ଫଟୋ ଧରାଇଦେଲା ହତ୍ୟାକାଣ୍ଡ…କେମିତି ଅନୁପ ସାଏଙ୍କ ଉପରେ ବଢିଲା ସନ୍ଦେହ? ହତ୍ୟାକାଣ୍ଡ ପାଇଁ କାହିଁକି ଛତିଶଗଡକୁ ବାଛିଲେ ଅନୁପ? ହତ୍ୟାକାଣ୍ଡର ସବୁଠାରୁ ବଡ ପ୍ରମାଣ

4,030

କନକ ବ୍ୟୁରୋ:  ଅନୁପ ସାଏଙ୍କ ଗୁମର ଖୋଲିଲା ଛତିଶଗଡ ପୋଲିସ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ହତ୍ୟାକାଣ୍ଡର ଗୁମର ଖୋଲିଛି ଛତିଶଗଡ ପୋଲିସ । ତେବେ ୨୦୧୬ ମସିହାର ମାଆ ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଯାହାର ଯଥେଷ୍ଟ ପ୍ରମାଣ ପୁଲିସର ହସ୍ତଗତ ହୋଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଛତିଶଗଡ ପୋଲିସ ।

ପୋଲିସର କହିବା ଅନୁଯାୟୀ, ପରକୀୟା ପ୍ରତିରୁ ହିଁ ଏଭଳି ଏକ ଜଂଘନ କାଣ୍ଡ ଘଟାଇଥିଲେ ଅନୁପ । ବାହା ହେବାକୁ କହି ମୃତ ମହିଳାଙ୍କୁ ରାୟଗଡ ନିକଟସ୍ଥ ଏକ ଜଙ୍ଗଲକୁ ନେଇଯାଇଥିଲେ ଆଉ ସେଠାରେ ତାଙ୍କୁ ନିଜେ ଅନୁପ ସାଏଁ ଏକ ଲୁହା ଛଡରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏପରିକି ହତ୍ୟାର ଗୁମର ଖୋଲିଯିବା ଭୟରେ ଝିଅକୁ ବି ହତ୍ୟା କରିଥିଲେ ଅନୁପ୍ । ଏତିକିରେ ତାଙ୍କ ମନ ଶାନ୍ତି ହୋଇନଥିଲା ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଅନୁପ ମହିଳା ଏବଂ ଶିଶୁ କନ୍ୟାର ମୃତ୍ୟୁପରେ ବି ସେମାନଙ୍କ ମୃତଦେହ ଉପରେ ବୋଲେରୋ ଚଢାଇଦେଇଥିଲେ । ତେବେ ପ୍ରାୟ ବର୍ଷକ ପୂର୍ବରୁ ମୃତ ଦେହ ଠାବ କରିଥିଲା ପୋଲିସ୍ । ଓଡିଶା ସୀମାନ୍ତରୁ ଜବତ ମୃତଦେହକୁ ଚିହ୍ନଟ କରିବା ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । କାହିଁକି ନା ମୃତଦେହକୁ ସେତେବେଳେ କେହି ଚିହ୍ନିପାରିନଥିଲେ । ଛତିଶଗଡ ପୁଲିସ ମହିଳାଙ୍କ ଫଟୋ ଛତିଶଗଡ ସମେତ ଓଡିଶାର ବିଭିନ୍ନ ଥାନାରେ ଜାରି କରିଥିଲା ।

ସେହି ସମୟରେ ବ୍ରଜରାଜନଗର ଥାନାରେ ଏହି ମହିଳା ଓ ତାଙ୍କ ଝିଅଙ୍କ ଫଟୋକୁ ଜଣେ କନେଷ୍ଟବଳ ଯିଏକି ତାଙ୍କର ଜଣେ ସଂପର୍କୀୟ ଭାଇ ହେବେ ସେ ଦେଖି ଚିହ୍ନିଥିଲେ । ଆଉ ମୃତଦେହ କଳ୍ପନା ଏବଂ ତାଙ୍କ ଝିଅର ବୋଲି ଛତିଶଗଡ ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ମୃତକଙ୍କ କଲ୍ ଡିଟେଲସ୍ ଯାଞ୍ଚ୍ ପରେ ଅନୁପ ସନ୍ଦେହ ଘେରକୁ ଆସିଥିଲେ । ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ନଜର ରଖିଥିଲା ଛତିଶଗଡ଼ ପୁଲିସ୍ । ପୁଲିସର ନୋଟିସ୍ ସତ୍ତେ୍ୱ ହାଜର ହେଉନଥିଲା ଅନୁପ ସାଏ । ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନିନଥିବା କହିଥିଲେ ଅନୁପ । ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତ ଥିବା ସନ୍ଦେହ କରୁଛି ପୁଲିସ । ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ ସାଏ କୌଣସି ଏତଲା ଦେଇନଥିଲେ । ୨୦୧୧-୧୬ ରେ ସାଙ୍ଗରେ ଥିବା ସତ୍ତେ୍ୱ ଏତଲା ନଦେବା ସନ୍ଦେହ ବଢାଇଥିଲା ।

ତେବେ ଘଟଣାର ତଦନ୍ତ ପାଇଁ ଏବଂ ହତ୍ୟାକାରୀଙ୍କୁ ଧରିବା ପାଇଁ ଛତିଶଗଡ ପୁଲିସ ଦିନରାତି ଏକକରିଦେଇଥିଲା ଆଉ ଅଭିଯୁକ୍ତଙ୍କୁ ଧରିବା ପାଇଁ ୬ଟି ରାଜ୍ୟର ପାଖାପାଖି ୭ ଶହ ଲୋକଙ୍କୁ ଏନେଇ ପଚରାଉଚରା କରିଥିଲା ପୁଲିସ । ଏବଂ ବହୁ ପରିଶ୍ରମ ପରେ ଶେଷରେ ପୁଲିସ ପଞ୍ଜାରେ ପଡିଥିଲେ ଅନୁପ ସାଏ । ତେବେ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରିବ ଛତିଶଗଡ଼ ପୁଲିସ । ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ମେଳ କରାଯିବ । ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ କରାଯିବ ବୋଲି କହିଛି ଛତିଶଗଡ ପୁଲିସ । ଗିରଫ ପୂର୍ବରୁ ଅନୁପ ଉପରେ ୬ ମାସ ନଜର ରଖିଥିଲା ପୁଲିସ୍ । ତେବେ ଡ୍ରାଇଭର୍ ବର୍ମନ ଟପ୍ପୋଙ୍କ ସହ ମିଶି ହତ୍ୟା କରିଥିଲେ ଅନୁପ୍ । ଆଗକୁ ବର୍ମନ ଟପ୍ପୋକୁ ଗିରଫ କରାଯିବ । ମୃତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପୁଲିସ ଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ।

ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ । ତାଙ୍କ ବିରୋଧରେ ୩୦୨, ୧୨୦ ବି, ଓ ୨୦୧ ଦଫା ଲଗାଇଛି ଛତିଶଗଡ ପୋଲିସ୍ । ୨୦୧୬ରେ ଝାରସୁଗୁଡା –ଛତିଶଗଡ ସୀମାନ୍ତରେ ମା ଓ ଝିଅଙ୍କ ଡବଲ ମର୍ଡର ହୋଇଥିଲା । ବୁଧବାର ରାତିରେ ପୋଲିସ ତାଙ୍କୁ ଝାରସୁଗୁଡାରୁ ଉଠାଇନେବା ପରେ ଦିନତମାମ ରାୟଗଡ ଜିଲ୍ଲା ଚକ୍ରଧରପୁର ଥାନାରେ ମାରାଥନ ଜେରା କରିଥିଲା । ଛତିଶଗଡ ପୋଲିସ ଅନୁପଙ୍କୁ ନେଇ ପଚରାଉଚରା କରୁଥିବାବେଳେ ଏପଟେ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସେପଟେ ଏହି ଡବଲ ମର୍ଡର ମାମଲାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ଏସପି କହିଛନ୍ତି ।