ପୁଣି ବିଶ୍ୱକୁ ଡରାଇଲାଣି କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ । ବିଶ୍ୱର ବିଭିନ୍ନ ଦେଶରେ କଟକଣା ହେଉଛି କଡା କଡି

1,519

କନକ ବ୍ୟୁରୋ : କରୋନା ଭୂତାଣୁର ସବୁଠାରୁ ଭୟାନକ ରୂପ ଡେଲଟା ଭାରିଏଣ୍ଟକୁ ନେଇ ଏବେ ସାରା ବିଶ୍ୱର ଚିନ୍ତା ବଢିଛି । ଏନେଇ କିଛି ଦେଶ ପୁଣିଥରେ କରୋନା କଟକଣା ଓ ଲକଡାଉନ୍ ଲଗାଇଛନ୍ତି । ଜିମ୍ବାୱେ ସରକାର ଜୁନ ୧୨ ତାରିଖରେ କରୋନାର ଡେଲଟା ଭାରିଏଣ୍ଟ ବାବାଦରେ ଯାଂଚ କରିବା ପରେ ୨ ଟି ଜିଲ୍ଲାରେ କଟକଣା ଜାରି କରିଛନ୍ତି । ଦେଶରେ ଏହି ଭାରିଏଣ୍ଟର ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କଥା କୁହାଯାଇଛି ।

ସେହିଭଳି ବ୍ରିଟେନ ସରକାର ଦେଶରେ ବଢୁଥିବା କରୋନା ଭୂତାଣୁର ଡେଲଟା ଭାରିଏଣ୍ଟକୁ ନଜର କରି ଦେଶରେ ଆଉ ୪ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଜାରି ରଖିବା ଉପରେ ବିଚାର କରୁଛନ୍ତି । ଦେଶରେ ଏବେ ଡେଲଟା ଭାରିଏଣ୍ଟ ସଂକ୍ରମିତ ୪୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି ।

ଭାରତରୁ ବ୍ୟାପିଥିବା ଡେଲଟା ଭାରିଏଣ୍ଟକୁ ପ୍ରଥମେ ଫ୍ରାନ୍ସ ଚିହ୍ନଟ କରିଥିଲା । ଏପ୍ରିଲ ୨୯ ତାରିଖରେ ଫ୍ରାନ୍ସରେ ପ୍ରଥମେ ଜଣେ କରୋନା ସଂକ୍ରମିତଙ୍କ ଶରୀରରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଫ୍ରାନ୍ସ ସରକାର ଏନେଇ ପୁରା ସଚେତନ ହେବା ସହ ଦେଶରେ କଟକଣାକୁ କଡା କଡି କରିଛି ।

ଶ୍ରୀଲଙ୍କାରେ ମେ ୮ ତାରିଖ ଦିନ କରୋନା ଭୂତାଣୁର ମାରାତ୍ମକ ଭାରିଏଣ୍ଟ ଡେଲଟା ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଶ୍ରୀଲଙ୍କାରେ ଧିରେ ଧିରେ ଏହି ଭାରିଏଣ୍ଟ ଦ୍ୱାରା ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି ।

ଗଣମାଧ୍ୟମର ସୂଚନା ମୁତାବକ କରୋନାର ଉତ୍ପତି ସ୍ଥଳି ଚୀନର ଗ୍ୱାନହୋଓ ସହରରେ କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ ଏବେ ଆତଙ୍କ ଖେଳାଇଛି । ଏନେଇ ଚୀନ ସରକାର ନାଇଟ୍ କ୍ଲବ ଓ ଅନ୍ୟ କିଛି ଗତିବିଧି ଉପରେ କଟକଣା ଜାରି କରିଛନ୍ତି ।

ଏସବୁ ପରେ ଭାରତର ରାଜଧାନୀ ଦିଲ୍ଲୀରେ ବି ଏବେ କରୋନା ସଂକ୍ରମଣ ମାମଲାର ୬୦ ପ୍ରତିଶତ ଲୋକଙ୍କ ଠାରେ ଡେଲଟା ଭାରିଏଣ୍ଟ ଦେଖିବାକୁ ମିଳିଛି । ହେଲେ ଦିଲ୍ଲୀରେ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଉଥିବାରୁ ଏହାକୁ ନଜରରେ ରଖି ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ କରୋନା କଟକଣାକୁ କୋହଳ କରିଛନ୍ତି ।