ମେଣ୍ଟର ଭାବେ କଣ ରହିବ ଧୋନୀଙ୍କ ଭୂମିକା? ବିରାଟ ବାହିନୀକୁ ବିଶ୍ୱବିଜୟୀ ମନ୍ତ୍ର ଦେବେ କି ମାହି?

185

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେବା ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଟି-୨-୦ ମହାକୁମ୍ଭ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ । ଏହାସହ ୩ ଜଣଙ୍କୁ ଷ୍ଟାଣ୍ଡବାଇ ଖେଳାଳୀ ଭାବେ ରଖାଯାଇଛି । ଟି-୨୦ ବିଶ୍ୱକପ ପାଇଁ ଖେଳାଳିଙ୍କ ବ୍ୟତୀତ ଯେଉଁ ନାଁ ଘୋଷଣା ହୋଇଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ । ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ମେଣ୍ଟର ଦାୟିତ୍ୱ ଦିଆଯାଇଛି । ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଓ ରଣନୀତି ପ୍ରସ୍ତୁତ କରିବାରେ ମାହିର କୁହାଯାଉଥିବା ମାହିଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ । କ୍ୟାପ୍ଟେନ୍ କୁଲ ଭାବେ ସେ ବେଶ୍ ଜଣାଶୁଣା । ସୀମିତ ଓଭରରେ ଧୋନୀଙ୍କ ଅନୁଭବ ଓ ଅଭିଜ୍ଞତା ଅନେକ ରହିଛି । କଠିନ ସମୟରେ କେମିତି ଖେଳାଯିବ ଧୋନୀଙ୍କୁ ବେଶ୍ ଭଲ ଭାବେ ଜଣା । ଏପରିକି ଧୋନୀଙ୍କ ନେତୃତ୍ୱରେ ଆଇସିସିର ୩ଟି ଟୁର୍ଣ୍ଣାମେଣ୍ଟ ଜିତିଛି ଟିମ୍ ଇଣ୍ଡିଆ । ଅଧିନାୟକ ନଥିବା ବେଳେ ମଧ୍ୟ ପଡ଼ିଆରେ ବିରାଟ କୋହଲି କଠିନ ସମୟରେ ଧୋନୀଙ୍କ ମତ ନେଉଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ନେତୃତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ଧୋନୀଙ୍କୁ ମେଂଟର ଦାୟିତ୍ୱ ମିଳିବା ପରେ ଟିମ୍ ଇଣ୍ଡିଆ ୨୦୦୭ରେ କରିଥିବା କରିସ୍ମା ପୁଣି ଥରେ ୨୦୨୧ରେ କରିପାରେ ।

ଧୋନୀ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ମଧ୍ୟ ଏବେ ବି ଆଇପିଏଲ ଖେଳୁଛନ୍ତି । ଅଥାର୍ତ ଟି-୨୦ ଫର୍ମାଟରେ ଏବେ ବି ସକ୍ରିୟ ଅଛନ୍ତି ଧୋନୀ । ଯାହା ଭାରତ ପାଇଁ ବେଶ ଲାଭଦାୟକ ହୋଇପାରେ । କାରଣ ପୂର୍ବରୁ ଷ୍ଟମ୍ପ ପଛରେ ରହି ପୂରା ଟିମକୁ ସମ୍ଭାଳୁଥିବା ଧୋନୀ ଏବେ ପଡିଆ ବାହାରୁ ଦଳ ପାଇଁ ସଙ୍କଟମୋଚକ ସାଜିବେ । ଏହାଛଡା ବିରାଟଙ୍କ ନେତୃତ୍ୱରେ ଏଯାଏଁ ଭାରତ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନାହିଁ । ଯାହା ବିସିସିଆଇକୁ ବାଧ୍ୟ କରିଛି ଧୋନୀଙ୍କୁ ଭାରତୀୟ ଦଳରେ ମେଣ୍ଟର ଭାବେ ସାମିଲ କରିବାକୁ । ମେଣ୍ଟର ଭାବେ ସାମିଲ ହୋଇ ଧୋନୀ ଯେଉଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବେ ତାହା ଟିମ୍ ଇଣ୍ଡିଆର ବିଜୟର ସମ୍ଭାବନାକୁ ଆହୁରି ବଢାଇଦେବ ।

ଏହାଛଡା ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏପରିକି ବିସିସିଆଇ ପକ୍ଷରୁ ରବି ଶାସ୍ତ୍ରୀଙ୍କୁ ପୁଣିଥରେ କୋଚ୍ ଦାୟିତ୍ୱ ମିଳିବା ନେଇ କୌଣସି ସଂକେତ ମିଳିନାହିଁ । ଆଉ ଦୁଇବର୍ଷ ପରେ ବିଶ୍ୱକପ ରହିଛି । ତେଣୁ ଏଭଳିସ୍ଥିତିରେ ଦଳକୁ ଜଣେ ଅନୁଭବୀ ଓ ଅଭିଜ୍ଞ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି । ଆଉ ଧୋନୀ ହିଁ ଏହି ଭୂମିକା ପାଇଁ ବିସିସିଆଇର ପ୍ରଥମ ପସନ୍ଦ ପାଲଟିପାରେ । ଯେହେତୁ ଏବେ ଭାରତୀୟ ଦଳରେ ଖେଳୁଥିବା ଅଧିକାଂଶ ଖେଳାଳି ଧୋନୀଙ୍କ ସହ ପୂର୍ବରୁ ଖେଳି ସାରିଛନ୍ତି ତେଣୁ ଏହା ଦଳ ଭିତରେ ସମନ୍ୱୟ ରଖିବାକୁ ଯଥେଷ୍ଟ ସହାୟକ ହେବ ।

ମେଣ୍ଟର ଭାବେ ଧୋନୀଙ୍କର ସବୁଠୁ ବଡ ପ୍ରାଥମିକତା ହେବ ଦଳକୁ ଏକଜୁଟ କରିବା ଓ ଦଳର ମାନସିକ ଚାପକୁ ହାଲକା କରିବା । ଏପରିକି ନିର୍ଣ୍ଣୟ ନେବା ବେଳେ ମେଣ୍ଟରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ସହ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା । ଆଉ ଏହା ଧୋନୀଙ୍କ ଠାରୁ କିଏ ବା ଅଧିକ କରିପାରିବ । ଯେହେତୁ ଟିମରେ ଅଧିକାଂଶ ଯୁବ ପ୍ରତିଭା ଅଛନ୍ତି ଓ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବାର ସେତେଟା ଅଭିଜ୍ଞତା ନାହିଁ ତେଣୁ ଧୋନୀଙ୍କ ରଣକୌଶଳ ଉପରେ ସମସ୍ତଙ୍କର ନଜର ରହିବ ନିଶ୍ଚୟ ।