କନକ ବ୍ୟୁରୋ: ପାକିସ୍ତାନ କବଜାରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ । ପାକିସ୍ତାନ କବଜାରେ ଥିବା ଭାରତୀୟ ପାଇଲଟଙ୍କୁ ଯେଭଳି କିଛି କ୍ଷତି ନପହୁଁଂଚେ ସେଥିପାଇଁ ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ରୋକଠୋକ ଶୁଣାଇଛି ଭାରତୀ ବୈଦେଶିକ ମନ୍ତ୍ରାଳୟ । ଆହତ ପାଇଲଟଙ୍କ ଭିଡିଓ ଭାଇରାଲ କରି ପାକିସ୍ତାନ ଅନ୍ତଜାର୍ତୀୟ ମାନବିକ ଆଇନ ଓ ଜେନେଭା କନଭେନ୍ସନ୍କୁ ଖୋଲାଖୋଲି ଉଲଂଘନ କରିଥିବା ଭାରତ କହିଛି ।

Advertisment

ତୁରନ୍ତ ପାକ କବଜାରେ ଥିବା ୱିଙ୍ଗ କମାଣ୍ଡରଙ୍କୁ ଫେରାଇ ଦେବାକୁ କହିଛି ବିଦେଶ ମନ୍ତ୍ରାଳୟ । ଏହା ସହିତ ଅସ୍ତ୍ରବିରତି ଉଲଂଘନ କରିବା ନେଇ ଜବାବ ତଲବ କରିଛି ବୈଦେଶିକ ମନ୍ତ୍ରାଳୟ । ଗତକାଲି ଭାରତୀୟ ବାୟୁସୀମାକୁ ପଶି ଆସିଥିବା ପାକିସ୍ତାନ ଯୁଦ୍ଧ ବିମାନକୁ ଘଉଡାଇ ଦେଇଥିଲା ଭାରତ । ହେଲେ ଏହି ଅପରେସନରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବିମାନ ନଷ୍ଟ ହୋଇ ପାକିସ୍ତାନ ଅଧିକୃତ କଶ୍ମୀରରେ ପଡିଥିଲା । ଆଉ ପାକିସ୍ତାନ କବଜାରେ ପଡ଼ିଯାଇଥିଲେ ଭାରତୀୟ ପାଇଲଟ୍ । ସୋସିଆଲ ମିଡ଼ିଆରେ ଭାରତୀୟ ବାୟୁସେନା ଯବାନଙ୍କ ଭିଡିଓ ଭାଇରାଲ ହେବା ପରେ ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛି ନୂଆଦିଲ୍ଲୀ । ଦିଲ୍ଲୀ ସ୍ଥିତ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ ତଲବ୍ କରି ପାଇଲଟଙ୍କୁ ତୁରନ୍ତ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ । ଏବେ ପାକିସ୍ତାନ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଭାରତୀୟ ପାଇଲଟଙ୍କୁ ଗିରଫ କରିବା ପରେ ତାଙ୍କ ଭିଡିଓ ଭାଇରାଲ କରିବା ଓ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିବା ନେଇ ଆପତି ଉଠାଇଛି ଭାରତ । ପାକିସ୍ତାନ ଜେନେଭା ସନ୍ଧିକୁ ଉଲଘଂନ କରିଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି । ଆସନ୍ତୁ ଦେଖିବା ଏହି ଜେନେଭା ସନ୍ଧି କ’ଣ?..

• ଯୁଦ୍ଧ ସମୟରେ ମାନବୀୟ ମୂଲ୍ୟବୋଧକୁ ବଜାୟ ରଖିବା

• ଯୁଦ୍ଧବନ୍ଦୀଙ୍କ ଅଧିକାରର ସୁରକ୍ଷା ପାଇଁ ଜେନେଭା ବୁଝାମଣା

• ଗିରଫ ସୈନିକଙ୍କ ସହ କିପରି ବ୍ୟବହାର କରାଯିବ ସେ ନେଇ ନିୟମ

• ଯୁଦ୍ଧକ୍ଷେତ୍ରରେ ଆହତଙ୍କ ଉପଯୁକ୍ତ ଚିକିିତ୍ସା କରାଯିବ

• କୌଣସି ପ୍ରକାରର ବର୍ବରତା କରାଯାଇପାରିବ ନାହିଁ

• ପାତରଅନ୍ତର କରାଯିବନି, ଆଇନଗତ ସହାୟତା ଯୋଗାଇଦିଆଯିବ

• ଡର ଓ ଧମକ ଦିଆଯାଇପାରିବନାହିଁ, ଅପମାନିତ କରାଯାଇପାରିବ ନାହିଁ

• କେବଳ ନା, ସୈନ୍ୟପଦ ନମ୍ବର ବା ୟୁନିଟ ବିଷୟରେ ପଚାରାଯାଇପାରିବ

• ଗିରଫ ସୈନିକଙ୍କ ବିରୋଧରେ ମୋକଦ୍ଦମା ଚାଲିପାରିବ

• ୧୯୪୯ରେ ୧୪୯ ଦେଶକୁ ନେଇ ଚତୁର୍ଥ ଜେନେଭା ଚୁକ୍ତି ସ୍ୱାକ୍ଷର