କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆସିବା ପରେ ମହିଳାଙ୍କ ଗତିବିଧି ଉପରେ ବିଭିନ୍ନ କଟକଣା ଲଗାଇଛି । ତାଲିବାନ ସରକାରରେ କୌଣସି ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ । ତାଲିବାନ ଭୟରେ ଦେଶର ବହୁ ମହିଳା ବିଦେଶରେ ମଧ୍ୟ ଶରଣ ନେଲେଣି । ତେବେ ନିଜ ଅଧିକାର ପାଇଁ ସେଠାରେ ମହିଳାମାନେ ଆନ୍ଦୋଳନ ଜାରି ରଖିଛନ୍ତି ।
ତାଲିବାନର କବଜା ପରେ ଆଫଗାନିସ୍ତାନରେ ମହିଳାଙ୍କ ସ୍ଥିତି ଏବେ ସଙ୍ଗୀନ ହୋଇପଡ଼ିଛି । ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛି ତାଲିବାନ । ଯଦିଓ ସେମାନେ ପୂର୍ବ ଅପେକ୍ଷା ଉଦାରବାଦୀ ହେବା କଥା କହୁଛନ୍ତି, ହେଲେ ବାସ୍ତବରେ କଥା ଭିନ୍ନ ।
ସବୁ ବିପଦକୁ ଖାତିର ନକରି ନିଜ ଅଧିକାର ବଂଚାଇବାକୁ ବିକ୍ଷୋଭ କରୁଥିବା ଏହି ମହିଳା ମାନଙ୍କୁ ଚୁପ୍ କରାଇବାକୁ ସବୁ ପ୍ରକାର ଚେଷ୍ଟା କରୁଛି ତାଲିବାନ । ଧମକ, ବନ୍ଧୁକ ଓ କଠୋର କଟକଣାକୁ ଖାତିର ନକରି ଏମାନେ ନିଜର ବିକ୍ଷୋଭ ଜାରି ରଖିଛନ୍ତି । ନିଜ ଅଧିକାର ଓ ସ୍ୱାଧୀନତା ପାଇଁ ସଂଘର୍ଷ ଜାରି ରଖିଛନ୍ତି । କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ତାଲିବାନ କହିଛି, ହେଲେ କଥା ଓ କାମ ମଧ୍ୟରେ ଢେର ଫରକ ଦେଖିବାକୁ ମିଳିଛି । ମହିଳାଙ୍କ ଉପରେ ନିର୍ଯାତନାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି ।
ତାଲିବାନ ସରକାରରେ ଜଣେ ହେଲେ ବି ମହିଳାଙ୍କୁ ସ୍ଥାନ ମିଳି ନାହିଁ । ସେପଟେ ନିକଟରେ ଜଣେ ତାଲିବାନ ମୁଖପାତ୍ରଙ୍କ ଅଯଥାର୍ଥ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ମହିଳାମାନେ ମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି, ବରଂ ଖାଲି ସନ୍ତାନ ଜନ୍ମ ପାଇଁ ଯୋଗ୍ୟ ବୋଲି ଏହି ମୁଖପାତ୍ର ଜଣକ କହିଛନ୍ତି । ଯେଉଁ ସଂଗଠନର ଜଣେ ମୁଖପାତ୍ର ଏଭଳି କଥା କହୁଛନ୍ତି, ସେଭଳି ସରକାରରେ ମହିଳାଙ୍କ ଅଧିକାର କେତେ ସୁରକ୍ଷିତ, ତାକୁ ବୁଝିବା ବେଶୀ କଷ୍ଟକର ନୁହେଁ ।
ସେହିପରି କାବୁଲ ଦଖଲ ପରେ ତାଲିବାନ ସଦସ୍ୟ ମାନେ ଘରକୁ ଘର ବୁଲି ୧୫ରୁ ୪୫ ବର୍ଷର ଝିଅ ଓ ମହିଳାଙ୍କୁ ଖୋଜୁଥିବାର ଖବର ଆସିଥିଲା । ଉଦେଶ୍ୟ ଥିଲା ଏମାନଙ୍କୁ ତାଲିବାନ ଯୋଦ୍ଧାଙ୍କ ସହ ଜୋରଜବରଦସ୍ତ ବିବାହ କରାଇବା ।
ତାଲିବାନର କ୍ଷମତା ଦଖଲ ପରେ ଦେଶର ବହୁ ପ୍ରମୁଖ ମହିଳା ଦେଶ ଛାଡ଼ି ବିଦେଶରେ ଶରଣ ନେଇଛନ୍ତି । ଏମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ, ଗାୟିକା, ଡାକ୍ତର ଅଛନ୍ତି । ଧର୍ମକୁ ଢାଲ କରି ନିଜର ସଙ୍କୀର୍ଣ୍ଣ ମନୋଭାବକୁ ଠିକ୍ ବୋଲି ଦର୍ଶାଇ ଆସିଛି ତାଲିବାନ ।
କ୍ଷମତାର ପରିରବର୍ତ୍ତନ ଆଫାଗାନିସ୍ତାନରେ ସବୁ ଓଲଟ ପାଲଟ କରିଦେଇଛି । ୨୦୦୨ରେ ଆଫଗାନିସ୍ତାନରେ ସେତେବେଳର ତାଲିବାନ ସରକାରର ପତନ ଘଟିଥିଲା ଓ ହମିଦ କାରଜାଇଙ୍କ ଅଧୀନରେ ନୂଆ ସରକାର ଗଢ଼ାଯାଇଥିଲା । ଏହାପରେ ମହିଳା ମାନେ ବାହାରକୁ ବାହାରିବା ସହ ଆଗକୁ ବଢ଼ିବା ଆରମ୍ଭ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଓ କଳା କ୍ଷେତ୍ରରେ ଆଖିଦୃଶିଆ ସଫଳତା ମଧ୍ୟ ପାଇଥିଲେ । ହେଲେ ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ତାଲିବାନର ଦବଦବା । ଆଉ ଏହାର କଷ୍ଟ ସହୁଛନ୍ତି ଦେଶର ମହିଳାମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/120232444_069357203-1.jpg)