଲେ ଲ୍ୟାଣ୍ଡଫଲ ବେଳକୁ ଦକ୍ଷିଣ ଓଡିଶାର କିଛି ସ୍ଥାନର ପ୍ରଭାବ ପକାଇବାର ସମ୍ଭାବନା ରହିଛି । କେବେ ନା କେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସିଥିବ ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି । କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି । ତେବେ ଆସନ୍ତୁ ଆଜି ଜାଣିବା ବାତ୍ୟା ଗୁଡିକର ଏଭଳି ନାଁ ପଛର ରହସ୍ୟ ବିଷୟରେ ।

ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଗୁଲାବର ନାଁ ଏଥର ଦେଇଛି ପାକିସ୍ତାନ । ଓଡିଆରେ ଏହାର ଅର୍ଥ ହେଉଛି ଗୋଲାପ ଫୁଲ । ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଞ୍ଚକର ଅର୍ଥ ମଧ୍ୟ ରହିଥାଏ ।

କୁହାଯାଏ ଯେ ପୂର୍ବରୁ ବତ୍ୟାର କୌଣସି ନାମକରଣ ହେଉନଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାର କୌଣସି ନାମକରଣ ନଥିଲା । ତେଣୁ ୨୦୦୦ ମସିହାରେ ବାତ୍ୟା ନାମକରଣର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ।

ସେବେଠୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହାପରେ ୨୦୧୮ ମସିହାରେ ଇରାନ, କତର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରିଥାନ୍ତି ।

ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେହିଁ ବାତ୍ୟାର ନାମକରଣ କରିବ । ଯେମିତିକି ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ଓମାନ ଦେଇଥିଲା । ସେହି ଆଲଫାବେଟ ଅନୁସାରେ ବର୍ତ୍ତମାନ ବାତ୍ୟା ଗୁଲାବର ନାଁ ପାକିସ୍ତାନ ଦେଇଛି ।

ବର୍ତ୍ତମାନ ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୪୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମଠାରୁ ୧୯୦ କିଲୋମିଟର ଦୂରରେ ରହିଛି ବାତ୍ୟା। ୬ ଘଂଟା ହେବ ବାତ୍ୟା ୧୭ କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନ ଦେଇଛି । ରାତି ୯ଟାରୁ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଲ୍ୟାଣ୍ଡଫଲର ପ୍ରଭାବ ୬ଘଂଟା ଯାଏଁ ରହିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଏହାର ପ୍ରଭାବ ଗଜପତି ଓ ଗଂଜାମ ଉପରେ ଅଧିକ ରହିବ ।