କନକ ବ୍ୟୁରୋ : ଚା’ ପିଇବାର ଅଭ୍ୟାସ ପ୍ରାୟ ଅଧିକାଂଶ ଲୋକଙ୍କର ଥାଏ । ଘର ହେଉ କିମ୍ବା କର୍ମକ୍ଷେତ୍ର । ସକାଳ ହେଉ ଅବା ସଂଜ ଚା’ ପିଇବାର ସେମିତି କିଛି ସମୟ ନଥାଏ । ଅଫିସର କାର୍ଯ୍ୟ ବ୍ୟସ୍ତତା ଭିତରେ ଚା’ କପେ ମନରେ ଭରିଆଣେ ସତେଜତା । ଚା’ ପିଇବା ପାଇଁ କିଏ କାଚ କପ୍ ବ୍ୟବହାର କରନ୍ତି ତ ପୁଣି କିଏ ଶଂଖ କପ୍ ଆଉ କିଏ ମାଟି କପ୍ । ଏବେ ବଜାରରେ ମଟକା ଚା’ର ଲୋକପ୍ରିୟତା ଅଧିକ ରହିଛି । ତେବେ ମାଟିରେ ଚା’ କପ୍ ତିଆରି କଟକ ଜିଲ୍ଲା ଡମପଡ଼ା ବ୍ଳକର ଶକୁନ୍ତଳା ମୁଦୁଲି ନାମକ ଜଣେ ମହିଳା ଗୃହିଣୀରୁ ପାଲଟିଯାଇଛନ୍ତି ସଫଳ ଉଦ୍ୟୋଗୀ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ କରିଛନ୍ତି ସ୍ୱାବଲମ୍ବୀ । ଦିନକୁ ୧୦ ହଜାର ଚା’ କପ୍ ତିଆରି ଶକୁନ୍ତଳା ଚର୍ଚ୍ଚାକୁ ଆସିଛନ୍ତି ।

Advertisment

ଦିନରେ ଘର କାମ କରି ସମୟ ଅତିବାହିତ କରୁଥିବା ଶକୁନ୍ତଳା ଏବେ ଜଣେ ସଫଳ ଉଦ୍ୟାଗୀ । ଶକୁନ୍ତଳାଙ୍କ ମାଟି ଚା କପର ଚାହିଦା ମଧ୍ୟ ଅନେକ ରହିଛି । ଓରମାସ ସହାୟତାରେ ଏହି ଚା’ କପ୍ ଯୋଗାଣ କରି ଭଲ ରୋଜଗାର କରୁଛନ୍ତି । ଦକ୍ଷିଣ-ପୂର୍ବ ରେଳୱେରେ ଚା’ ପିଇବା ମାଟି କପ୍ ଯୋଗାଣ ପାଇଁ ୨୦୨୧ରେ ଏକ ଚୁକ୍ତିନାମା ହୋଇଥିଲା । ସେବେଠାରୁ ସଠିକ ଦରରେ ମାଟିପାତ୍ରର ଚା’ କପ୍ ବିକ୍ରି କରୁଛନ୍ତି ସକୁନ୍ତଳା । କଟକ –ଭୁବନେଶ୍ୱର ସମେତ ୫ଟି ଷ୍ଟେସନରେ ଚା’ ପିଇବା ପାଇଁ ଏହି କପର ବ୍ୟବହାର ହେଉଛି । ଏହା ସହିତ ଏବେ ଗ୍ରାମାଂଚଳରେ ମଧ୍ୟ ମାଟି ଚା’ କପର ଚାହିଦା ବଢ଼ିଛି । ଏହି ସବୁକୁ ଲକ୍ଷ୍ୟ କରି ସେ ତାଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ସ୍ଥାନୀୟ ଅଂଚଳର ୩୦ରୁ ଉର୍ଦ୍ଧ ମହିଳାଙ୍କୁ ସେ ଏଥିରେ ନିୟୋଜିତ କରିଛନ୍ତି ।

ଏହି ଚା’ କପ୍ ପ୍ରସ୍ତୁତ କରିବା ପାଇଁ ସେ ନିକଟସ୍ଥ ନଦୀ ପଠାରୁ ମାଟି ସଂଗ୍ରହ କରନ୍ତି । ଓରମାସ ଜରିଆରେ କିଛି ରୁଣ ଆଣି ପ୍ରଥମେ ଦୁଇଟି ମେସିନ୍ ବସାଇଥିଲେ । ବ୍ୟବସାୟରେ ଉନ୍ନତି ଆସିବା ପରେ ଆଉ ଦୁଇଟି ମେସିନ ପକାଇଛନ୍ତି । ଅନ୍ୟ ମହିଳା ମାନଙ୍କ ସହ ମିଶି ୪ରୁ ୫ ଘଂଟା କାମ କରୁଛନ୍ତି । ରୁଣ ସୁଝିବା ସହ ଆତ୍ମନିର୍ଭର ହୋଇପାରିଛନ୍ତି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛି ।