ମରାଠା ସଂରକ୍ଷଣ ତାତି, ଜଳୁଛି ମହାରାଷ୍ଟ୍ର । ଦିନକରେ ୯ ଓ ୧୩ ଦିନରେ ୨୬ଜଣଙ୍କ ଆତ୍ମହତ୍ୟା

135

କନକ ବ୍ୟୁରୋ : ସରଂକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର । ଗୋଟେ କି ଦୁଇଟି ଜିଲ୍ଲା ନୁହେଁ ଅଧିକାଂଶ ଜିଲ୍ଲାର ଉଗ୍ର ରୂପ ନେଇଛି ସଂରକ୍ଷଣ ଆନ୍ଦୋଳନ । ସାଧାରଣ ଜନତାଙ୍କଠୁ ନେଇ ରାଜନେତା । ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ମରାଠା ସଂରକ୍ଷଣ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ଦାବିକୁ ନେଇ ମଙ୍ଗଳବାର ୯ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ୧୩ ଦିନରେ ୨୬ ଜଣ ଆତ୍ମହତ୍ୟା କରି ସାରିଲେଣି । ଆନ୍ଦୋଳନର ନିଆଁ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସର୍ବଦଳୀୟ ବୈଠକ କରିଛନ୍ତି । ସେପଟେ ଶିବସେନାର ଉଦ୍ଧବ ଗୋଷ୍ଠୀର ବିଧାୟକ ଓ ସାଂସଦଙ୍କୁ ବୈଠକରେ ଡକାଯାଇ ନାହିଁ ।

ମରାଠା ସଂରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସାପରାୟଣ ହୋଇପଡିଛନ୍ତି । ସେପଟେ ପୂର୍ଣ୍ଣ ସଂରକ୍ଷଣ ଦାବିରେ ମରଠା ଆନ୍ଦୋଳନ ନେତା ମନୋଜ ଜାଙ୍ଗରେ ଆମରଣ ଅନସନ ଡାକରା ଦେଇଛନ୍ତି ।
ସଂରକ୍ଷଣ ତାତିରେ ଜଳୁଛି ମହାରାଷ୍ଟ୍ର
-ଗତ ୪ ଦଶନ୍ଦି ଧରି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ନେଇ ଦାବି ହୋଇ ଆସୁଛି
-ରାଜ୍ୟ ସରକାର ଓବିିସି ଅର୍ନ୍ତଗତ ମରାଠାଙ୍କୁ ୨୦୧୮ରେ ୧୬% ସଂରକ୍ଷଣ ଦେଇଥିଲେ
-ଏହାପରେ ରାଜ୍ୟରେ ମୋଟ ସଂରକ୍ଷଣ ୫୦ପ୍ରତିଶତରୁ ଟପି ଯାଇଥିଲା
-ତେରଣୁ ୨୦୨୧ରେ ସୁପ୍ରିମକୋର୍ଟ ମରାଠା ସଂରକ୍ଷଣକୁ ରଦ୍ଦ କରିଥିଲେ
-ଜାତିଗତ ପ୍ରମାଣ ପତ୍ର ସହ ସଂରକ୍ଷଣ ଦାବି ନେଇ ସ୍ୱର ଉଠାଇ ଆସୁଛି ମରାଠା ଆନ୍ଦୋଳନ ମୋର୍ଚ୍ଚା

ସଂରଣକ୍ଷ ଦାବିକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଯୋଗୁଁ ବିଭିନ୍ନ ଜିଲ୍ଲାରେ ହିଂସାତ୍ମକ ସ୍ଥିତି ଦେଖିବାକୁ ମିଳୁଛି । ବ୍ୟବସାୟୀ ସଂଗଠନ ମଧ୍ୟ ସମର୍ଥନ ଜଣାଇ ଦୋକାନବଜାର ବନ୍ଦ ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେପଟେ ସମ୍ବେଦନଶୀଳ ସ୍ଥାନରେ କଟକଣା ଲଗାଯାଇଛି । କେଉଁଠି ଇଂଟରନେଟ ବନ୍ଦ କରାଯାଇଛି ପୁଣି କେଉଁଠି କଫ୍ୟୁ ଲଗାଯାଇଛି ।