କେମିତି ହୋଇଥିଲା ସିରିଆ ଉପରେ ମିଳିତ ବାହିନୀର ଷଣ୍ଢୁଆସି ଆକ୍ରମଣ ! ଟେର ପାଇନଥିଲା ଋଷ, କିଛି ମିନିଟରେ ଧ୍ୱଂସ ପାଇଯାଇଥିଲା ସିରିଆର ରାସାୟନିକ ଅସ୍ତ୍ରଭଣ୍ଡାର

29

କେମିତି ହୋଇଥିଲା ସିରିଆ ଉପରେ ଆକ୍ରମଣ ? କିଭଳି ଆମେରିକା,ବ୍ରିଟେନ୍ ଓ ଫ୍ରାନ୍ସର ତିନି ବାହିନୀ ସିରିଆ ଉପରେ କରିଥିଲେ ସଣ୍ଡୁଆସୀ ଆକ୍ରମଣ ? ଭୂମଧ୍ୟ ସାଗର, ଲୋହିତ ସାଗର ଓ ଆରବ ଉପସାଗର – ଏହିଭଳି ତିନି ଦିଗରୁ ଆକ୍ରମଣ ପାଇଁ ମିଳିତ ସେନା ପ୍ରସ୍ତୁତି କରିଥିଲା । ଏବଂ ଏହି ପ୍ରସ୍ତୁତିର ସାମାନ୍ୟ ଆଭାସ୍ ବି ପାଇ ପାରିନଥିଲେ ରୁଷ୍ ଓ ସିରିଆର ମିଲିଟାରୀ ରାଡାର୍ । ବିଧ୍ୱଂସୀ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇ ମିଳିତ ସେନା ଆରମ୍ଭ କରିଥିଲା ଆକ୍ରମଣ । ଏବଂ ସିରିଆର ରାସାୟନିକ ଅସ୍ତ୍ର ଭଣ୍ଡାର ଉପରେ ଘନ ଘନ ୧୦୫ଟି ମିସାଇଲ୍ ମାଡ଼ କରିଥିଲେ ।

ମିଳିତ ବାହିନୀର ମିସାଇଲ ଆକ୍ରମଣ ପରେ ଧ୍ୱଂସସ୍ତୂପରେ ପରିଣତ ହୋଇଛି ସିରିଆର ରାସାୟନିକ ଅସ୍ତ୍ରଭଣ୍ଡାର । ମିସାଇଲ୍ ମାଡ଼ରେ ମାଟିରେ ମିଶିଯାଇଛି ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ରଭଣ୍ଡାର । ଆଉ ଏହି ସଂହାରଲୀଳାରେ ଟମ୍ ହକ୍ ମିସାଇଲରେ ଆମେରିକା କିଭଳି କରିଥିଲା ଭୟଙ୍କର ହମଲା ତାହା ଧ୍ୱଂସ୍ୱସ୍ତୂପରୁ ହିଁ ଜଣାପଡୁଛି ।

୧୩ ଏପ୍ରିଲ୍, ଶୁକ୍ରବାର ରାତି ପାଖାପାଖି ୯ଟାରେ ରାଷ୍ଟ୍ରପତି ଟ୍ରମ୍ପ୍ ଦେଶକୁ ସମ୍ବୋଧନ କରୁଥିବା ବେଳେ ଭୂମଧ୍ୟସାଗରରେ ଆମେରିକା ଯୁଦ୍ଧଜାହାଜ ୱିନଷ୍ଟନ୍ ଚର୍ଚ୍ଚିଲରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ସଜ୍ଜିତ କରାଯାଇଥିଲା ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ୧୦୫ଟି ମିସାଇଲକୁ । ସେପଟେ ଲୋହିତ ସାଗରରେ ପ୍ରସ୍ତୁତ ଥିଲା ଆମେରିକା କ୍ରୁଜର୍ ମୋଂଟେରି ଓ ବିଧ୍ୱଂସକ ଯୁଦ୍ଧଜାହାଜ ଲାବୁନ୍ । ଅନ୍ୟପଟେ କାତାର୍ ଅଲ୍ ଉଦେଦ୍ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା ଆମେରିକାର ଦୁଇ ବି୧ବି ବୋମାବର୍ଷଣକାରୀ ବିମାନ । ଭର୍ଜିନିଆ ଶ୍ରେଣୀୟ ବୁଡ଼ା ଜାହାଜ ଜନ୍ ୱାର୍ନର୍ ବି ଥିଲା ପୂର୍ଣ୍ଣ ପ୍ରସ୍ତୁତି ସହ । ଅପେକ୍ଷା ଥିଲା କେବଳ ଚୂଡ଼ାନ୍ତ ଅନୁମତିକୁ ।

ସମୟ ଶନିବାର ଭୋର୍ ପ୍ରାୟ ୪ଟା । ସିରିଆ ରାଜଧାନୀ ଦାମାସକସର ଉପକଣ୍ଠ ଶୁଭିଲା ଜୋରଦାର ଧମାକା । କେହି କିଛି ବୁଝିବା ପୂର୍ବରୁ ସିରିଆ ଆକାଶ କମଳା ରଂଗରେ ପରିବର୍ତନ ହୋଇଥିଲା । ସିରିଆକୁ ୩ଟି ଦିଗରୁ ଘେରିଯାଇଥିଲେ ମିଳିତ ବାହିନୀ । ରୁଷକୁ ଚକମା ଦେଇ ଲୋହିତସାଗରରୁ ମୋଂଟେରୀ କ୍ରୁଜରରୁ ୩୦ଟି ଟମ୍ ହକ୍ ମିସାଇଲ୍ ଛଡ଼ାଯାଇଥିଲା । ଯୁଦ୍ଧଜାହାଜ ଲାବୁନ୍ ବି ଛାଡ଼ିଥିଲା ୭ଟି ଟମ୍ ହକ୍ ମିସାଇଲ୍ । ଅନ୍ୟପଟେ ଆରବ ଉପସାଗରରେ ଡେରା ପକାଇଥିବା ଆମେରିକା ଯୁଦ୍ଧ ବିଧ୍ୱଂସକ ୨୩ଟି ଟମ୍ ହକ୍ ମିସାଇଲ୍ ସିରିଆ ଆଡ଼କୁ ପ୍ରକ୍ଷେପ କରିଥିଲା । ୯ଟି ସ୍କାଲ୍ପ ଏଜ୍ ମିସାଇଲ୍, ୮ଟି ଷ୍ଟର୍ମ ସ୍ୟାଡ଼ୋ ଓ ୯ଟି ଟମ୍ ହକ୍ ମିସାଇଲ୍ ପକାଇ ମିଳିତ ବାହିନୀ ସିରିଆର ରାସାୟନିକ ଅସ୍ତ୍ର ଭଣ୍ଡାରକୁ ମାଟିରେ ମିଶାଇଦେଇଥିଲା । ୩ଟି ଦିଗରୁ ହମଲା ହୋଇଥିବାରୁ ଜବାବ୍ ଦେବା ସମ୍ଭବ ନ ଥିଲା ସିରିଆ ପାଇଁ । ପ୍ରାୟ ଘଂଟାଏ କାଳ ସିରିଆ ଆକାଶରେ ଚାଲିଥିଲା ବିପର୍ଯ୍ୟୟର ଏହି ଖେଳ ଆଉ ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମିସନ୍ ସଫଳ ହେବାର ସୂଚନା ଦେଇଥିଲେ ।

ଅତୁଳନୀୟ ଲକ୍ଷ୍ୟଭେଦି କ୍ଷମତା ଯୋଗୁ ଦୀର୍ଘ ୨୦ ବର୍ଷ ହେଲା ଟମ୍ ହକ୍ ମିସାଇଲ୍ ଆମେରିକାର ଅମୋଘ ଅସ୍ତ୍ର ହୋଇ ରହିଆସିଛି । ଯାହା ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ମିସନରେ ଆମେରିକାକୁ ସଫଳ କରିଛି । ସେହିପରି ଫ୍ରାନ୍ସର ସ୍କାଲ୍ପ ଏଜ୍ ଓ ବ୍ରିଟେନ୍ର ଷ୍ଟର୍ମ ସ୍ୟାଡୋ ମିସାଇଲ୍ ମଧ୍ୟ ପାରଦର୍ଶିତା ପ୍ରମାଣିତ କରିଛନ୍ତି ସିରିଆ ମିସନରେ ।