କରୋନା ମୁକାବିଲା ପାଇଁ ‘କୋବାସ ୬୮୦୦’ ଅସ୍ତ୍ର । ଜାଣନ୍ତୁ ଏଥିରୁ କଣ ମିଳିବ ଫାଇଦା?

1,175

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ଭିତରେ ଓଡିଶା ହାତରେ ଲାଗିଛି ଏକ ବଡ ଅସ୍ତ୍ର । ଅଧିକ ସଂଖ୍ୟାରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା ଯୋଗାଇବା କିମ୍ବା ସଙ୍ଗରୋଧରେ ରଖିବାକୁ ସହାୟକ ହେବ ଏହି ଅସ୍ତ୍ର । ଯାହାର ନାଁ କୋବାସ ମେସିନ୍ । ଭୁବନେଶ୍ୱରସ୍ଥିତ ଆରଏମଆରସିରେ ଥିବା ଏହି ଯନ୍ତ୍ରଟି ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରିବ । ଦିନକୁ ୭୦୦ରୁ ଅଧିକ ପରୀକ୍ଷା କରି ତୁରନ୍ତ ରପୋର୍ଟ ଦେବା ଦିଗରେ ଏକ ବଡ ଭୂମିକା ନେବ ।

ଭୁବନେଶ୍ୱରରେ ଥିବା ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ- ଆରଏମଆରସିକୁ ଆସିଛି ଉଚ୍ଚଶକ୍ତି ସଂପନ୍ନ କୋବାସ ମେସିନ୍ । ଫଳରେ ଏଣିକି କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ଆରଏମଆରସିର ନିର୍ଦ୍ଦେଶକ ସଂଘମିତ୍ରା ପତି । ରୁକି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାଧୁନିକ ଉପକରଣ ସାହାଯ୍ୟରେ ଦିନକୁ ୭୦୦ ପର୍ଯ୍ୟନ୍ତ ନମୂନା ପରୀକ୍ଷା କରିପାରିବ ଆରଏମଆରସି ।

ରାଜ୍ୟରେ ଶନିବାର ସୁଦ୍ଧା ୩ ହଜାର ୫୪୬ କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ହୋଇସାରିଛି । ଏଥିରୁ କେବଳ ଶନିବାର ୩୧୫ଟି ନମୂନା ପରୀକ୍ଷା ହୋଇଥିବାବେଳେ ଭୁବନେଶ୍ୱର ଆରଏମଆରସିରେ ୧୮୮ଟି ନମୂନା ପରୀକ୍ଷା କରାଯାଇଥିଲା । ଆଗକୁ କୋବାସ ମେସିନ ସାହାଯ୍ୟରେ ଏହି ସଂଖ୍ୟା ବଢାଯାଇ ପାରିବ । ବଡକଥା ହେଉଛି ସାରା ଦେଶରେ କେବଳ ଦୁଇଟି ଏଭଳି ନମୂନା ପରୀକ୍ଷା ଯନ୍ତ୍ର ରହିଛି । ବିଶ୍ୱର ଏକ ପ୍ରମୁଖ ଫାର୍ମାସିଉଟିକାଲ କମ୍ପାନି ରୁକି ଦ୍ୱାରା ନିର୍ମିତ ଏହି କୋବାସ ମେସିନ ନୋଏଡାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ୍ସ ପରେ ଭୁବନେଶ୍ୱର ଆରଏମଆରସି ନିକଟରେ ରହିଛି ।

ବିଶ୍ୱର ଏକ ପ୍ରମୁଖ ଫାର୍ମାସିଉଟିକାଲ କମ୍ପାନି ରୁକି ଏହିଭଳି ଦୁଇ ପ୍ରକାରର ମେସିନ ନିର୍ମାଣ କରୁଛି ।
– କୋବାସ ୬୮୦୦
– କୋବାସ ୮୮୦୦
– କୋବାସ ୬୮୦୦ ଦିନକୁ ୧,୪୪୦ଟି ନମୂନା ପରୀକ୍ଷା କରିପାରିବ
– କୋବାସ ୮୮୦୦ ଦିନକୁ ୪,୧୨୮ଟି ନମୂନା ପରୀକ୍ଷା କରିପାରିବ

ଓଡିଶାରେ ଏବେ ଆରଏମଆରସି ସମେତ ଭୁବନେଶ୍ୱର ଏମ୍ସ ଓ କଟକ ଏସସିବିରେ କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ହେଉଛି । ଏଠାରେ ଦିନକୁ ପ୍ରାୟ ୪୦୦ ନମୂନା ପରୀକ୍ଷା କରାଯାଉଛି । ତେବେ ଏମକେସିଜି ବ୍ରହ୍ମପୁର ଓ ଆଇଜିଏଚ ରାଉରକେଲାକୁ ଆଇସିଏମଆର ଏବଂ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ କରୋନା ନମୂନା ପରୀକ୍ଷଣ ପାଇଁ ଅନୁମତି ଦେଇଥିବାରୁ ଆଗକୁ ରାଜ୍ୟରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୦୦୦କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।