କନକ ବ୍ୟୁରୋ: ଆବାସ ତାଲିକାରେ ଅନିୟମିତତା ନେଇ ତେଜୁଛି ଆନ୍ଦୋଳନ । ତାଲିକା ବାହାରିବା ଦିନରୁ ବାଦ୍ ପଡିଥିବା ହିତାଧିକାରୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖଛନ୍ତି । ଏବେ ବି ତାଲିକା ନେଇ ପ୍ରତିବାଦ ଦେଖିବାକୁ ମିଳିଛି । ସମ୍ବଲପୁର କୁଚିଣ୍ଡା ବ୍ଲକରେ ଆବାସ ତାଲିକାରେ ଅନିୟମିତତା ଅଭିଯୋଗ କରିବା ସହ ବିକ୍ଷୋଭ କରାଯାଇଛି । ପୂର୍ବରୁ ଏନେଇ ଦାବିପତ୍ର ଦିଆଯାଇଥିଲେ ବି ସରକାର କୌଣସି ସମସ୍ୟାର ସମାଧାନ କରି ନାହାନ୍ତି । ଏହି ଅଭିଯୋଗ ନେଇ ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
ଆଗାମୀ ୨୦ ଦିନ ଭିତରେ ସମାଧାନ ନହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ସେହିଭଳି ଆବାସ ଯୋଜନାରେ ଅନିୟମିତତା ନେଇ ଅସ୍ତରଙ୍ଗ ବ୍ଲକ ସାମନାରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ବ୍ଳକର ମୁଖ୍ୟ ଫାଟକ ଠେଲି ଭିତରକୁ ଧସେଇ ପଶିଛନ୍ତି ଉତକ୍ଷିପ୍ତ ବିଜେପି କର୍ମୀ । ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡିଥିବା ବେଳେ ସ୍ୱଚ୍ଛଳ ବର୍ଗଙ୍କୁ ଏହି ସୁବିଧା ଦିଆଯାଇଛି । ଯାହାର ବିରୋଧ କରିଛନ୍ତି ବିଜେପି କର୍ମୀ ।
କେନ୍ଦ୍ରାପଡା ଗରଦପୁର ବ୍ଲକ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଖୁବଶୀଘ୍ର ତାଲିକାରୁ ହଟାଇବା ସହ ଯୋଗ୍ୟମାନଙ୍କୁ ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି । ଏକ ବଡ ରାଲିରେ ଆସି ବ୍ଳକ କାର୍ଯ୍ୟାଳୟରେ ପ୍ରବେଶ କରି ନାରାବାଜି କରିଥିଲେ ।