ବ୍ରହ୍ମଗିରିରେ ବୋମାମାଡ଼ ପରେ ପୁରୁଷ ଶୂନ୍ୟ ୩ଟି ଗାଁ : ଦାଣ୍ଡରେ ଏବେବି ପଡ଼ିଛି ଅଫୁଟା ବୋମା

ଜମି ବିବାଦକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଗଣ୍ଡଗୋଳରୁ କାଲି ଫୁଟିଥିଲା ୪୦ରୁ ଅଧିକ ବୋମା

249

କନକ ବ୍ୟୁରୋ : ଜମି ବିବାଦକୁ ନେଇ ବ୍ରହ୍ମଗିରି କୃଷ୍ଣପ୍ରସାଦ ନାଥପୁର ଗାଁରେ ବୋମା ମାଡ଼ ଘଟଣା । ଗାଁ ଦାଣ୍ଡରେ ଏବେବି ପଡ଼ିଛି ଅଫୁଟା ବୋମା । ପୁଲିସ ଚଢ଼ାଉ ପରେ ପୁରୁଷ ଶୂନ୍ୟ ହୋଇପଡ଼ିଛି ୩ଟି ଗାଁ । ଏବେବି ଗାଁରେ ଚାପା ଉତେଜନା ଲାଗି ରହିଛି । ସୂଚନା ଅନୁସାରେ ଜମି ବିବାଦକୁ ନେଇ ଗତକାଲି ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଗାଁରେ ୪୦ରୁ ଅଧିକ ବୋମା ମାଡ କରାଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ ଉପସ୍ଥିତିରେ ବୋମା ମାଡ ହୋଇଥିଲେ ମଧ୍ୟ ପୁଲିସ ନିୟନ୍ତ୍ରଣ କରିପାରନିଥିଲା । ଦେଖୁ ଦେଖୁ ରଣକ୍ଷେତ୍ର ପାଲଟିଯାଇଥିଲା ନାଥପୁର ଗାଁ ନିକଟସ୍ଥ ଅଂଚଳ । ବୋମା ମାଡରେ ପ୍ରାୟ ୨୫ଟି ଅନୁସୂଚିତ ଜାତି ପରିବାର ଲୋକଙ୍କ କୁଡିଆ ଘର ଜଳିଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ଘଟଣା ସ୍ଥଳରେ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ସୂଚନା ଅନୁଯାୟୀ କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ଗାଁର ୩୦ଟି ଅନୂସୁଚିତ ଜାତିର ପରିବାର ଗାଁ ବିବାଦ ଯୋଗୁ ଗତ ବର୍ଷ ଗାଁରୁ ଆସି ବ୍ରହ୍ମଗିରି ଥାନା କୃଷ୍ଣପ୍ରସାଦ ବ୍ଲକ୍ ନାଥପୁର ଗାଁ ନିକଟ ଏକ ସରକାରୀ ଜାଗାରେ ଅସ୍ଥାୟୀ ଘର କରି ରହୁଥିଲେ । ସେଠାରେ କିଛି ଦିନ ରହିବା ପରେ ଗାଁକୁ କିଭଳି ଏହି ପରିବାର ଯାଇ ପାରିବେ ସେ ନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲା । ତେବେ ରବିବାର ଦିନ ଏନେଇ ୩୫ ମୈାଜାର ଭଦ୍ରବ୍ୟକ୍ତି ଏବଂ ସ୍ଥାନୀୟ ତହସିଲଦାର ଏହି ପରିବାର ରହୁଥିବା ବସ୍ତି ପାଖରେ ଥିବା ଏକ ଶିବ ମନ୍ଦିରରେ ବୈଠକ କରିଥିଲେ । ବୈଠକ ବସିଥିବା ବେଳେ ୩୫ ମୈାଜା ପକ୍ଷରୁ ଜଣେ ଭଦ୍ରବ୍ୟକ୍ତି ଏହି ପରିବାରର ମୁଖ୍ୟଙ୍କୁ ଡାକିବାକୁ ଯାଇଥିଲେ। ଡାକିବାକୁ ଯାଇଥିବା ବ୍ୟକ୍ତି ଜଣଙ୍କୁ ଏହି ବସ୍ତିର ଲୋକେ ହଠାତ୍ ଆକ୍ରମଣ କରିବା ସହିତ ବୋମାମାଡ଼ ଆରମ୍ଭ କରି ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଓ ଭଦ୍ରବ୍ୟକ୍ତି ଜୀବନ ବିକଳରେ ଦୈାଡ଼ି ପଳାଇ ଆସିଥିଲେ । ତେବେ ବସ୍ତି ବାସିନ୍ଦାମାନେ ଘନ ଘନ ବୋମାମାଡ଼ କରି ଚାଲିଥିଲେ। ୪୦ରୁ ଅଧିକ ବୋମାମାଡ଼ କରି ଆତଙ୍କ ଖେଳାଇ ଦେଇଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ହଜାର ହଜାର ଲୋକେ ଏକାଠି ହୋଇ ଯାଇଥିଲେ । ସେତେବେଳକୁ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ୫ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚି ସାରିଥିଲେ । ଏହି ସମୟରେ ପୁଣି ଥରେ ବସ୍ତି ପଟୁ ପୁଣି ବୋମା ମାଡ଼ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ବଢ଼ି ଯାଇଥିଲା । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ଗୁଳି ମାଡ଼ ଚାଲିଥିଲା । ଉଭୟ ପକ୍ଷରୁ ଶତାଧିକ ବୋମା ମାଡ଼ ହୋଇଛି । ପୁଲିସ ଉପସ୍ଥିତିରେ ବୋମା ଓ ଗୁଳିମାଡ଼ ଜାରି ରହିଥିଲା। ବୋମାମାଡ଼ରେ ବସ୍ତିର ୪୦ ବଖରା ଘର ଜଳିଯାଇଥିଲା। ହୁତୁହୁତୁ ହୋଇ ଘର ଜଳୁଥିଲେ ସୁଦ୍ଧା ବୋମା ଓ ଗୁଳିମାଡ଼ ଯୋଗୁ ପୁଲିସ ପାଖ ମାଡ଼ି ପାରିନଥିଲା । ଏପରିକି ଘଟଣାସ୍ଥଳରେ ପହଞ୍ଚିଥିବା ବ୍ରହ୍ମଗିରି ଥାନା ଇନ୍‌ସପେକ୍ଟର ମନୋଜ ଶତପଥୀଙ୍କୁ ମଧ୍ୟ ଲୋକେ ଆକ୍ରମକଣ କରିଥିବା ଜଣାଯାଇଛି । ପରିସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଥିବା ଦେଖି ଶେଷରେ ପୁଲିସ ଲାଠି ଚାର୍ଜ କରିଥିଲା । ‌

ପୁଲିସ ଉଭୟ ଗୋଷ୍ଠୀଙ୍କୁ ଘଉଡ଼ାଇବା ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଇତିମଧ୍ୟରେ ବନ୍ଧମୁଣ୍ତା ଛକଠାରେ ୩୫ ମୈାଜାର ଲୋକଙ୍କ ଗାଡ଼ି ଭଙ୍ଗାରୁଜା ଖବର ପାଇ ଲୋକେ ଉତ୍ତ୍ୟକ୍ତ ହୋଇଉଠିଥିଲେ। ସେଠାରେ ପୁଣି ୫ଟି ବୋମାମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ପଣସପଦା କାଜି ଭୋଇସାହିଠାରେ ଅନୂସୁଚିତ ଜାତି ସମ୍ପ୍ରଦାୟର ଲୋକେ ପୁରୀ–ସାତପଡ଼ା ରାଜପଥକୁ ଅବରୋଧ କରିରଖିଥିଲେ। ସେଠାରେ ପୁଲିସ ପହଞ୍ଚି ବୁଝାଶୁଝା କରି ରାସ୍ତାରୋକ ହଟାଇଛି। ଏ ସମ୍ପର୍କରେ ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ ଉତ୍ତେଜନା ହ୍ରାସ ପାଇବା ପର୍ଯ୍ୟନ୍ତ ଗ୍ରାମରେ ପୁଲିସ ମୁତୟନ ରହିବେ । ତେବେ ଏହି ବୋମାମାଡ଼, ଗୁଳିକାଣ୍ଡରେ ଯିଏ ସମ୍ପୃକ୍ତ, ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଅଞ୍ଚଳରେ ଶାନ୍ତିଭଙ୍ଗ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ଏସ୍‌ପି ଶ୍ରୀ ସିଂହ କହିଛନ୍ତି ।