ଓଏସଏସସି ସଦ୍ୟସଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ମିଳିଲା ପୁଳା ପୁଳା ଟଙ୍କା, ସୁନା । ଏବେ ପ୍ରଶ୍ନ ନିଯୁକ୍ତି ଦେବାରେ ଦୁର୍ନୀତି କରି କମାଇଛନ୍ତି କି ଟଙ୍କା?

158

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ୍ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପ୍ରାଇଭେଟ ସେକ୍ରେଟେରୀ ଭାବେ ଚାକିରି କରନ୍ତି ବିରଞ୍ଚି ନାରାୟଣ ସାହୁ ।  ଚାକିରି ବଡ଼ ନୁହେଁ, ହେଲେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ । ରେଡ୍ ବେଳେ ଲକ୍ଷ ଲକ୍ଷ ଟଙ୍କାର ନଗଦ, ପୁଳା ପୁଳା ସୁନା, ମାଳ ମାଳ ପ୍ଲଟ ଓ ଘର ଠାବ କରିଛି ଭିଜିଲାନ୍ସ । ତେବେ ଓଡ଼ିଶା ଷ୍ଟାପ୍ ସିଲେକସନ୍ କମିସନରେ ଚାକିରି କରି ସେ ଏତେ ସମ୍ପତ୍ତି କିପରି ଅର୍ଜନ କଲେ, ଏହାହିଁ ସବୁଠୁ ବଡ ପ୍ରଶ୍ନ ପାଲଟିଛି ।

୧୯୯୪ ମସିହାରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ୍ ଗଠିତ ହୋଇଥିଲା । ଗ୍ରୁପ ବି ଓ ଗ୍ରୁପ ସି ଅଣଗେଜେଟେଡ୍ ପଦବୀ ପାଇଁ ରିକ୍ରୁଟମେଣ୍ଟ କରିଆସୁଛି ଏହି ଅନୁଷ୍ଠାନ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ କୁଶଳୀ ମାନବ ସମ୍ବଳ ଯୋଗାଇବାର ଉତ୍ତର ଦାୟିତ୍ୱ ରହିଛି ଏହି ଅନୁଷ୍ଠାନର ପାଖରେ । କିନ୍ତୁ କମିସନ୍ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୁ ଅମାପ ସମ୍ପତି ଠାବ ହେବା ପରେ ଏହି ଅନୁଷ୍ଠାନ ଓ ଏହାର ତତ୍ତ୍ୱାବଧାନରେ ଚାଲିଥିବା ରିକ୍ରୁଟମେଣ୍ଟ ପ୍ରକ୍ରିୟା ଉପରେ ବଡ଼ ସନ୍ଦେହ ସୃଷ୍ଟି ହୋଇଛି । ଏହି ଅନୁଷ୍ଠାନରେ ସାଧାରଣ ଚାକିରି କରିଥିବା ଜଣେ କର୍ମଚାରୀଙ୍କ ପାଖରେ  ଏତେ ସମ୍ପତ୍ତି ଠାବ ହୋଇଥିବାରୁ ରିକ୍ରୁଟମେଣ୍ଟ ସ୍ୱଚ୍ଛତାର ସହ ହେଉନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି ।

ହଜାର ହଜାର ଯୁବକ-ଯୁବତୀ ଷ୍ଟାଫ୍ ସିଲେକ୍ସନ୍ କମିସନ ଦ୍ୱାରା ନିଯୁକ୍ତି ପାଇଛନ୍ତି । ଲକ୍ଷ ଲକ୍ଷ ପିଲା ଚାକିରି ଅପେକ୍ଷାରେ ରହିଛନ୍ତି । ଯଦି ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କ ନିଯୁକ୍ତି ପ୍ରକ୍ରିିୟାରେ ବ୍ୟାପକ ଦୁର୍ନୀତି ହେଉଛି, ତେବେ କେତେ ମେଧାବୀ, ଚାକିରିରୁ ବଞ୍ଚିତ ହୋଇଥିବେ, କେତେ ଅଯୋଗ୍ୟଙ୍କୁ ସରକାରୀ ଚାକିରି ମିଳିଥିବ, ତାର ହିସାବ ପାଇବା ମୁସ୍କିଲ ।

ଭିଜିଲାନ୍ସ ରେଡରେ ବିରଞ୍ଚି ନାରାୟଣ ସାହୁ ଧରାପଡିଛନ୍ତି ସତ । ହେଲେ କେବଳ ସେ ନୁହଁନ୍ତି, ପୂରା ଅନୁଷ୍ଠାନ ଯେ ଦୁର୍ନୀତିର ଗନ୍ତାଘର ପାଲଟିଛି, ଏ ନେଇ ସନ୍ଦେହ ବଢ଼ୁଛି । ଏବେ ପ୍ରଶ୍ନ ଉଠୁଛି, ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଲାଞ୍ଚ କାରବାର ହେଉଛି କି? ଏହା ପଛରେ ରୀତିମତ ଏକ ରାକେଟ୍ କାମ କରୁଛି କି? ଅର୍ଥ ଦେଇ ଅଯୋଗ୍ୟଙ୍କୁ ଚାକିରି ମିଳୁଛି ଓ ଯୋଗ୍ୟ ବଳି ପଡିଯାଉଛନ୍ତି କି? ଗତ ଦୁଇ ବର୍ଷ ଧରି ହୋଇଥିବା ତମାମ ନିଯୁକ୍ତିର ଅଡିଟ୍ କରିବେ କି ରାଜ୍ୟ ସରକାର?