ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ । ୭୫ କଏଦୀ ମୃତ, ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ୨୯ ମହିଳା

6,083

କନକ ବ୍ୟୁରୋ : ଜେଲ ଭିତରେ ବିଭିନ୍ନ କାରଣକୁ ନେଇ କଏଦୀ ମାନଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥାଏ । କେହି କେହି ଆହତ ହୋଇଥାନ୍ତି, ହେଲେ କେହି ମରିବା ଏକ ବିରଳ ଘଟଣା । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ବିରଳରୁ ବିରଳ । କାରଣ ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ଲାଗି ଏକାବେଳେକେ ୭୫ ଜଣ କଏଦୀଙ୍କ ଜୀବନ ଯାଇଛି । ଯାହା ମଧ୍ୟରେ ରହିଛନ୍ତି ୨୯ ଜଣ ମହିଳା ।

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଇକ୍ୱେଡର କାରାଗାରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଲାଗି ୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କଏଦୀ ଗୁରୁତର ହୋଇଛନ୍ତି । ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ମାନଙ୍କରେ ଥିବା କାରାଗାର ଗୁଡିକରେ ଆବଶ୍ୟକତା ଠାରୁ ବହୁ ଅଧିକ କଏଦୀ ରହିଥା’ନ୍ତି । ଫଳରେ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ ସବୁବେଳେ ସଂଘର୍ଷ ଘଟିଥାଏ ।
ମଙ୍ଗଳବାର ଦିନ ପଶ୍ଚିମାଞ୍ଚଳ ବନ୍ଦରନଗରୀ ଗୁଆକ୍ୱିଲ ଠାରେ ଥିବା ତିନିଟି କାରାଗାରରେ କୌଣସି କାରଣକୁ ନେଇ କଏଦୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷ ଏତେ ଭୟାନକ ଥିଲା କି ଗୁଆକ୍ୱିଲ କାରାଗାରରେ ୨୧ କଏଦୀ, କୁଏନକା କାରାଗାରରେ ୩୩ ଓ ଲାଟାଚୁଙ୍ଗା କାରାଗାରରେ ୩୦ ଜଣ କଏଦୀ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ କଥା ପ୍ରାଣ ହରାଇଥିବା କଏଦୀ ମାନଙ୍କ ମଧ୍ୟରେ ୨୯ ଜଣ ମହିଳା ଥିବା ସୂଚନା ମିଳିଛି ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଲେନିନ ମୋରେନୋ ଗଭୀର ଦୁଖ ପ୍ରକାଶ କରିବା ସହ ଏହି ହିଂସାକାଣ୍ଡ ପଛରେ କିଛି ଅପରାଧିକ ସଂଗଠନର ଭୂମିକା ଥିବା କହିଛନ୍ତି । ଏହି ସଂଗଠନ ମାନେ କାରାଗାରରେ ବାରମ୍ବାର ହିଂସାକାଣ୍ଡକୁ ଉସୁକାଉଛନ୍ତି । ଏହାସହ ଏହି ସଂଗଠନ ମାନେ ବିଭିନ୍ନ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ଅଛନ୍ତି । ସେମାନେ କାରାଗାର ଭିତରେ ନିଶାଦ୍ରବ୍ୟ କାରବାର କରିଥା’ନ୍ତି । ଏହି କାରବାରକୁ ନେଇ ବିିଭିନ୍ନ ସମୟରେ ହିଂସାକାଣ୍ଡ ଦେଖା ଦେଇଥାଏ ।

ଏହି ମର୍ମନ୍ତୁଦ ଘଟଣା ପରେ ରାଷ୍ଟ୍ରପତି ହିଂସା ନିୟନ୍ତ୍ରଣ ପାଇଁ ସେନାକୁ ଦାୟିତ୍ୱ ଦେଇଛନ୍ତି । କହିରଖୁ କି ଇକ୍ୱେଡର ଦେଶରେ ପ୍ରାୟ ୬୦ ରୁ ଅଧିକ କାରାଗାର ରହିଛି । ଏହି କାରାଗାର ମଧ୍ୟରେ ୩୮ ହଜାର କଏଦୀ ରହୁଛନ୍ତି । ହେଲେ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀଙ୍କ ସଂଖ୍ୟା ମାତ୍ର ୧୫୦୦ । ଅନ୍ୟପଟେ କାରାଗାର ଗୁଡିକ ବେଆଇନ ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଖୋଲା ବଜାର ଭଳି ସେଠାରେ ଖୋଲମ ଖୋଲା ନିଶା ଦ୍ରବ୍ୟର କାରବାର ଚାଲିଛି । ଗତବର୍ଷ ବି ଏଭଳି ସଂଘର୍ଷ ଘଟି ୫୧ ଜଣ କଏଦୀଙ୍କର ପ୍ରାଣହାନୀ ଘଟିଥଲା । ଜେଲ ଭିତରେ ଏଭଳି ହିଂସା ପାଇଁ ନିଶା ଓ ନିଶାଦ୍ରବ୍ୟ କାରବାର ମୁଖ୍ୟତ ଦାୟି ବୋଲି ସେଠିକାର ଲୋକମାନେ ମତ ଦେଇଛନ୍ତି ।