ଗର୍ଭପାତ : ଆଇନ ସମ୍ମତ ! ଆୟରଲାଣ୍ଡରେ ଗର୍ଭପାତକୁ ମିଳିଲା ଅନୁମତି, ୨୦୧୨ରେ ଭାରତୀୟ ଦାନ୍ତ ଡାକ୍ତରଙ୍କ ମୃତ୍ୟୁ ପରେ ଜୋର ଧରିଥିଲା ଆନ୍ଦୋଳନ

33

କନକ ବ୍ୟୁରୋ: ଆବର୍ସନ ବା ଗର୍ଭପାତକୁ ଆୟରଲାଣ୍ଡରେ ମିଳିଲା ଅନୁମତି । ଶନିବାର ଏହାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି ଆୟରଲାଣ୍ଡର ସଂସଦ । ଏହି ପ୍ରସଙ୍ଗ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ୨୦୧୨ ମସିହାରେ ଗର୍ଭପାତ କରିବାକୁ ଅନୁମତି ନମିଳିବାରୁ ଜଣେ ଭାରତୀୟ ମହିଳାଙ୍କ ଆୟରଲାଣ୍ଡରେ ମୃତ୍ୟୁ ହୋଇଥିଲା । କର୍ଣ୍ଣାଟକର ସବିତା ହାଲପନ୍ନାଭାରଙ୍କ ଗର୍ଭରେ ସଂକ୍ରମଣ ସତ୍ୱେ ତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଇନଥିଲା ସେଠାକାର ଆଇନ ବ୍ୟବସ୍ଥା । ଏହି ଭାରତୀୟ ଦାନ୍ତ ଡାକ୍ତରଙ୍କ ବାରମ୍ବାର ଅନୁରୋଧ ପରେ ବି ଆୟରଲାଣ୍ଡ ସମ୍ବିଧାନରେ ଥିବା କଟକଣା ଯୋଗୁଁ ଗର୍ଭପାତ କରିବାକୁ ଦିଯାଇନଥିଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା ।

ହେଲେ ସେବେଠାରୁ ଆୟରଲାଣ୍ଡରେ ଥିବା ଏହି ଆଇନ କଟକଣାକୁ ନେଇ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ଶେଷରେ ତାର ବିଜୟ ହୋଇଛି । ଜୀବନ, ମରଣ ପରିସ୍ଥିତିରେ ଗର୍ଭପାତକୁ ଅନୁମତି ଦେବା ସପକ୍ଷରେ ହୋଇଥିବା ଜନମତରେ ୬୬ ପ୍ରତିଶତ ଭୋଟ ପଡିଥିଲା । ଏହାପରେ ଆୟରଲାଣ୍ଡ ସମ୍ଭିଧାନରେ ଥିବା ଅଷ୍ଟମ ପରିଚ୍ଛେଦକୁ ସଂଶୋଧନ କରାଯାଇଛି । ନୂଆ ସଂଶୋଧନ ଅନୁସାରେ ମାଆ କିମ୍ବା ଗର୍ଭରେ ଥିବା ଛୁଆର ଜୀବନ ସଂକଟାପନ୍ନ ଥିଲେ ଗର୍ଭପାତ କରାଯାଇ ପାରିବ ।