କେନ୍ଦ୍ରାପଡାର ୭ ବିଧାନସଭାରୁ ୫ ଆସନରେ ବିଜେଡି ବିଜୟୀ । ହେଲେ ବାଜି ମାରିନେଲେ ବୈଜୟନ୍ତ ।

2,068

କନକ ବ୍ୟୁରୋ: କେନ୍ଦ୍ରାପଡାର ୭ ବିଧାନସଭା ଆସନରୁ ୫ଟିରେ ବିଜେଡି ବିଜୟୀ ହୋଇଛି । କିନ୍ତୁ ଲୋକସଭାରେ ବାଜି ମାରିନେଇଗଲେ ବିଜେପିର ବୈଜୟନ୍ତ ପଣ୍ଡା । ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ଅଂଶୁମାନ ମହାନ୍ତି । ପୂର୍ବରୁ ସେ କଂଗ୍ରେସରୁ ବିଧାୟକ ହୋଇଥିଲେ । କିନ୍ତୁ ଏଥିର ବିଜେଡିରେ ସାମିଲ ହୋଇ ଲୋକସଭା ପ୍ରାର୍ଥୀ ହୋଇଥିଲେ । କିନ୍ତୁ କାମ ଦେଲାନି ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ଆଗରେ ବିଜେଡିର ବ୍ରାଣ୍ଡ କି ଦଳ ମୁଖିଆଙ୍କ ପ୍ରଚାର । ବୈଜୟନ୍ତ ପଣ୍ଡା ୬ ଲକ୍ଷ ୧୫ ହଜାର ୭୦୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅଂଶୁମାନ ମହାନ୍ତି ୫ ଲକ୍ଷ ୪୯ ହଜାର ୧୬୯ ଖଣ୍ଡ ଭୋଟ୍ ପାଇଥିଲେ ।

ଏକଦା ବୈଜୟନ୍ତ ବିଜେଡିରୁ ସାଂସଦ ହୋଇଥିଲେ । କିନ୍ତୁ ୨୦୧୯ରେ ସେ ଦଳ ପରିବର୍ତନ କରିଥିଲେ । ଏହାପରେ ସେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜିତ ହୋଇଥିଲେ । ଏବେ କିନ୍ତୁ ବିଜେଡି ଗଡରେ ସେ ବାଜିମାତ କରି ନିଜର ପତିଆରା ଦେଖାଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ୭ରୁ ୬ ବିଧାନସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ତୁଳନାରେ ଅଧିକ ଭୋଟ୍ ପାଇଛନ୍ତି । ସବୁଠୁ ଅଧିକ ଭୋଟ୍ ମହାକାଳପଡ଼ାରେ ବୈଜୟନ୍ତଙ୍କୁ ମିଳିଛି । ଲକ୍ଷେ ପାର୍ କରିଛି ଏଠି ଭୋଟ୍ । ଏପରିକି ଦଳର ବିଧାୟକ ପ୍ରାର୍ଥୀ ଏହି ଆସନରୁ ଜିତିଥିଲେ ବି ବୈଜୟନ୍ତ ତାଙ୍କଠୁ ଅଧିକ ଭୋଟ୍ ପାଇଛନ୍ତି ।

ଅନ୍ୟପଟେ ରାଜନଗର ଓ ମାହାଙ୍ଗାରେ ଅଂଶୁମାନ ଯଦିଓ ଦଳର ବିଧାୟକ ପ୍ରାର୍ଥୀଙ୍କଠୁ ଅଧିକ ଭୋଟ୍ ପାଇଥିଲେ କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ହୋଇନାହିଁ । କେବଳ ରାଜନଗରରେ ଅଂଶୁମାନଙ୍କୁ ଅଧିକ ଭୋଟ୍ ମିଳିଥିବା ବେଳେ ମହାକାଳପଡ଼ା, ପାଟକୁରା ଓ କେନ୍ଦ୍ରାପଡ଼ାର ଭୋଟ୍ ଅଧିକ ମିଳିଛି ବୈଜୟନ୍ତଙ୍କୁ । ବଡ କଥା ହେଉଛି ଯୋଡି ଶଙ୍ଖର ନାରା ଦେଇ ବିଜେଡି ଏଠାରେ ପ୍ରଚାର କରିଥିଲା । ନବୀନ ପଟ୍ଟନାୟକ ହୁଅନ୍ତୁ ଅବା ଭି.କେ ପାଣ୍ଡିଆନ୍ ବୈଜୟନ୍ତଙ୍କୁ କଟାକ୍ଷ କରି ବିଜେଡି ଭୋଟ୍ ବ୍ୟାଙ୍କ ବଢାଇବାକୁ ପ୍ରୟାସ କରିଥିଲେ । ହେଲେ ଏସବୁ ବିଫଳ ହୋଇଛି । ବୈଜୟନ୍ତଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀ ଏବଂ ଶେଷରେ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦୀ ପ୍ରଚାର କରିଥିଲେ ।