ଯାତ୍ରାରେ ଅଶ୍ଲୀଳତା କେତେ ଗ୍ରହଣୀୟ? ପଢନ୍ତୁ ଏହାକୁ ନେଇ କଣ ରହିଛି ବିଭିନ୍ନ ଲୋକଙ୍କ ମତ।

159

କନକ ବ୍ୟୁରୋ: ଭଦ୍ରକର ଚରମ୍ପାରେ ଏକ ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ କରି ଜୋତା ଫିଙ୍ଗିବା ଘଟଣା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ମହିଳା ଜୋତା ପିଙ୍ଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ଏଠାରେ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ଆଉ ରାନୀଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ । ଏହା ପରେ ପ୍ରଶ୍ନ ଉଠୁଛି, ଯାତ୍ରାରେ ଅଶ୍ଳୀଳତା କେତେ ଗ୍ରହଣୀୟ । ଏହାକୁ ନେଇ ମତ ରଖିଛନ୍ତି ଯାତ୍ରା କଳାକାର । କିଛି କଳାକାରଙ୍କ ମତରେ , ଯାତ୍ରାରେ ଅଧିକ ଅଶ୍ଲୀଳତା ଗ୍ରହଣୀୟ ନୁହେଁ । ଏହା ଏକ ସୀମା ମଧ୍ୟରେ ରହିବା ଆବଶ୍ୟକ । ଯାତ୍ରା ଦେଖିବାକୁ ଭଦ୍ରଲୋକ ଆସୁଛନ୍ତି । ଦର୍ଶକଙ୍କ ରୁଚିକୁ ସମ୍ମାନ ଦିଆଯିବା ଆବଶ୍ୟକ ।

ସମୟ ବଦଳିଛି, ତା ସହ ଲୋକଙ୍କ ରୁଚି ବି ବଦଳିଛି । ଏହାକୁ ତାଳ ଦେଇ ଯାତ୍ରାପାର୍ଟିମାନେ ସେ ଅନୁସାରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଦେଉଛନ୍ତି । ବିଗତ ଦିନରେ ଯାତ୍ରା ପାର୍ଟିରେ ଯାତ୍ରା ନାଟକରେ ବିଷୟବସ୍ତୁ ଆରମ୍ଭ ହେବା ଆଗରୁ କରାଯାଉଥିବା ରେକର୍ଡ ଡ୍ୟାନ୍ସ କିଛି ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା । କିନ୍ତୁ ଏହି ରେକର୍ଡ ଡ୍ୟାନ୍ସର ଶୈଳୀ ଏବେ ବଦଳିଛି । ଯାତ୍ରା କାଳାକାରମାନଙ୍କ କହିବା କଥା ହେଲା, ଏଥିପାଇଁ ଯାତ୍ରା କମିଟି ବା ମାଲିକଙ୍କ ପକ୍ଷରୁ କୌଣସି ଚାପ ପକାଯାଉନାହିଁ । ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ସେମାନେ ଷ୍ଟେଜରେ ଡ୍ୟାନ୍ସ କରୁଛନ୍ତି । ପୂର୍ବ ଯାତ୍ରା ଓ ବର୍ତମାନର ଯାତ୍ରା ମଧ୍ୟରେ ଅନେକ ପରିବର୍ତନ ଆସିଛି । ଏହାକୁ ତାଳ ଦେଇ ଯାତ୍ରା ଜଗତ ବି ଆଗକୁ ବଢିବା ଦରକାର ବୋଲି ମତ ଦେଇଛନ୍ତି ଅନେକ କଳାକାର ।