ଜନତାଙ୍କ ସେବାରେ ଫୋନିକୁ ଭୁଲିଲେ ପୋଲିସ୍ ! ସୋସିଆଲ୍ ମିଡିଆରୁ ଆରମ୍ଭ କରି ସବୁରି ମହଲାରେ ଭୁରି ଭୁରି ପ୍ରଶଂସାର ପାତ୍ର ସାଜିଛନ୍ତି ଏହି ପୋଲିସ୍ କର୍ମଚାରୀ ।

1,038

ଭୟଙ୍କର ବାତ୍ୟା ଫୋନି ପ୍ରଭାବରେ ରାଜନଗର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପୂର୍ବରୁ କଚ୍ଚା ଘରେ ଥିବା ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପାଇଁ ପ୍ରଶାସନ ତରଫରୁ ସ୍ଥାନାନ୍ତର କରାଯାଇଛି । କାଦୁଅ ରାସ୍ତାରେ ଆସିପାରୁନଥିବା ଗୋଟିଏ ପରିବାର ସହ ଶିଶୁପୁତ୍ରକୁ ଧରି ପୁଲିସବାବୁ ଆଶ୍ରୟସ୍ଥଳକୁ ଆଣିବା ଓ ଜଣେ ମହିଳା କନେଷ୍ଟବଳ ବାଇକରେ ମହିଳାଙ୍କୁ ବୋହିନେବା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।

ଜଣେ ପୋଲିସ୍ କର୍ମଚାରୀ ୬ ମାସର ଶିଶୁ ପୁତ୍ରକୁ ନିଜେ ଘୋଡାଇ ଧରିବା ସ ପରିବାର ସଦସ୍ୟଙ୍କୁ ଧରି କାଦୁଅରେ ୫୦୦ ମିଟର ଚାଲି ମୁଖ୍ୟ ରାସ୍ତାକୁ ଆସିବା ଏବଂ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀ ପହଂଚାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସବାବୁଙ୍କ ଏଭଳି କାର୍ଯ୍ୟକୁ ଚାରିଆଡେ ଖୁବ୍ ପ୍ରଶଂସା କରାଯାଉଛି । ସେହିପରି ମହିଳାମାନଙ୍କୁ ସୁରକ୍ଷିତ ଭାବେ ବାଇକରେ ବସାଇ ବାତ୍ୟା ଆଶ୍ରୟସ୍ଥଳୀରେ ପହଚାଂଇବା ଚର୍ଚ୍ଚାକୁ ଆସିଛନ୍ତି ତାଳଚୁଆ ସାମୁଦ୍ରିକ ଥାନାର ମହିଳା କନେଷ୍ଟବଳ ପ୍ରୀତି ପରିଡା । ବାତ୍ୟା ଫନିର ପୂର୍ବଦିନ ଏବଂ ବାତ୍ୟା ଦିନ ଏହି ମହିଳା କନେଷ୍ଟବଳ ପଲସର ବାଇକରେ ମହିଳାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ଆଣିଥିଲେ । ଏହି ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରାଯାଉଛି । ମହିଳାଙ୍କୁ ବୋହିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି ।