କେମିତି ଜେଲ ଭିତରେ ରହୁଛନ୍ତିି କଏଦୀ? ସାମ୍ନାକୁ ସତ ଆଣିଲା କନକ ନ୍ୟୁଜ୍ । ବଡ ଅଭିଯୋଗ ଆଣିଲେ ନିତ୍ୟ କିଶୋର ଦାସ

210

କନକ ବ୍ୟୁରୋ: ଜେଲ ଭିତରେ କଣ ଚାଲିଛି? ଏହି କଥା ଜାଣିବାକୁ ଲୋକଙ୍କ ଭିତରେ ସ୍ୱତନ୍ତ୍ର ଆଗ୍ରହ ଥାଏ । କିନ୍ତୁ ଜେଲ ଭିତରର ଭିତିରି କଥା ସହଜରେ ପଦାକୁ ଆସେନି । କିନ୍ତୁ କନକ ନ୍ୟୁଜକୁ ସ୍ୱତନ୍ତ୍ର ସୂଚନା ଦେଇ ଜେଲ ଫୁଡ ସପ୍ଲାୟର ଏକ ବଡ ଖୁଲାସା କରିଛନ୍ତି । କହିଛନ୍ତି, ଜେଲରେ କଏଦୀଙ୍କ ପାଇଁ ଫ୍ୟାନ ଓ ଟିଭିର ବ୍ୟବସ୍ଥା ରହିଛି । ସନ୍ଧ୍ୟା ୬ଟା ସୁଦ୍ଧା କଏଦୀଙ୍କୁ ଖାଇବା ଦିଆଯାଏ । ବନ୍ଦୀମାନଙ୍କ ଭିତରେ ନିର୍ବାଚନ ହୁଏ ।

କେବଳ ଏତିକି ନୁହେଁ ଜେଲରେ କଏଦୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେମିତି ଟେଣ୍ଡର ଫିକ୍ସିଂ ହୁଏ ତାର ଗୁମର ଖୋଲିଛନ୍ତି ଫୁ୍ଡ ସପ୍ଲାୟର । ଅଭିଯୋଗ କରି କହିଛନ୍ତି,

  • ଜେଲକୁ ଆସୁଥିବା ଖାଦ୍ୟ ସାମଗ୍ରୀ ବାଟମାରଣା ହୁଏ
  • ଜେଲରେ ଖାଦ୍ୟ ଯୋଗାଇବା ଟେଣ୍ଡର ପାଇବା ପାଇଁ ଫିକ୍ସିଂ ହୁଏ
  • ଟେଣ୍ଡର ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ପଡେ
  • ମୂଷା ଖାଇଯିବା ନାଁରେ ବସ୍ତାପିଛା ୫କେଜି କଟାଯାଏ
  • ଜେଲ କର୍ତ୍ତୃପକ୍ଷଙ୍କ ସହ ଭିତିରିଆ ସମ୍ପର୍କ ଥିଲେ ସୁବିଧା ମିଳେ

ତେବେ ଗୋଟିଏ ପଟେ ଜେଲର ଭିତିରି କଥା ପଦାକୁ ଆସୁଥିବାବେଳେ, ଆଉ ଗୋଟିଏ ପଟେ, ରାଜ୍ୟର ସର୍ବବୃହତ ଜେଲ ନିର୍ମାଣ ପାଇଁ ଯୋଜନା କରିଛନ୍ତି ସରକାର । ସୂଚନା ଅନୁସାରେ, ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ସର୍ବବୃହତ ଜେଲ । ଏହି ଜେଲରେ ରହିପାରିବେ ୨୫୦୦ କଏଦୀ । ଜେଲରେ ରହିବ, ହସ୍ପଟାଏ, ଆମ୍ଫି ଥିଏଟର, ଲାଇବ୍ରେରୀ, ଜିମ୍, ବେକରି ୟୁନିଟ, ଫୁଡପ୍ରସେସିଂ ୟୁନିଟ୍ । ଜେଲ ନିର୍ମାଣ ଶେଷ ହେବା ପରେ ଝାରପଡା ଜେଲର କଏଦୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ।

ଗତ କିଛି ବର୍ଷ ଭିତରେ ବହୁ ସଂସ୍କାର ଆସିଥିଲେ ବି ଜେଲର ଅବ୍ୟବସ୍ଥାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଏପରିକି କଏଦୀଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୁଏ । ହାଇପ୍ରୋଫାଇଲ ଅପରାଧୀଙ୍କୁ ସ୍ୱତନ୍ତ୍ର ସୁବିଧା ମିଳେ ବୋଲି ଅଭିଯୋଗ ହୁଏ । ଯାହା ଜେଲ ବ୍ୟବସ୍ଥାକୁ ନେଇ ଅନେକ ସମୟରେ ବଡ ପ୍ରଶ୍ନବାଚୀ ଛିଡା କରିଥାଏ ।