ଆସୁଛି ବାତ୍ୟା ‘ୟାସ୍’ । ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ପଡ଼ିବ ଅଧିକ ପ୍ରଭାବ? ପଢ଼ନ୍ତୁ କ’ଣ ପୂର୍ବାନୁମାନ କଲେ ଆଇଏମଡି ଡିଜି ।

2,178

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ପାରାଦୀପରୁ ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଭାତତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ ଅନୁସାରେ, ୨୬ ତାରିଖ ସନ୍ଧ୍ୟାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ।

ତେବେ ବାଲେଶ୍ୱରର ଭୋଗରାଇ- ତାଳସାରିରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ବାତ୍ୟାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର. ଭଦ୍ରକ ସବୁଠାରୁ ଅଧିକ ପ୍ରଭାବିତ ହେବେ । ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ପବନର ବେଗ ୧୮୫ କିଲୋମିଟର ହୋଇପାରେ । ୨୫ ରୁ ବର୍ଷା ଆରମ୍ଭ ହୋଇଯିବ, ୨୬ରେ ଉତ୍ତର ଓଡିଶାରେ ୨୦ ସେମି ଯାଏଁ ପ୍ରବଳ ବର୍ଷା ହେବ । ବାତ୍ୟା ୟାସର ପ୍ରଭାବ ୨୬ ସନ୍ଧ୍ୟାରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ରହିବ ।

ଅମ୍ଫାନ ଭଳି ବାତ୍ୟା ୟାସ ଶକ୍ତିଶାଳୀ ହେବନି । ତାଉତେଠାରୁ ବି ପବନ କମ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଏହାର ପ୍ରଭାବରେ ଉତ୍ତର  ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ । ଗଛ ଉପୁଡିବା ସହ ବିଦ୍ୟୁତ୍ ଖୁଂଟ ଭାଂଗିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ନଡା ଛପର, ଟିଣ ଓ ଆଜବେଷ୍ଟସ ଘର ଭାଙ୍ଗିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳ ବର୍ଷା । କିନ୍ତୁ ୨୭ ତାରିଖ ବେଳକୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।