ପୁରୀ ସିଂହଦ୍ୱାରରେ ପତିତପାବନଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତାବ । ନାଗାର୍ଜୁନ ବେଶ କରି ସିଧାପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେଲେ ସେବାୟତ, କାର୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ଯୁକ୍ତି ।

429

କନକ ବ୍ୟୁରୋ : ସିଂହଦ୍ୱାରରେ ପୂଜା ପାଉଥିବା ପତିତପାବନଙ୍କର ହେବ ନାଗାର୍ଜ୍ଜୁନ ବେଶ । ଶ୍ରୀମନ୍ଦିର ଖୋଲୁ ନଥିବାରୁ କୋଟି କୋଟି ଜଗନ୍ନାଥ ପ୍ରେମୀ କିଭଳି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କରିପାରିବେ ସେଥିପାଇଁ ଅନଲାଇନ ବା ଲାଇଭ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । ତେବେ କାର୍ତିକ ମାସ ଶେଷ ପର୍ଯ୍ୟନ୍ତ ମନ୍ଦିର ନଖୋଲିବାକୁ ମତାମତ ଦେଇଛନ୍ତି ଅଧିକାଂଶ ସେବାୟତ ଓ ବୁଦ୍ଧିଜୀବୀ ।

ପତିତଜନଙ୍କ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ପୂଜା ପାଉଛନ୍ତି ପତିତପାବନ । ଯେଉଁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ସେମାନେ ପତିତପାବନଙ୍କ ଦର୍ଶନ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦଥିବାରୁ ପତିତପାବନଙ୍କୁ ଅବିକଳ ନାଗାର୍ଜ୍ଜୁନ ବେଶ କରି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । କହିଛନ୍ତି,
– ନଭେମ୍ବର ୨୭ରେ ମହାପ୍ରଭୁଙ୍କର ଦୁଲର୍ଭ ବେଶ ନାଗାର୍ଜ୍ଜୁନ ବେଶ ହେବ
– ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ପୂଜା ପାଉଥିବା ପତିତପାବନଙ୍କୁ ଅବିକଳ ନାଗାର୍ଜ୍ଜୁନ ବେଶ କରାଯାଉ
– ପତିତପାବନଙ୍କ ଏହି ନାଗାର୍ଜ୍ଜୁନ ବେଶକୁ ଲାଇଭ ବା ଅନଲାଇନରେ ଦର୍ଶନ ବ୍ୟବସ୍ଥା କରାଯାଉ
– ରଥଯାତ୍ରା ଭଳି କଟକଣା ସହିତ ଦର୍ଶନ ବ୍ୟବସ୍ଥା କରାଯାଉ

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂରତୀଙ୍କର ନାଗାର୍ଜ୍ଜୁନ ବେଶ ଲାଇଭ ବା ଅନଲାଇନରେ ଦେଖାଇବାକୁ ନେଇ ଆପତିି ଉଠାଇଛନ୍ତି ସେବାୟତ । ସେଥିପାଇଁ ବାହାରେ ପୂଜାପାଉଥିବା ପତିତପାବନଙ୍କୁ ନାଗାର୍ଜ୍ଜୁନ ବେଶ କରି ଏଭଳି ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

କରୋନା ସଂକ୍ରମଣ ଭୟଥିବାରୁ କାର୍ତିିକ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ମତ ଦେଇଛନ୍ତି ବୁଦ୍ଧିଜୀବୀ । ମନ୍ଦିର ପ୍ରଶାସନ ପକ୍ଷରୁ ଭର୍ଚୁଆଲ ମିଟିଂ ଜରିଆରେ କରାଯାଇଥିବା ଆଲୋଚନାରେ ଅଧିକାଂଶ ଅଂଶୀଦାର ଏହି ମତ ରଖିଛନ୍ତି । ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ପାଇବା ପରେ ଗତ ୧୦ ତାରିଖରୁ ଭର୍ଚୁଆଲ ମିଟିଂ ଜରିଆରେ ମତ ସଂଗ୍ରହ କରୁଥିଲା ପ୍ରଶାସନ ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡାହୋଇଛି ମହାମାରୀ କରୋନା । କରୋନା କଟକଣା ଯୋଗୁଁ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ଭକ୍ତଙ୍କ ପାଇଁ ଅସମ୍ଭବ ହୋଇଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ କେମିତି ଦର୍ଶନ କରିପାରିବେ ତାକୁ ନେଇ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏଭଳି ସମୟରେ ମନ୍ଦିର ଖୋଲିଲେ ଭକ୍ତଙ୍କ ଭିଡ ହେବାର ଆଶଙ୍କା ରହିଛି ।