କେମିତି ପ୍ରଥମ ବଲରେ ଆଉଟ ହେଲେ ବିସ୍ଫୋରକ ଡିଭିଲିୟର୍ସ? ଭିଡ଼ିଓରେ ଦେଖନ୍ତୁ ଏବିଡିଙ୍କ ୱିକେଟ ।

167

କନକ ବ୍ୟୁରୋ : କ୍ରିକେଟର ମିଷ୍ଟର ୩୬୦ଙ୍କୁ କିଏ ବା ନ ଜାଣେ । କିନ୍ତୁ ଏମିତି କ୍ୱଚିତ୍ ଦେଖିବାକୁ ମିଳେ ଯେତେବେଳେ ଏବି ଡିଭିଲିୟର୍ସ ଆଉଟ ହୁଅନ୍ତି ଆଉ ତାହା ବି ପୁଣି ପ୍ରଥମ ବଲରେ ଏବଂ ବିନା ସ୍କୋରରେ । ଏଭଳି କିଛି ଘଟଣା ଆଇପିଏଲର ୩୧ତମ ମ୍ୟାଚରେ ଦେଖିବାକୁ ମିଳିଥିଲା । ଯେତେବେଳେ କୋଲକାତାର ଆନ୍ଦ୍ରେ ରସେଲ କ୍ରିଜରେ ବେଶି ସମୟ ତିଷ୍ଠିବାକୁ ଡିଭିଲିୟର୍ସଙ୍କୁ ସୁଯୋଗ ଦେଇନଥିଲେ । କୌଣସି ରନ୍ କରିବା ପୂର୍ବରୁ ଡିଭିଲିୟର୍ସଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ ରସେଲ । ତେବେ କେମିତି ଶୂନରେ ଆଉଟ ହେଲେ ଡିଭିଲିୟର୍ସ?

ସୋମବାର ବାଙ୍ଗାଲୋର-କୋଲକାତା ମଧ୍ୟରେ ମ୍ୟାଚ୍ ଚାଲିଥାଏ । ୫୧ ରନରେ ୩ଟି ୱିକେଟ ହରାଇ ସଙ୍କଟଜନକ ସ୍ଥିତିରେ ଥାଏ ବାଙ୍ଗାଲୋର । ଏହି ସମୟରେ କ୍ରିଜକୁ ଆସିଥିଲେ ଡିଭିଲିୟର୍ସ । ସମସ୍ତଙ୍କର ଆଶା ଥିଲା ବାଙ୍ଗାଲୋର ପାଇଁ ଡିଭିଲିୟର୍ସ ଏକ ବଡ ଇନିଂସ ଖେଳିବେ । ଛକା ଓ ଚୌକାର ବର୍ଷା କରିବେ । କାରଣ ପୂର୍ବରୁ ଅନେକଥର ଦଳକୁ ସଙ୍କଟଜନକ ସ୍ଥିତିରୁ ଉଦ୍ଧାର କରିଛନ୍ତି ଡିଭିଲିୟର୍ସ । କିନ୍ତୁ ଏଥର ବାଙ୍ଗାଲୋର ଫ୍ୟାନଙ୍କ ହୃଦୟ ଭାଙ୍ଗି ଦେଇଥିଲେ ଡିଭିଲିୟର୍ସ । ପୋଜିସନ ନେଇ ରସେଲଙ୍କ ପ୍ରଥମ ବଲ ସାମ୍ନା କରିଥିଲେ ଡିଭିଲିୟର୍ସ । କିନ୍ତୁ ରସେଲଙ୍କର ୟର୍କର ବଲକୁ ଅଟକାଇ ପାରିନଥିଲେ ଡିଭିଲିୟର୍ସ । କ୍ରିଜର ଏମିତି ସ୍ଥାନକୁ ରସେଲ ୟର୍କର ପକାଇଥିଲେ ଯାହାକୁ ଖେଳିବାରେ ବିଫଳ ହୋଇଥିଲେ ଡିଭିଲିୟର୍ସ । ପ୍ରଥମ ବଲରେ ହିଁ କ୍ଲିନ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ ଏବିଡି ।

ଡିଭିଲିୟର୍ସ ଯେତେବେଳେ ବୋଲ୍ଡ ହେଲେ ସେତେବେଳେ ବାଙ୍ଗାଲୋର ଫ୍ୟାନ୍ ହତଚକିତ ହୋଇପଡିଥିଲେ । କିଛି ସମୟ ପାଇଁ ବିଶ୍ୱାସ କରିପାରିନଥିଲେ ଯେ ଡିଭିଲିୟର୍ସ ପ୍ରଥମ ବଲରେ ବୋଲ୍ଡ ହୋଇଛନ୍ତି ବୋଲି । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ରସେଲଙ୍କ ବୋଲିଂକୁ ବେଶ ପ୍ରଂଶସା କରାଯାଉଛି । ତେବେ ଡିଭିଲିୟର୍ସଙ୍କୁ ଶୂନରେ ଆଉଟ କରିବାରେ ଆଇପିଏଲ ଇତିହାସରେ ରସଲେ ଷଷ୍ଠ ବୋଲର ହୋଇଛନ୍ତି । ଏହାପୂର୍ବରୁ ଏଲବି ମର୍କେଲ, ଏସ ତ୍ୟାଗୀ, କାଲିସ, କେ ରିଚାର୍ଡସନ ଓ ଏମ ହେନରିକ୍ସ ମଧ୍ୟ ଡିଭିଲିୟର୍ସଙ୍କୁ ଆଇପିଏଲରେ ଶୂନରେ ଆଉଟ କରିବାରେ ସଫଳ ହୋଇଛନ୍ତି । ତେବେ ସୋମବାର ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୯ ୱିକେଟରେ ମାତ୍ ଦେଇଛି କୋଲକାତା ।