ଜୀବନ ବଞ୍ଚାଇ ଫେରି ଆସିବା ପରେ ଏବେ ଦାଦନ ଶ୍ରମିକଙ୍କୁ ଘାରିଲା ଜୀବିକା ଚିନ୍ତା । କେମିତି ପୋଷିବେ ପରିବାର ପ୍ରଶ୍ନ କଲେ ସୁରତ ଫେରନ୍ତା, କାମ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ କଲେ ଦାବି ।

213

କନକ ବ୍ୟୁରୋ: ଗୁଜୁରାଟର ସୁରଥର ବିଭିନ୍ନ କଳ କାରଖାନା ଚାଲିଥାଏ କେବଳ ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ। ତେବେ ଲାଗି ରହିଥିବା କରୋନା ମହାମାରୀ ଯୋଗୁଁ ଏବେ ସମ୍ପୁର୍ଣ୍ଣ ଅଚଳ ସେଠାକାର ସୂତା କଳ ଓ ଅନ୍ୟାନ୍ୟ କାରଖାନା। ତେବେ ସୁରଥରେ କାର୍ୟ୍ୟରତ ଥିବା ପ୍ରାୟ ୨ ଲକ୍ଷରୁ ଅଧିକା ଶ୍ରମିକ ବର୍ତ୍ତମାନ ଘର ବାହୁଡ଼ା ହୋଇଯାଇଛନ୍ତି। ଏହି ସମୟରେ ସେମାନେ ନା ଦୁର୍ଦିନ ଦେଖିଥିବା ବେଳେ ଏବେ ଆଉ ମନ ବଳାଉନାହାନ୍ତି ପୁଣି ସେଠାକୁ ଫେରିବାକୁ। କିନ୍ତୁ ନିଜ ଭିଟା ମାଟିରେ ନିଜର ପରିବାର କିଭଳି ପୋଷଣ କରିବେ ସେ ନେଇ ଆଉ ଏକ ବଡ଼ ଚିନ୍ତାରେ ଶ୍ରମିକ ମାନେ । ଦେଖିବା କନକ ନ୍ୟୁଜର ଏହି ରିପୋର୍ଟରେ ସୁରତ ଫେରନ୍ତାଙ୍କ ଜୀବନୀ

ମହାମାରୀ କବଳରୁ ଜୀବନ ବଂଚାଇ ଘରକୁ ଫେରିଆସିଥିବା ପ୍ରବାସୀଙ୍କୁ ଘାରିଛି ପେଟ ପାଟଣା ଚିନ୍ତା । ଏ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଗାଁର ଜଗତଗୁରୁ ପ୍ରଧାନ । ୨୦ ବର୍ଷ ଧରି ଗୁରୁରାଟର ମିନି ଓଡିଶା କୁହାଯାଉଥିବା ସୁରତର ଏକ ହୀରା କାରଖାନାରେ କାମ କରି ପରିବାର ପୋଷୁଥିଲେ । ସୁରତରେ କରୋନା କାୟା ମେଲିବାରୁ କାରଖାନା ବନ୍ଦ ହୋଇଯିବା ପରେ ଘରକୁ ଫେରିଆସିଛନ୍ତି ଜଗତଗୁରୁଙ୍କ ଭଳି ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ । ତିନି ମାସ ଘରେ ବସି ପାଖରେ ଥିବା ଅର୍ଥକୁ ଖାଇ ସାରିବା ପରେ ଏବେ ପ୍ରବାସୀଙ୍କୁ ମୁଣ୍ଡରେ ସବାର ହୋଇଛି ରୋଜଗାର ଚିନ୍ତା । ଭୂତାଣୁ ଭୟରେ ସୁରତ ଫେରିବା ପାଇଁ ଚାହୁଁନଥିବା ପ୍ରବାସୀ ଶ୍ରମିକମାନେ ରାଜ୍ୟ ଭିତରେ କାମ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଗଂଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ସୁରତର ବିଭିନ୍ନ କଳ କାରଖାନାରେ କାମ କରନ୍ତି । ଏମାନଙ୍କ ଶ୍ରମଦାନରେ କାରଖାନାର ଅଭିବୃଦ୍ଧି ହୁଏ, ଆଉ ମାଲିକଙ୍କ ବ୍ୟାଙ୍କ ବାଲାନ୍ସ ବଢ଼େ । ହେଲେ କରୋନା କାଳରେ ଅଲୋଡ଼ା ହୋଇ ପଡ଼ିଥିଲେ ଶ୍ରମିକମାନେ । ସୁରତରୁ କାମ ଛାଡି ଭିଟାମାଟିକୁ ଫେରିଥିବା ପୋଲସରାର ପ୍ରବାସୀ ଶ୍ରମିକ ଆଉ ପୂର୍ବ କର୍ମସଂସ୍ଥାନକୁ ଫେରିବା ପାଇଁ ଚାହୁଁ ନାହାନ୍ତି । ହେଲେ ଏମାନଙ୍କୁ କାରଖାନାକୁ ଫେରାଇ ନେବା ପାଇଁ ପ୍ରବାସୀ ଓଡିଆଙ୍କ ୧୮ ଜଣିଆ ପ୍ରତିନିଧି ଦଳ ଗଂଜାମ ଆସିଛନ୍ତି । ପ୍ରବାସୀଙ୍କୁ ଭେଟି କର୍ମକ୍ଷେତ୍ରକୁ ଫେରିଯିବା ପାଇଁ ବୁଝାଇଛନ୍ତି । ହେଲେ କାମକୁ ଫେରିବା ଆଗରୁ ଉଭୟ ଗୁଜୁରାଟ ଓ ଓଡିଶା ସରକାରଙ୍କ ପାଖରେ କିଛି ସର୍ତ ରଖିଛନ୍ତି ପ୍ରବାସୀ ।

ପ୍ରବାସୀ ଶ୍ରମିକଙ୍କ ପଂଜିକରଣ କରିବା
କାରାଖାନାର ଅନ୍ୟ କର୍ମଚାରୀଙ୍କ ଭଳି ଶ୍ରମିକଙ୍କୁ ଛୁଟି ଦେବା
ଶ୍ରମିକଙ୍କୁ ବୀମାଭୁକ୍ତ କରିବା ସହ ଇପିଏଫ ଲାଗୁ କରିବା

ସପଟେ ପ୍ରବାସୀଙ୍କ ପରିବାର ଲୋକକ ଅନୁରୋଧ କରିଛନ୍ତି, ରାଜ୍ୟରେ କାମ ମିଳିଲେ ଘର ଲୋକଙ୍କ ପାଖରେ ରହି କାମ କରନ୍ତି ଶ୍ରମିକ ।