ସେହି ଗୋଟିଏ ଚିଠି, ଯାହା ରାତି ଅଧିଆ ବଦଳାଇଦେଲା ମହାରାଷ୍ଟ୍ର ଗଣିତ । ଜାଣନ୍ତୁ ସେହି ଚିଠିରେ ଏମିତି କଣ ଥିଲା ?

6,782

କନକ ବ୍ୟୁରୋ : ଗୋଟିଏ ରାତିରେ ବଦଳିଗଲା ମହାରାଷ୍ଟ୍ର ରାଜନୀତି ଗଣିତ । ସକାଳ ହେଉ ହେଉ ଭାଙ୍ଗିଗଲା ଶିବସେନାର ସ୍ୱପ୍ନ । କାରଣ ସକାଳର ପ୍ରଥମ ପ୍ରହରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ ଦେବେନ୍ଦ୍ର ଫଡନବିଶ ଓ ଏନସିପି ସହ ବିଶ୍ୱାସଘାତକତା କରି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର । ରାଜଭବନରେ ଅତି ଗୁପ୍ତରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିବା ବେଳେ ଏହାର ସୁରାକ୍ ପାଇନଥିଲେ କଂଗ୍ରେସ-ଏନସିପି-ଶିବସେନା । ତେବେ ଗୋଟିଏ ରାତି ମଧ୍ୟରେ ଏମିତି କଣ ହେଲା ଯେ, ଏନସିପିର ବରିଷ୍ଠ ନେତାର ଟ୍ୟାଗ୍ ପାଇଥିବା ଅଜିତ ପାୱାର ବିଜେପି ସହ ହାତ ମିଳାଇଥିଲେ । ଏପରିକି ଏନସିପିର ଯେଉଁ ବିଧାୟକଙ୍କୁ ଅଜିତ୍ ହାଇଜାକ କରି ଶପଥଗ୍ରହଣ ଉତ୍ସବକୁ ନେଇଥିଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଶରଦ ପାୱାରଙ୍କ ପ୍ରେସମିଟରେ ଦେଖିବାକୁ ମିଳିଥିଲା । କିନ୍ତୁ କିଛି ଦିନ ପୂର୍ବେ ସଂଖ୍ୟା ନଥିବା ଦର୍ଶାଇ ସରକାର ଗଢିବାରୁ ଓହରିଯାଇଥିବା ବିଜେପିକୁ ଗୋଟିଏ ଚିଠି ହିଁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସୁଯୋଗ ଦେଇଥିଲା । ସେହି ଚିଠିରେ ଏମିତି କଣ ଥିଲା ଯେ, ଯାହା ବିଜେପିର ଭାଗ୍ୟ ବଦଳାଇ ଦେଇଥିଲା ।

ଏନସିପି-କଂଗ୍ରେସ-ଶିବସେନା ମଧ୍ୟରେ ସରକାର ଗଠନ ନେଇ ଗତକାଲି ରାତିରୁ ସହମତି ହୋଇସାରିଥିଲା । ଏପରିକି ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସ୍ଥିର ମଧ୍ୟ ହୋଇଥିଲା । ବାସ୍ ଆଉ ଗୋଟିଏ ବୈଠକ ପରେ ସରକାର ଗଠନ ପାଇଁ ବାଟ ପୂରା ସ୍ପଷ୍ଟ ହୋଇଯାଇଥାନ୍ତା । ସରକାର ଗଠନ ପାଇଁ ଏନସିପି-କଂଗ୍ରେସ-ଶିବସେନା ଷ୍ଟ୍ରାଟେଜି ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ବିଜେପି ମଧ୍ୟ ସରକାର ଗଠନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଆରମ୍ଭ କରିଥିଲା । ଆଉ ବିଜେପିର ଏହି ବ୍ଲୁ-ପ୍ରିଣ୍ଟକୁ ବଳ ଦେଇଥିଲା ଏନସିପିର ବରିଷ୍ଠ ନେତା ଅଜିତଙ୍କ ଚିଠି । ଏପରିକି ସରକାର ଗଠନ ପାଇଁ ରାତି ୮ଟାରେ ରାଜଭବନରେ ପହଞ୍ଚି ସମୟ ମାଗିଥିଲେ ଦେବେନ୍ଦ୍ର । କାରଣ ଏନସିପି-କଂଗ୍ରେସ-ଶିବସେନାର ଆଲୋଚନା ଚାଲିଥିବା ବେଳେ ସେଠାରେ ଉପସ୍ଥିତ ରହି ଗୃହଭେଦୀ ବିଭୀଷଣର କାର୍ଯ୍ୟ ଅଜିତ ପାୱାର ଆରମ୍ଭ କରୁଥିଲେ କହିଛନ୍ତି ଶିବସେନା ସଞ୍ଜୟ ରାୱତ ।

ଗତକାଲି ଏନସିପି-କଂଗ୍ରେସ-ଶିବସେନା ମଧ୍ୟରେ ସରକାର ଗଢିବାକୁ ସହମତି ହେବା ପରେ ସମସ୍ତ ବିଧାୟକଙ୍କ ଠାରୁ ସମର୍ଥନପତ୍ରରେ ଦସ୍ତଖତ ନିଆଯାଇଥିଲା । ଆଉ ଏହି ସମର୍ଥନପତ୍ର ହିଁ ଶିବସେନାର ସ୍ୱପ୍ନ ଭାଙ୍ଗି ଦେଇଥିଲା । କାରଣ ଏନସିପିର ବିଧାୟକ ଦଳ ନେତା ଭାବେ ୫୪ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ହାତେଇ ନେଇଥିଲେ ଅଜିତ ପାୱାର । ଏହି ସମର୍ଥନପତ୍ର ହାତେଇବା ପରେ ପଟ୍ଟ ପରିବର୍ତ୍ତନ କରିଥିଲେ ଅଜିତ । ଆଉ ଏସବୁ ଭିତରେ ବିଜେପି ରାଜ୍ୟପାଳଙ୍କ ଠାରୁ ଗ୍ରୀନ୍ ସିଗନାଲ ପାଇଥିଲା ଏବଂ ଅନ୍ୟପଟେ ୮ରୁ ୧୦ ଜଣ ବିଧାୟକଙ୍କୁ ଧରି ରାଜଭବନରେ ପହଞ୍ଚିଥିଲେ ଅଜିତ ପାୱାର ।

ରାଜଭବନରେ ପହଞ୍ଚିବାର କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚିଥିଲେ ଦେବେନ୍ଦ୍ର ଫଡନବୀଶ । ଆଉ ଦେବେନ୍ଦ୍ର ଓ ଅଜିତ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦେଖାଇବା ପରେ ଆରମ୍ଭ ହୋଇଥିଲା ଶପଥଗ୍ରହଣ ଉତ୍ସବ । ଦେବେନ୍ଦ୍ରେ ମୁଖ୍ୟମନ୍ତ୍ରୀ ଓ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଏହି ଚକ୍ରବ୍ୟୁହରେ ଫଶି ସାରିଥିଲେ ଅଜିତଙ୍କ ସହ ଯାଇଥିବା ବିଧାୟକ । କିଛି ବୁଝିବା ପୂର୍ବରୁ ସବୁ କିଛି ଶେଷ ହୋଇସାରିଥିଲା । ଅଜିତଙ୍କ ସହ ରାଜଭବନ ଯାଇଥିବା ବିଧାୟକ ରାଜେନ୍ଦ୍ର ଶିଙ୍ଗେନ କହିଛନ୍ତି, ଆମକୁ ଜଣାନଥିଲା ଯେ ଅଜିତ ଆମକୁ ରାଜଭବନ କାହିଁକି ନେଉଛନ୍ତି । ଏପରିକ ଆମେ ସେଠାରେ ପହଞ୍ଚିବା ପରେ ମଧ୍ୟ କିଛି ଜଣା ଯାଇନଥିଲା । କିନ୍ତୁ ଏବେ ଆମେ ଶରଦ ପାୱାରଙ୍କ ସହ ଅଛୁ ।

ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ବିଜେପି ଯେଉଁ ଖେଳ ଖେଳୁଛି ତାହାକୁ ପୂରା ଦେଶ ଦେଖୁଛି । ଏହା ସ୍ପଷ୍ଟ ଦର୍ଶାଉଛି ଯେ, କ୍ଷମତା ଦଖଲ ପାଇଁ ବିଜେପି ସବୁକିଛି କରିବାକୁ ପ୍ରସ୍ତୁତ । ବିଜେପି ପାଇଁ ମେଣ୍ଟର କୌଣସି ମୂଲ୍ୟ ନାହିଁ ।