ବିଗୁଲ ବାଜିଲା ଏବେ ପ୍ରାର୍ଥୀ ଖୋଜା: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ବିଗୁଲ ବାଜିବା ପରେ ପ୍ରାର୍ଥୀ ଚୟନ ପାଇଁ କସରତ; ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ୩ ଦଳ

କରୋନା କଟକଣା ଭିତରେ ନଭେମ୍ବର ୩ରେ ହେବ ଭୋଟ ଗ୍ରହଣ

178

କନକ ବ୍ୟୁରୋ: ବାଲେଶ୍ୱର ସଦର ଏବଂ ତିର୍ତୋଲ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଉପ-ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଆଜି ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଛୁଟି ଦିନ ବ୍ୟତୀତ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲ ଚାଲିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ୧୭ ତାରିଖରେ ଯାଂଚ ହେବ । ୧୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ନଭେମ୍ୱର ୩ ତାରିଖରେ ଭୋଟ୍ ପଡିବ । ନଭେମ୍ୱର ୧୦ ତାରିଖରେ ହେବ ଭୋଟ୍ ଗଣତି । ସେପଟେ ଉପନିର୍ବାଚନ ପାଇଁ ସାଂବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

କରୋନା କଟକଣା ମଧ୍ୟରେ ହେବ ଭୋଟ୍ ଗ୍ରହଣ । ବୁଥ ଗୁଡିକରେ ମାସ୍କ ଓ ଗ୍ଲୋବସ୍ ପିନ୍ଧି ଭୋଟ୍ ଦେବେ ଭୋଟର । ମାସ୍କ ପିନ୍ଧିନଥିଲେ ବୁଥରେ ଭୋଟରଙ୍କୁ ମାସ୍କ ଦିଆଯିବ । ଉପନିର୍ବାଚନରେ ଘରେ ଥାଇ ଭୋଟ୍ ଦେଇ ପାରିବେ କରୋନା ସଂକ୍ରମିତ ଓ ବୟସ୍କ ବ୍ୟକ୍ତି । ଭୋଟ୍ ଗ୍ରହଣ ତାରିଖ ୩ ତାରିଖ ଆଗରୁ କରୋନା ସଂକ୍ରମିତ ବ୍ୟକ୍ତି, ବୟସ୍କ ବ୍ୟକ୍ତି ଓ ଯେଉଁମାନେ ସଂଗରୋଧରେ ଅଛନ୍ତି ସେମାନେ ବାଲଟ ପେପରରେ ଘରେ ଥାଇ ଭୋଟ୍ ଦେଇପାରିବେ । ଡିଏଲଓ ମାନେ ଘରକୁ ଯାଇ ବାଲଟ ପେପରରେ ଭୋଟ୍ ସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟନିର୍ବାଚନ ଅଧିକାରୀ । ତେବେ ତିର୍ତୋଲ ନିର୍ବାଚନ ମଣ୍ଡଳିର ୩୭୩ଟି ପୁଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ତିର୍ତୋଲରେ ୨,ଲକ୍ଷ ୩୯ ହଜାର ଭୋଟର ଅଛନ୍ତି । ୧ ଲକ୍ଷ ୨୪ ହଜାର ୧୬୮ ଜଣ ପୁରୁଷ ଓ ୧ ଲକ୍ଷ ୧୪ ହଜାର ୯୫୬ ମହିଳା ଭୋଟର ଅଛନ୍ତି ।

ସେପଟେ ବାଲେଶ୍ୱର ଏବଂ ତିର୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ଦୁଇଟି ଯାକ ଆସନ ପାଇଁ ଆଲୋଚନା ମାଧ୍ୟମରେ ପ୍ରାର୍ଥୀ ବଛା ସରିଛି, ଏଆଇସିସି ଘୋଷଣାକୁ ଅପେକ୍ଷା ରହିଛି । ବିଜେଡି ବିଧାୟକ ପ୍ରତାପ ଦେବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏପଟେ ବାଲେଶ୍ୱର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ଚୟନକୁ ନେଇ ଏବେ ଅଙ୍କକଷା ଚାଲିଛି । ବାଲେଶ୍ୱରରେ ବିଜେଡି, ବିଜେପି ଓ କଂଗ୍ରେସରୁ କଏ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଦଳର ସୁପ୍ରିମୋ ଯାହାକୁ ପ୍ରାର୍ଥୀ କରିବେ ସେ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି ।