ରଥଯାତ୍ରାକୁ ନେଇ ଦୋଛକିରେ ସରକାର ! ଯାତ୍ରା ହେଲେ ସଂକ୍ରମଣର ଭୟ, ଏପଟେ ନହେଲେ କୋଟିକୋଟିଙ୍କ ଭାବାବେଗ ଉପରେ ଆଘାତ । ୧୮ ତାରିଖରେ ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ ।

203

କନକ ବ୍ୟୁରୋ: ଦିନ ପାଖଉଛି, ଦ୍ୱନ୍ଦ୍ୱ ବଢୁଛି । ରଥଯାତ୍ରାକୁ ନେଇ ପରିସ୍ଥିତି କିଛି ଏହି ଭଳି । ଆସନ୍ତା ୧୮ ତାରିଖ ଦିନ ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିପାରନ୍ତି । କିନ୍ତୁ ଏପଟେ ରଥଯାତ୍ରାକୁ ରହିଲା ଆଉ ମାତ୍ର ୬ ଦିନ । ଓଡିଶା ସରକାର ହାଇକୋର୍ଟରେ କହିଥିଲେ, ରଥଯାତ୍ରାର ଅଳ୍ପଦିନ ପୂର୍ବରୁ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ସେପଟେ ବିରୋଧୀଙ୍କ ସ୍ୱର ତେଜିବାରେ ଲାଗିଛି ଯେ ଖୁବ୍ ଶୀଘ୍ର ସରକାର ନିଷ୍ପତି ଘୋଷଣା କରନ୍ତୁ । କିନ୍ତୁ କହିବାକୁ ଗଲେ ଏହି ନିଷ୍ପତି ଏକ ସାଧାରଣ ନିଷ୍ପତି ନୁହେଁ । ଗୋଟିଏ ପଟେ ମହାମାରୀ କରୋନା ଓ ଅନ୍ୟପଟେ କୋଟି କୋଟି ଭକ୍ତଙ୍କ ଭାବାବେଗ । କଣ ହୋଇପାରେ ସରକାର ଦ୍ୱନ୍ଦ୍ୱରେ ପଡିବାର କାରଣ ?

ରଥଯାତ୍ରାକୁ ନେଇ କାହିଁକି ଦ୍ୱନ୍ଦ୍ୱରେ ପଡିଛନ୍ତି ଓଡିଶା ସରକାର? 

କାହିଁକି ରଥଯାତ୍ରାର ଅଳ୍ପଦିନ ଆଗରୁ ନିଷ୍ପତି ନେବେ ବୋଲି କହିଲେ ସରକାର?

କାରଣ -୧: ରଥଯାତ୍ରା କରିବାକୁ ନିଷ୍ପତି ନେଲେ ମହାମାରୀ ସଂକ୍ରମଣର ଭୟ ରହିଛି । ଭକ୍ତଙ୍କୁ ସାମିଲ ନକଲେ ମଧ୍ୟ ବହୁ ସଂଖ୍ୟାରେ ସେବାୟତ ଏକାଠି ହେବାକୁ ପଡିବ । 

କାରଣ -୨: ଯଦି ରଥଯାତ୍ରା ପରେ ପୁରୀରେ ସଂକ୍ରମଣ ବଢେ, ତେବେ ସରକାରଙ୍କ ଉପରେ ଅଙ୍ଗୁଳି ଉଠିବ । ଏହା ଦ୍ୱାରା ସରକାର ବଦନାମ ହେବାର ଆଶଙ୍କା ରହିଛି । 

କାରଣ-୩: ଏଯାଏଁ କରୋନା ମୁକାବିଲାରେ ଓଡିଶା ସ୍ଥିତି ଭଲ ରହିଛି । ସଂକ୍ରମଣ ବଢିଥିଲେ ମଧ୍ୟ ମୃତ୍ୟୁ ହାର ସାରା ଦେଶ ଅନୁପାତରେ ଢେର କମ୍ ରହିଛି । ଏହି ଲଢେଇକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି ସରକାର । 

କାରଣ -୪: ସ୍ନାନଯାତ୍ରାରେ ରାତିରେ ପହଣ୍ଡି ହେବାରୁ ସାମାଜିକ ଦୂରତା କଥା ଲୋକ ଲୋଚନକୁ ଆସିଲା ନାହିଁ । କିନ୍ତୁ ରଥଯାତ୍ରାରେ ଦିନ ପହଣ୍ଡି ଥିବାରୁ ଏହାକୁ କେମିତି ପାଳନ କରାଯିବ ତାହା ବଡ ଚ୍ୟାଲେଂଜ । 

କାରଣ-୫: ସାମାଜିକ ଦୂରତା ନିୟମ ପାଳନ କରିବା ସବୁଠାରୁ ବଡ ଚ୍ୟାଲେଂଜ ହେବ । ଏବଂ ସାମାଜିକ ଦୂରତା ନରହିଲେ, ଆଇନ୍ ଉଲ୍ଲଂଘନ ହେବ. ଯାହାକୁ ସାରା ବିଶ୍ୱ ଦେଖିବ । 

କାରଣ-୬: ଏପଟେ ଯଦି ରଥଯାତ୍ରା କରିବାକୁ ସରକାର ମନା କରିବେ, ତେବେ କୋଟି କୋଟି ଭକ୍ତଙ୍କ ଭାବାବେଗ ଉପରେ ଆଘାତ ଲାଗିବ । 

କାରଣ-୭: ରଥଯାତ୍ରା ନକଲେ ପ୍ରଶ୍ନ ଉଠିପାରେ, ରଥଯାତ୍ରା କରିବାକୁ ସାମର୍ଥ୍ୟ ଥିଲେ ମଧ୍ୟ ସରକାର କାହିଁକି ପଛଘୁଂଚା ଦେଲେ ?

ସରକାରଙ୍କ ଆଗରେ ଏସବୁ ଦ୍ୱନ୍ଦ୍ୱ ରହିଥାଇପାରେ । ସେପଟେ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି । ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ସରକାରଙ୍କ କାମକୁ ଟିକିଏ ସହଜ କରିଦେଇ ପାରେ । ସେପଟେ ରଥଯାତ୍ରା ଟାଣିବା ପାଇଁ ଆଗ୍ରହ ପ୍ରକାଶ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଛନ୍ତି ଦଇତାପତିଙ୍କ ପ୍ରତିନିଧି ଦଳ । ଏସବୁ ଭିତରେ ଏବେ ସମସ୍ତଙ୍କ ନଜର ରହିଛି , ସୁପ୍ରିମକୋର୍ଟ କଣ ନିଷ୍ପତି ନେବେ ।