କନକ ବ୍ୟୁରୋ : ପଞ୍ଚାୟତ ଭୋଟ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ପ୍ରଥମ ଦିନର ପୁନରାବୃତ୍ତି ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି । ଦ୍ୱିତୀୟ ଦିନର ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡିର ପ୍ରଦର୍ଶନ କଣ ରହିବ ତାହାକୁ ନେଇ ଅନେକ ସସପେନ୍ସରେ ରହିଥିଲେ । ଏପରିକି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଓ ଅନ୍ତଃକନ୍ଦଳ ବିଜେଡି ପାଇଁ ବୁମେରାଂ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରି ବିଜେଡି ଯେ ଏଭଳି ସଫଳତା ପାଇବ ତାହାର ଆକଳନ ବିରୋଧୀ ମଧ୍ୟ କରିପାରିନଥିଲେ । ତେବେ ଏଠାରେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଦଳୀୟ ଅନ୍ତଃକନ୍ଦଳ ଭିତରେ ବି କିଭଳି ପଞ୍ଚାୟତ ରେସରେ ଆଗରେ ରହିଲା ବିଜେଡି ।
ଏହାର ଉତ୍ତରରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ୧୯୯୭ରୁ ଏବେ ଯାଏଁ ବିଜେଡିର କଳେବର ବଢିଛି । ଦଳୀୟ ନେତୃତ୍ୱ, ଦଳୀୟ କର୍ମୀଙ୍କ ସଂଖ୍ୟା ପୂର୍ବପେକ୍ଷା ଅଧିକ ବଢିଛି । ବିଜେଡିକୁ ଏବେ ଲୋକେ ଭଲ ପାଉଛନ୍ତି । ଯାହାଦ୍ୱାରା ଏବେ ବିଜେଡିର ଯଥେଷ୍ଟ ଅଧିକ ସମର୍ଥକ ହୋଇ ସାରିଲେଣି । ତେଣୁ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ଆମ ପାଇଁ ଚ୍ୟାଲେଞ୍ଜ । ପରିବାର ଭିତରେ ଝଗଡା ହୁଏ । ଆମ ବିଜେଡି ପରିବାର ଯଥେଷ୍ଟ ବଡ । ଯେଉଁ ପରିବାର ସହ କୋଟିକୋଟି ଲୋକ ଜଡିତ । ତେଣୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବା ଛୋଟ କଥା ନୁହେଁ । ନିରନ୍ତର ପ୍ରୟାସ, ନିରନ୍ତର ପ୍ରଚେଷ୍ଟା କରି ଆମେ ପରିବାର ସହ ଯୋଡି ହୋଇ ରହିଛୁ । ଆମ ପାଇଁ ଏହି ଚ୍ୟାଲେଞ୍ଜ କିଛି ସହଜ ନୁହେଁ, ତଥାପି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଆମେ ଆଗକୁ ବଢୁଛୁ । ଯାହାର ଝଲକ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ଅନ୍ତଃନ୍ଦ୍ୱନ୍ଦ୍ୱକୁ କିଭଳି ଦଳ ଭିତରେ ସମାଧାନ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲା ବିଜେଡି । ତୃଣମୂଳସ୍ତରରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ବିଭେଦକୁ ଦୂର କରିବାକୁ ଶୀର୍ଷ ସ୍ତରରୁ ଉଦ୍ୟମ ହୋଇଥିଲା । ଆଉ ଏଥିପାଇଁ ବିଜେଡିର ଷ୍ଟ୍ରାଟେଜିଷ୍ଟ ଢେର ଆଗରୁ ପ୍ରସ୍ତୁତି କରିଥିଲେ । ଯେଉଁଥିପାଇଁ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବଡ ସଫଳତା ମିଳିଛି ।