୫ଜି ଯୋଗୁ ଦ୍ରୁତଗତିରେ ଆଗକୁ ବଢିବ ଭାରତର ଅର୍ଥନୀତି। ୮ବର୍ଷରେ ଏଠାରେ ପହଞ୍ଚିବ ଆମ ଦେଶ …

202

କନକ ବ୍ୟୁରୋ: ଭାରତର ଅର୍ଥବ୍ୟବସ୍ଥା ଆଗାମୀ ଦିନରେ ଦ୍ରୁତ ଗତିରେ ବିକଶିତ ହେବ । ଏଥିରେ ୫ଜିର ପ୍ରମୁଖ ଭୂମିକା ରହିବ । ୫ଜି ଆସିବା ପରେ ଆଗାମୀ ୮ବର୍ଷ ଦେଶର ଅର୍ଥବ୍ୟବସ୍ଥାରେ ପାଖାପାଖି ୧୫ଲକ୍ଷ କୋଟି ଟଙ୍କା ଯୋଡିହେବ । ଏଥିରେ ଶକ୍ତି, ରିଟେଲ ସହ ସ୍ୱାସ୍ଥ୍ୟ ସେବାର ଭୂମିକା ରହିଛି । ଟେଲିକମ ସେକ୍ଟରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିବ । ଆସନ୍ତୁ ତଥ୍ୟ ଜରିଆରେ ଜାଣିବା କେଉଁଭଳି ପରିବର୍ତ୍ତନ ହେବାକୁ ଯାଉଛି ।

ନେସକୋମ ଏବଂ ଆର୍ଥର ଡି ଲିଟିଲର ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାରେ ୧୪.୬୯ ଲକ୍ଷ କୋଟି ଟଙ୍କା ଯୋଡିହେବ । ଏହା ଜିଡିପିର ୨ ପ୍ରତିଶତ ସହ ସମାନ ହେବ । ୫ଜି ସେବା ସହ ଜଡିତ ବ୍ୟବସାୟକୁ ୧୫ ଲକ୍ଷ କୋଟି ଯାଏ ପହଞ୍ଚାଇବା ପାଇଁ ୪ଟି ସେକ୍ଟରର ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ରହିବ । ଏଥିରେ ଶକ୍ତି କ୍ଷେତ୍ରର ଭାଗିଦାରୀ ୩୦ ପ୍ରତିଶତ, ରିଟେଲ କ୍ଷେତ୍ରର ଭାଗିଦାରୀ ୨୦ ପ୍ରତିଶତ, ସ୍ୱାସ୍ଥ୍ୟସେବାର ଭାଗିଦାରୀ ୧୦ ପ୍ରତିଶତ, ମ୍ୟାନୁଫ୍ୟାକଚରିଙ୍ଗ କ୍ଷେତ୍ରର ସହଭାଗିତା ୧୦ ପ୍ରତିଶତ ରହିବ ।

୫ଜି ସେବା ଆସିବା ପରେ ଟେଲିକମ ସେକ୍ଟରରେ ଅନେକ ସମ୍ଭାବନା ସୃଷ୍ଟି ହେବ । ୧୧୦ କୋଟିରୁ ଅଧିକ ଟେଲିକମ ଉପଭୋକ୍ତା ସହ ଭାରତ ବିଶ୍ୱର ଦ୍ୱିତୀୟ ସବୁଠାର ବଡବଜାରରେ ପରିଣତ ହେବ । ଦେଶରେ ୭୪ କୋଟି ଏହିଭଳି ଉପଭୋକ୍ତା ରହିଛନ୍ତି ଯେଉଁମାନେ ୪ଜିରୁ ୫ଜିକୁ ପରିବର୍ତ୍ତନ ହୋଇଛନ୍ତି । କେବଳ ଏତିକି ନୁହେଁ ୨.୫ ଲକ୍ଷ ଗ୍ରାମ ପଞ୍ଚାୟତ ଡିଜିଟାଲ ହେବେ ।

ଏହା ସହ ଟେଲିକମ କମ୍ପାନୀ ମଧ୍ୟ ବେଶ ଉନ୍ନତି କରିବେ । ସେମାନଙ୍କ ଆୟରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିବ । ବର୍ତ୍ତମାନ ଟେଲିକମ କମ୍ପାନୀର ଆୟ ପ୍ରତି ୟୁଜରଙ୍କ ପାଖରୁ ୧୬୨ ଟଙ୍କା ରହିଛି । ୨୦୨୫ରେ ଏହା ୩୩୫ ଟଙ୍କା ଯାଏ ପହଞ୍ଚିଯିବ । ୨୦ଟି କମ୍ପାନୀ ୫ଜି ପାଇଁ ଆବେଦନ କରିଥିବା ବେଳେ ମାତ୍ର କିଛି କମ୍ପାନୀ ଏହି ସେବା ପ୍ରଦାନ କରୁଛନ୍ତି ।