ଜଣେ ବ୍ୟକ୍ତି ପାଞ୍ଚ ପାଞ୍ଚ ଜଣ ଲୋକଙ୍କୁ ମାରିଲେ କେମିତି ? ମାହାଙ୍ଗା ଗଣହତ୍ୟାକୁ ନେଇ ଉଠିଲା ଅନେକ ପ୍ରଶ୍ନ ।

330

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସବୁଠାରୁ ବଡ ସନ୍ଦେହ ହେଉଛି, ଜଣେ ବ୍ୟକ୍ତି ପାଞ୍ଚ ପାଞ୍ଚ ଜଣ ଲୋକଙ୍କୁ ମାରିଲେ କେମିତି । ଏହାପରେ ଅତି ସହଜ ମନରେ ଭିଡିଓ ବନାଇ ଭାଇରାଲ କଲେ କେମିତି । ସେପଟେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ହତ୍ୟାକାଣ୍ଡରେ ଆଉ କେହି ମଧ୍ୟ ସାମିଲ ଥାଇ ପାରନ୍ତି ।

ବଡ ଭାଇର ପୂରା ପରିବାରକୁ ହତ୍ୟା କରିଥିବା ଶିବ ସାହୁ ନିଜ ଦୋଷ ସ୍ୱୀକାର କରିଥିଲେ ବି ଏକ ଭିଡିଓକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଭିଡିଓରୁ ଜଣାପଡୁଛି, ପାଂଚ ପାଂଚ ଜଣଙ୍କୁ ହତ୍ୟା କରିବା ପରେ ବି ଶିବ ବିଚଳିତ ନାହାଁନ୍ତି । ଏତେ ବଡ କାଣ୍ଡ ଘଟାଇଥିଲେ ବି ଯେମିତି ସାମାନ୍ୟ ଅପରାଧ ଘଟାଇଥିବା ଭଳି ସ୍ୱାଭାବିକ ଭାବେ ଆଚରଣ କରୁଛନ୍ତି । ଆଉ ଭିଡିଓ କରି ଅତି ସହଜରେ କହି ଦେଉଛନ୍ତି ଜମିବାଡି ବିବାଦ ଓ ପାରିବାରିକ କଳହ ଯୋଗୁଁ ବଡ ଭାଇ ପରିବାରର ପାଂଚ ଜଣଙ୍କୁ ହତ୍ୟା କରିଛନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶିବ ସାହୁ କୌଣସି ପେଶାଦାର ଅପରାଧି ନୁହଁନ୍ତି । ସେ ଜଣେ ସାମାନ୍ୟ ଗାଡି ଚାଳକ । ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ବିବାଦ ଥିଲା । କିନ୍ତୁ ତାହା ଏମିତି ଏକ ରୂପ ନେବ ତାହା କେହି ବିଶ୍ୱାସ ବି କରିପାରୁନାହାଁନ୍ତି । ଶିବ ସାହୁଙ୍କ ଦୋଷ ସ୍ୱୀକାରକୁ ବି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଯେମିତି ହତ୍ୟାକାଣ୍ଡ ଘଟିଛି ଏହା ପଛରେ କେବଳ ଶିବ ନୁହେଁ ଆଉ କିଛିି ଲୋକ ଥିବା ସନ୍ଦେହ ବଢ଼ିବାରେ ଲାଗିଛି । ପାରିପାଶ୍ୱିକ ସ୍ଥିତିକୁ ଦେଖି ପୁଲିସର ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଶିବ ଏକା ଏହି ଜଘନ୍ୟ କାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି ସେସବୁକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି କହିଛନ୍ତି ଆଇଜି ।

ତେବେ ପ୍ରଶ୍ନ ଉଠୁଛି,

– ଜଣେ ପାଂଚ ଜଣଙ୍କୁ ମାରିଲେ କେମିତି ? 

–  ନିଜର ରକ୍ତ ସମ୍ପର୍କୀୟ ପାଂଚ ଜଣଙ୍କୁ ହତ୍ୟା କରିବା ପରେ କେମିତି ବିଚଳିତ ହୋଇନଥିଲେ ଶିବ ? 

– କିଏ କରିଥିଲା ଭିଡିଓ ? 

– ଶିବଙ୍କୁ ଆଉ କିଏ ସହଯୋଗ କରିଥିଲେ କି ? 

ପୋଲିସ ତଦନ୍ତ ପରେ ଏହି ସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବ ।